କାର୍ତ୍ତିକମାସ ଶୁକ୍ଳପକ୍ଷ ଚତୁର୍ଥୀରେ ସମଗ୍ର ଭାରତରେ ପାଳନ କରାଯାଏ ନାଗଚତୁର୍ଥୀ ବା ନାଗଲ ଚତୁର୍ଥୀ ପୂଜା। ଏହି ପର୍ବର ମୁଖ୍ୟ ଆରାଧ୍ୟ ହେଉଛନ୍ତି ସର୍ପ ଦେବତା। ସର୍ପ ପୂଜା କେବଳ ଓଡ଼ିଶା କିମ୍ବା ଭାରତୀୟ ସମାଜରେ ପରିଲକ୍ଷିତ ହୁଏ ନାହିଁ, ବରଂ ବିଶ୍ୱର ବିଭିନ୍ନ ଦେଶର ଲୋକମାନଙ୍କ ମଧ୍ୟରେ ଏହାର ପ୍ରଚଳନ ଦେଖିବାକୁ ମିଳେ । ପୁରାଣ, ଲୋକବିଶ୍ୱାସ ମାଧ୍ୟମରେ ଏହାର ପ୍ରଭାବ ଏବେ ବି ସଂଜୀବିତ । ଭାରତୀୟ ସ୍ଥାପତ୍ୟ ଓ ସାହିତ୍ୟକୁ ସର୍ପ ପୂଜା ବିଶେଷ ଭାବେ ପ୍ରଭାବିତ କରିଛି । ଓଡ଼ିଶାରେ ପ୍ରଚଳିତ ‘ନାଗ ଚତୁର୍ଥୀ’ ବା ନାଗଲ ଚତୁର୍ଥୀ ସର୍ପ ପୂଜାର ଅନ୍ୟ ଏକ ଅଭିବ୍ୟକ୍ତି ।
କାର୍ତ୍ତିକ ଶୁକ୍ଳ ଚତୁର୍ଥୀ ଦିନ ନାଗ ଦେବତାଙ୍କ ଉଦ୍ଦେଶ୍ୟରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ । ନାରୀମାନେ ପରିବାର ତଥା ସନ୍ତାନମାନଙ୍କ ମଙ୍ଗଳ କାମନା କରି ଏହିପର୍ବ ପାଳନ କରିଥାନ୍ତି । ଏହି ପୂଜା କରିବା ଦ୍ୱାରା ସର୍ପ ଦଂଶନର ଭୟ ରହେ ନାହିଁ ବୋଲି ଲୋକବିଶ୍ୱାସ ରହିଛି । ପୂଜାର ମୁଖ୍ୟବିଧି ହେଲା ହୁଙ୍କାପୂଜା। ନାରୀମାନେ ଏକତ୍ରିତ ହୋଇ ହୁଙ୍କାଥିବା ସ୍ଥାନରେ କିମ୍ବା ହୁଙ୍କାର କିଛି ଅଂଶକୁଆଣି ଚଉଁରାମୂଳେ ରଖି, ନାଗ-ନାଗୁଣିଙ୍କ ତମ୍ବାର ମୂର୍ତ୍ତି ସ୍ଥାପନା କରନ୍ତି । ଏହି ସ୍ଥାନକୁ ଫୁଲରେ ସଜାଇ, ଚିତା ପକାଇ ସମସ୍ତ ପୂଜା ସାମଗ୍ରୀ ଯଥା- ଦୀପ, ଧୂପ ଓ ନୈବେଦ୍ୟ ଦେଇ ମୂର୍ତ୍ତିକୁ ପୂଜାକରନ୍ତି । ଅନ୍ୟ କେତେକ ସ୍ଥାନରେ ଅଟାରେ ନାଗ ନାଗୁଣି ଦେବତା ତିଆରି କରି ପୂଜା କରାଯାଇଥାଏ।
ବିଶେଷ କରି ତେଲୁଗୁ ସମ୍ପ୍ରଦାୟରେ ଉଇ ହୁଙ୍କାରେ ଅଣ୍ଡାଦେଇ ସେମାନେ ପୂଜା କରିଥାନ୍ତି। କେବଳ ଯେ ଧାର୍ମିକ ବିଚାର ଧାରାରେ ସର୍ପପୂଜା ବା ନାଗପୂଜା ଜଡିତ ତାହା ନୁହେଁ ପରନ୍ତୁ ଭାରତୀୟ ସ୍ଥାପତ୍ୟ କଳାରେ ଏହାର ପ୍ରଭାବ ଦେଖିବାକୁ ମିଳେ। ପୁରାତନ ମନ୍ଦିର ଗଠନରେ ପ୍ରତ୍ୟେକ ପ୍ରଵେଶ ଦ୍ୱାର ନାଗବନ୍ଧ ଦ୍ୱାରା ନିର୍ମିତ ହୋଇଥିବା ଦେଖିବାକୁ ମିଳେ। ଏହା ବାସ୍ତୁ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି ବର୍ଣ୍ଣନା ରହିଛି। ସେହିପରି ଆମମାନଙ୍କ ବାସସ୍ଥାନ ନିର୍ଣ୍ଣୟ ସମୟରେ ନାଗନାଡୀ କଥା ବିଚାରକୁ ନିଆଯାଇ ଥାଏ। କହିବାକୁ ଗଲେ ସର୍ପ ସଂସ୍କୃତି ଏକ ପୁରାତନ ସଂସ୍କୃତି ଯାହା ବର୍ତ୍ତମାନ ମଧ୍ୟ ଗବେଷଣା ସାପେକ୍ଷ।
ତେବେ ନାଗ ଚତୁର୍ଥୀ ବା ନାଗଲ ଚତୁର୍ଥୀ ସର୍ପ ପୂଜାର ଅନ୍ୟ ଏକ ଅଭିବ୍ୟକ୍ତି । ଯାହା ଆମ ଧର୍ମ ସଂସ୍କୃତିକୁ ପ୍ରଭାବିତ କରି ଆସିଛି। ଏବଂ ସିଏ ଆମ ମଙ୍ଗଳ ବିଧାନରେ ବ୍ରତୀ। ଯେଉଁଥିପାଇଁ ନାରୀମାନେ ପରିବାର ତଥା ସନ୍ତାନସନ୍ତତି ମାନଙ୍କ ମଙ୍ଗଳ କାମନାକରି ଏହିପର୍ବ ପାଳନ କରିଥାନ୍ତି ।
Comments are closed.