ଓଡ଼ିଶାର ଦୁଇ ପୁରାତନ ଜଳସେଚନ ପ୍ରକଳ୍ପକୁ ଆଇସିଆଇଡି ବିଶ୍ୱ ଐତିହ୍ୟ ପ୍ରକଳ୍ପ ସମ୍ମାନ

ଭୁବନେଶ୍ୱର – ଓଡ଼ିଶାର ଦୁଇ ଜଳସେଚନ ପ୍ରକଳ୍ପକୁ ମିଳିଛି ଆନ୍ତର୍ଜାତିକ ସ୍ୱୀକୃତି। ଗଞ୍ଜାମ ଜିଲ୍ଲାର ଜୟମଙ୍ଗଳ ଆନିକଟ୍ ଓ ମୟୂରଭଞ୍ଜ ଜିଲ୍ଲାର ବାଲିଡିହ ଜଳସେଚନ ପ୍ରକଳ୍ପକୁ ବିଶ୍ୱ ଐତିହ୍ୟ ଜଳସେଚନ ପ୍ରକଳ୍ପ ସମ୍ମାନ ମିଳିଛି। ଇଣ୍ଟରନ୍ୟାସନାଲ କମିଶନ ଅନ୍ ଇରିଗେସନ ଆଣ୍ଡ ଡ୍ରେନେଜ ( ଆଇସିଆଇଡି ) ପକ୍ଷରୁ ଏହି ସମ୍ମାନ ଦିଆଯାଇଛି । ଚଳିତବର୍ଷ ଦେଶର ୪ଟି ପ୍ରକଳ୍ପକୁ ଆଇସି ଆଇଡି ବିଶ୍ଵ ଐତିହ୍ୟ ଜଳସେଚନ ପ୍ରକଳ୍ପ ସମ୍ମାନ ଦିଆଯାଇଥିବା ବେଳେ କେବଳ ଓଡ଼ିଶାର ହିଁ ଦୁଇ ପ୍ରକଳ୍ପ ରହିଛି। ଏ ନେଇ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଏହି ସଫଳତା ପାଇଁ ସେ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆନ୍ଧ୍ର ପ୍ରଦେଶର ପ୍ରକାଶମ ବ୍ୟାରେଜ ଓ ତାମିଲନାଡୁର ଶ୍ରୀବୈକୁଣ୍ଠମ ଆନିକଟକୁ ମଧ୍ୟ ଆଇସିଆଇଡି ଐତିହ୍ୟ ଜଳସେଚନ ପ୍ରକଳ୍ପ ସମ୍ମାନ ମିଳିଛି।

ସୂଚନାଯୋଗ୍ୟ ଯେ, ବିଶ୍ୱର ଯେଉଁ ଜଳସେଚନ ପ୍ରକଳ୍ପଗୁଡିକ ୧୦୦ ବର୍ଷରୁ ଅଧିକ ପୁରୁଣା ଓ ଭଲଭାବେ କାର୍ଯ୍ୟକ୍ଷମ ଅବସ୍ଥାରେ ଥାଏ, ତାହା ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥାଏ ।

Comments are closed.