ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର – ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗସ୍ତ କାଳରେ ସେ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜ ଜିଲ୍ଲାକୁ ଦ୍ୱିତୀୟ ଥର ପାଇଁ ଗସ୍ତରେ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ରାଷ୍ଟ୍ରପତି ଆଜି ନୂଆଦିଲ୍ଲୀରୁ ବିମାନ ଯୋଗେ ବାହାରି ପ୍ରଥମେ ପଶ୍ଚିମବଙ୍ଗ କଲେଇକୁଣ୍ଡା ବାୟୁସେନା ବିମାନଘାଟିରେ ଅବତରଣ କରିବେ । ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପଟରରେ ଦିନ ୧୧ଟାରେ ବାରିପଦାରେ ଓହ୍ଲାଇବେ ରାଷ୍ଟ୍ରପତି । ସେଠାରୁ ସହିଦ ସ୍ମୃତି ଭବନ ଯାଇ ୩୬ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବେ । କିଛି ସମୟ ବାରିପଦା ସର୍କିଟ୍ ହାଉସରେ ବିଶ୍ରାମ ନେବା ପରେ ଅପରାହ୍ନ ୨ଟା ୩୫ରେ କୁଳିଅଣାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଲୋକାର୍ପଣ କରିବେ ରାଷ୍ଟ୍ରପତି । ଆସନ୍ତାକାଲି ରାଷ୍ଟ୍ରପତି ପାହାଡପୁରରେ ଏକ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟନ କରିବା ସହ ବାଦାମପାହାଡ଼ ରେଳ ଷ୍ଟେସନରୁ ତିନିଟି ନୂଆ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ। ଏଠାରୁ ରାଷ୍ଟ୍ରପତି ଟ୍ରେନରେ ରାଇରଙ୍ଗପୁର ଯାଏଁ ଯିବା କାର୍ଯ୍ୟକ୍ରମ ରହିଛି। ସେଠାରେ ରାଷ୍ଟ୍ରପତି ରାଇରଙ୍ଗପୁର ଡାକ ଡିଭିଜନ ଉଦଘାଟନ କରିବେ । ପରେ ସେ ସମ୍ବଲପୁର ଯାଇ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।

Comments are closed.