ସୁନ୍ଦରଗଡରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ଦୁଇଟି ହେଉଛି – ଇବ୍‌ ନଦୀରେ ଭଷ୍ମା ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ସପେଇ ନଦୀରେ ଫୁଲବାରୀ ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ଭଷ୍ମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୬୨.୫୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଫୁଲବାରୀ ପ୍ରକଳ୍ପ ପାଇଁ ୧୨୩.୭୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ।

ଏହାଦ୍ବାରା ପାଞ୍ଚଟି ବ୍ଲକ୍‌ର ଲୋକ ଉପକୃତ ହେବେ । ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ବିଶେଷ ସହାୟକ ହେବ । ଭଷ୍ମା ପ୍ରକଳ୍ପ ଦ୍ବାରା ଟାଙ୍ଗରାପଲି, ସୁନ୍ଦରଗଡ ଓ ଝାରସୁଗୁଡା ବ୍ଲକ୍‌ରେ ଜନସାଧାରଣ ଉପକୃତ ହେବା ବେଳେ, ଫୁଲବାରୀ ପ୍ରକଳ୍ପ ଦ୍ବାରା ବଡଗାଁ ଓ ବାମରା ବ୍ଲକ୍‌ର ଜନସାଧାରଣ ଉପକାର ପାଇବେ ।

Comments are closed.