ବଲାଙ୍ଗୀର ଜିଲ୍ଲାରେ ଦୁଇ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର – ବଲାଙ୍ଗିର ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୯୬.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସୁନଗଡ ନଦୀରେ ସିକୁଆଁ/ ସିଲେଟକଣି ଓ ଅଙ୍ଗ ନଦୀର କୁଟସିଙ୍ଘାରେ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ନିର୍ମାଣ କରାଯିବ। ଏହା ଦ୍ୱାରା ୪ଟି ବ୍ଲକର ଜନସାଧାରଣ ଉପକୃତ ହେବେ। ସୁନଗଡ, ସିଲେଟକଣି ଓ ଅଙ୍ଗ ନଦୀରେ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ନିର୍ମାଣ ପାଇଁ ଦାବି ହେଉଥିଲା। ଏପରିକି ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ ସମୟରେ ଲୋକମାନେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଲୋକଙ୍କ ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଆଜି ଅନୁମୋଦନ କରିଛନ୍ତି। ସିକୁଆଁ ପ୍ରକଳ୍ପ ପାଇଁ ୪୯ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ କୁଟସିଙ୍ଘା ପ୍ରକଳ୍ପ ପାଇଁ ୨୪୭.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି।

ଦୁଇ ନଦୀଗର୍ଭ ପ୍ରକଳ୍ପ ଦ୍ୱାରା ୪ଟି ବ୍ଲକ୍‌ର ଲୋକ ଉପକୃତ ହେବେ। ଏହାଦ୍ବାରା ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ବିଶେଷ ସହାୟକ ହେବ। ସିକୁଆଁ ପ୍ରକଳ୍ପ ଦ୍ୱାରା ଦେଓଗାଁ ଓ ବଲାଙ୍ଗିର ବ୍ଲକ୍‌ରେ ଜନସାଧାରଣ ଉପକୃତ ହେବେ। ସେହିପରି କୁଟସିଙ୍ଘା ପ୍ରକଳ୍ପ ଦ୍ୱାରା ଡୁଙ୍ଗୁରିପାଲି ଓ ଅଗଲପୁର ବ୍ଲକ୍‌ର ଜନସାଧାରଣ ଉପକୃତ ହେବେ।

Comments are closed.