ଗଞ୍ଜାମରେ ଡିସେମ୍ବର ୨୯ରୁ କିଣାଯିବ ୪୫.୬୭ ଲକ୍ଷ କ୍ଵିଣ୍ଟାଲ ଧାନ

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଆସନ୍ତା ମାସ ୨୯ ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ। ଜିଲ୍ଲାରେ ଧାନ ବିକ୍ରି ସକାଶେ ୧ ଲକ୍ଷ ୪୬ ହଜାର ୫୪୧ ଜଣ କୃଷକ ପଞ୍ଜୀକରଣ କରିଛନ୍ତି। ୨୨ଟି ବ୍ଲକ୍‌ରେ ଖୋଲିବାକୁ ଥିବା ୪୬୯ ଧାନ ସଂଗ୍ରହ କେନ୍ଦ୍ର ଜରିଆରେ ୩୬୬୫ ପ୍ରାଥମିକ ସମବାୟ ସମିତି (ପାକ୍ସ୍‌), ୧୦୩ ସ୍ଵୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି) ଓ ଗୋଟିଏ ପାଣି ପଞ୍ଚାୟତ ମାଧ୍ୟମରେ ୪୫ ଲକ୍ଷ ୬୭ ହଜାର କ୍ବିଣ୍ଟାଲ୍‌ ଧାନ କିଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ଧାନ ସଂଗ୍ରହ ପ୍ରକ୍ରିୟାରେ ୩୬୦ରୁ ଅଧିକ ମିଲର୍‌ ଅଂଶଗ୍ରହଣ କରିବେ। ଯଦି ଆବଶ୍ୟକ ହୁଏ ଅନ୍ୟ ବର୍ଷ ଭଳି ଏଥର ମଧ୍ୟ ରାଜ୍ୟ ଯୋଗାଣ ନିଗମ ସହ ଆଲୋଚନା କରି ଧାନ ସଂଗ୍ରହ ଲକ୍ଷ୍ୟ ବୃଦ୍ଧି କରାଯିବ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ପୌରୋହିତ୍ୟରେ ହୋଇଥିବା ଭର୍ଚୁଆଲ୍‌ ବୈଠକରେ କୃଷି ଓ ସମବାୟ ବିଭାଗର ଅଧିକାରୀଙ୍କ ସମେତ କୃଷକ, ମିଲ୍‌ ମାଲିକଙ୍କ ପ୍ରତିନିଧି ସାମିଲ ହୋଇଥିଲେ। ସାଧାରଣ କିସମ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କ୍ଵିଣ୍ଟାଲ୍‌ ପିଛା ୨୧୮୩ ଟଙ୍କା, ଗ୍ରେଡ୍‌-ଏ କିସମ ଧାନର ଏମ୍‌ଏସ୍‌ପି ୨୨୦୩ ଟଙ୍କା ଧାର୍ଯ୍ୟ ହୋଇଛି। ଗତ ବର୍ଷ ତୁଳନାରେ ଏହା ଯଥାକ୍ରମେ ୧୪୩ ଟଙ୍କା ଓ ୧୩୭ ଟଙ୍କା ଅଧିକ। ସଂଗ୍ରହ କେନ୍ଦ୍ରରେ ଧାନ ରଖିବା ସ୍ଥାନ, ଚାଷୀଙ୍କ ବିଶ୍ରାମ ସ୍ଥଳ, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଆଦି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା।

ଚଳିତ ଥର ବର୍ଷାଭାବ ଯୋଗୁଁ ଖରିଫ୍‌ ଚାଷରେ ବିଳମ୍ବ ଘଟିଛି। ତେଣୁ ଧାନ ସଂଗ୍ରହ ଆରମ୍ଭ ପ୍ରକ୍ରିୟାକୁ ସାମାନ୍ୟ ବିଳମ୍ବିତ କରାଯାଇଛି। ଧାନ ସଂଗ୍ରହ ପାଇଁ ମିଲର୍‌ଙ୍କ ସହମତି ପତ୍ର ଦାଖଲ ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଅପରପକ୍ଷରେ ଗତବର୍ଷ ଉପଗ୍ରହ ସର୍ଭେରେ ପ୍ରାୟ ୮ ହଜାର ନକଲି ଚାଷ ଜମି ତଥା କୃଷକଙ୍କ ପଞ୍ଜୀକରଣ ଘଟଣା ଧରାଯାଇଥିଲା। ଯାଞ୍ଚ ପରେ ୨ ହଜାରରୁ ଅଧିକ କୃଷକ ଧାନ ବିକ୍ରି ପ୍ରକ୍ରିୟାରୁ ବାଦ୍‌ ପଡ଼ିଥିଲେ। ଚଳିତ ବର୍ଷ ମଧ୍ୟ ଉପଗ୍ରହ ସର୍ଭେ କରାଯିବ। ଏହା ପରେ ହିଁ ପ୍ରକୃତ ପଞ୍ଜୀକୃତ ଚାଷୀ ସଂଖ୍ୟା ସାମ୍ନାକୁ ଆସିବ। ଗତ ଖରିଫ୍‌ ରତୁରେ ୧ ଲକ୍ଷ ୨୦ ହଜାର ୫୮୪ କୃଷକଙ୍କ ଠାରୁ ୬୦ ଲକ୍ଷ ୨୦ ହଜାର ୬୦୫ କ୍ଵିଣ୍ଟାଲ୍‌ ଧାନ କିଣାଯାଇଥିଲା।

Comments are closed.