ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ୍ ପ୍ରତିଯୋଗିତା ଉଦ୍‌ଘାଟିତ

ଭୁବନେଶ୍ୱର – ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ-୬ ବାଳିକା ହାଇସ୍କୁଲରେ ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ୧୦ଟି ଜିଲ୍ଲାରୁ ୧୧ଟି ସ୍କୁଲ ବ୍ୟାଣ୍ଡ ଟିମ୍ ଏହି ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଣ୍ଡ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ଵଥ୍ ଏସ୍. ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ ଏବଂ ଟିମ୍‌ର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କେନ୍ଦ୍ର ସରକାରଙ୍କ ଦୁଇଟି ବିଭାଗ ଯଥା- କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରାଳୟର ମିଳିତ ସହଯୋଗରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ବ୍ୟାଣ୍ଡ୍ ପ୍ରତିଯୋଗିତାରେ ଯେଉଁ ଦଳ ପ୍ରଥମ ସ୍ଥାନ ଅଧିକାର କରିବେ ସେମାନେ ଆନ୍ତଃରାଜ୍ୟ ସ୍କୁଲ ବ୍ୟାଣ୍ଡ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ (ପୂର୍ବ ଜୋନ୍) । ଅନ୍ୟ ଟିମ୍‌ମାନଙ୍କ ମଧ୍ୟରୁ ଚୟନ କରାଯାଇ ସେମାନଙ୍କୁ ଭୁବନେଶ୍ଵରରେ ହେବାକୁ ଥିବା ଆଗାମୀ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବାର ସୁଯୋଗ ଦିଆଯିବ । ରାଜ୍ୟସ୍ତରରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନପୂର୍ବକ ପୁରସ୍କୃତ କରାଯାଇଛି ।

ସମଗ୍ର ଭାରତବର୍ଷକୁ ଚାରୋଟି ଜୋନ୍‌ରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଜୋନ୍‌ରୁ ୨ ଗୋଟି ବିଜୟୀ ଦଳ (ପୁରୁଷ ଓ ମହିଳା) ବ୍ରାସ୍‌ ବ୍ୟାଣ୍ଡର ଏବଂ ଗୋଟିଏ ବିଜୟୀ ଦଳ (ମହିଳା) ପାଇପ ବ୍ୟାଣ୍ଡ୍ କାଟାଗୋରୀର ସମୁଦାୟ ତିନୋଟି ଟିମ୍ ଅନ୍ତଃରାଜ୍ୟ ସ୍କୁଲ ବ୍ୟାଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଆମ ରାଜ୍ୟରୁ ୪ଟି ଲେଖାଏଁ ବ୍ୟାଣ୍ଡ ଟିମ୍ ସମୁଦାୟ ୧୬ଟି ଟିମ୍ ଦିଲ୍ଲୀର ଜାତୀୟ ନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗନେବେ ।

ଏଥିରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ଅନୁପମ ସାହା ସ୍କୁଲ ବ୍ୟାଣ୍ଡ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ସଂପର୍କରେ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଅତିରିକ୍ତ ନିର୍ଦ୍ଦେଶକ ଭଗବାନ ବେହେରା ସୂଚନା ପ୍ରଦାନ କରିଥିବାବେଳେ ଶେଷରେ ଉପନିର୍ଦ୍ଦେଶକ ମହେଶ୍ଵର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ‘ମୋ ସ୍କୁଲ’ର ସ୍ଵତନ୍ତ୍ର ଅଧିକାରୀ ଅମରଜିତ ଜେନା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ସନାତନ ପଣ୍ଡା, ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁକାନ୍ତି ହରିଚନ୍ଦନଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ
ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Comments are closed.