କୋହଲି-ରାହୁଲଙ୍କ ରକ୍ଷଣାତ୍ମକ ବ୍ୟାଟିଂ ଉପରେ ପ୍ରଶ୍ନ ଉଠାଇଲେ ସେହଓ୍ବାଗ

ଅହମ୍ମଦାବାଦ: ବିଶ୍ବକପ୍ ଫାଇନାଲରେ ଭାରତର ପରାଜୟରୁ ମୁକୁଳି ପାରିନାହାନ୍ତି ପ୍ରଶଂସକ । ଭାରତର ପରାଜୟର କାରଣ କ’ଣ ସେ ନେଇ ବର୍ତ୍ତମାନ ଆରମ୍ଭ ହୋଇଛି ପୋଷ୍ଟ ମର୍ଟମ୍ । ପୂର୍ବତନ ଓପନର୍ ବୀରେନ୍ଦ୍ର ସେହୱାଗ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାଜୟ ପରେ ବିରାଟ କୋହଲି ଓ କେଏଲ୍ ରାହୁଲଙ୍କ ରକ୍ଷଣାତ୍ମକ ବ୍ୟାଟିଂ ଉପରେ ପ୍ରଶ୍ନ ଉଠାଇଛନ୍ତି। ଉଭୟ ବ୍ୟାଟର୍ ରିସ୍କ ନେଇନଥିଲେ ବୋଲି କହିଛନ୍ତି ସେହଓ୍ବାଗ ।

ସେହୱାଗ କହିଛନ୍ତି, “ପିଚ୍‌ରେ ଆମର ଦୁଇ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଓ କେଏଲ୍ ରାହୁଲ ଥିଲେ । ସେମାନଙ୍କୁ ଅଷ୍ଟ୍ରଲୀୟ ବୋଲର କଟର୍ ପକାଉଥିଲେ, ଯାହା ଖେଳିବା ସହଜ ନଥିଲା । କିନ୍ତୁ ଯଦି କୋହଲି ଓ ରାହୁଲ ଟିକେ ରିସ୍କ ନେଇ ବାଉଣ୍ଡରୀ ମାରିଥାନ୍ତେ ତେବେ ମ୍ୟାଚ୍ ସ୍ଥିତି ଭିନ୍ନ ହୋଇଥାନ୍ତା। ”

ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ପାଖରେ ଅନେକ ଗୁଡ଼ିଏ ସଟ୍ ଅଛି, କିନ୍ତୁ ଏହା ବିଶ୍ୱକପ୍ ଫାଇନାଲ୍ ଥିଲ । ଚାପ ବହୁତ ଥିଲା । ସେଥିପାଇଁ ବୋଧହୁଏ ସେମାନେ ରିସ୍କ ନେଇନଥିଲେ । କିନ୍ତୁ ଉଭୟଙ୍କୁ ଟିକିଏ ରିସ୍କ ନେବା ଉଚିତ୍ ଥିଲା। ”

ଭାରତୀୟ ବୋଲିଂ ନେଇ ସେହୱାଗ କହିଛନ୍ତି, ଆମର ବୋଲରମାନେ ୱିକେଟ୍ ନେବାକୁ ଅତ୍ୟଧିକ ଚେଷ୍ଟା କରିଥିଲେ। ସେମାନେ କେବଳ ସଠିକ ଲାଇନ୍ ଓ ଲେନ୍ଥ ବୋଲିଂ କରିଥିଲେ ବ୍ୟାଟ୍ସମ୍ୟାନ୍ ଆପେ ଭୁଲ କରି ୱିକେଟ୍ ହରାଇଥାନ୍ତେ। ଭାରତୀୟ ବୋଲରମାନେ ୱିକେଟ୍ ପଛରେ ଦୈଡ଼ୁଥିଲେ। ଗତ ୧୦ଟି ମ୍ୟାଚ୍‌ରେ ସେମାନେ ଯାହା କରିଥିଲେ ଫାଇନାଲରେ ତାହା କରିବାର ଥିଲା ବୋଲି ସେହଓ୍ବାଗ କହିଛନ୍ତି ।

ବିଶ୍ବକପ୍ ଫାଇନାଲରେ ଭାରତ ଟସ୍ ହାରି ଏକ ସ୍ଲୋ ପିଚରେ ପ୍ରଥମେ ବ୍ୟାଟିଂ କରିଥିଲା । କ୍ୟାପଟେନ୍ ରୋହିତଙ୍କ ଧୂଆଁଧାର ଷ୍ଟାର୍ଟ ସତ୍ତ୍ୱେ ଭାରତ ୧୦୦ ରନ୍ ଛୁଇଁବା ପୂର୍ବରୁ ୩ଟି ଓ୍ବିକେଟ୍ ହରାଇଥିଲା । ପିଚ୍ ଯଦିଓ ସଟ୍ ଖେଳିବାକୁ ସହଜ ନଥିଲା ତେବେ କୋହଲି-ରାହୁଲ ଅତ୍ୟଧିକ ସତର୍କତା ଅବଲମ୍ବନ କରିଥିଲେ । ଫଳରେ ଭାରତର ରନ୍ ଗତି ଧିମେଇ ଯାଇଥିଲା ।

Comments are closed.