ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ଆରମ୍ଭ କରିବ ଏଏସଆଇ

ଭୁବନେଶ୍ୱର – ହାଇକୋର୍ଟଙ୍କ ଅସନ୍ତୋଷ ପରେ ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ଆରମ୍ଭ କରିବ ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା – ଏଏସଆଇ । ଦୁର୍ବଳ ସ୍ଥିତିରେ ଥିବା ଶ୍ରୀମନ୍ଦିର ନାଟମଣ୍ଡପ ମରାମତିରେ ଡେରି ହେଉଥିବାରୁ ହାଇକୋର୍ଟ କ୍ଷୁବ୍ଧ ହେବା ସହ ଆଜିଠାରୁ କାମ ଆରମ୍ଭ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ। ଦୁର୍ବଳ ବିମର ମରାମତି ପାଇଁ ଆଜିଠୁ କାମ ଆରମ୍ଭ ହେଲେ ଦୈନିକ ୬ଘଣ୍ଟା ଲେଖାଏଁ ୧୨୦ଦିନ ଲାଗିବ ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ।

କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗଳହି ହେଉଛି। ତେଣୁ ମରାମତି କାମ ପାଇଁ ଆଉ ମାସେ ମହଲତ ମାଗିଥିଲା ଏଏସଆଇ। ହେଲେ ଉଚ୍ଚ ନ୍ୟାୟାଳୟ ଅସନ୍ତୋଷ ଝାଡ଼ି ସିଧା ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ତା’ସହ ଆଜିଠୁ କାମ ଆରମ୍ଭ କଲେ ଆମିକସକ୍ୟୁରୀ ତା’ର ତଦାରଖ କରି ପ୍ରତି ୧୫ ଦିନରେ କୋର୍ଟଙ୍କୁ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଅନ୍ୟପକ୍ଷରେ କୋର୍ଟଙ୍କ ନିର୍ଦ୍ଦେଶର ତୁରନ୍ତ ଅନୁପାଳନ ହେବ ବୋଲି କହିଛନ୍ତି ଏଏସଆଇ ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ୍ ଡି.ବି ଗଡ଼ନାୟକ। ନାଟମଣ୍ଡପ ମରାମତି ସଂପୂର୍ଣ୍ଣ ପାଇଁ ଦୈନିକ ୬ ଘଣ୍ଟା ଲେଖାଏଁ ୧୨୦ ଦିନ କାମ ଚାଲିବ।

Comments are closed.