ନୋହିଲା ଜଗା ଦର୍ଶନ : ପୁରୀ ଗଲାବେଳେ ସଡ଼କ ଦୁର୍ଘଟଣାରେ ୨ ମୃତ, ୫ ଆହତ

ଯାଜପୁର – ଜଗା ଦର୍ଶନ ପାଇଁ ବାହାରିଥିଲେ ପୁରୀ । କିନ୍ତୁ ଜଗା ଦର୍ଶନ ନୋହିଲା । ବାଟରେ ଡାକିନେଲା ମୃତ୍ୟୁ । ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ଦୁଇ କୋମଳମତି ଶିଶୁ । ୫ ଜଣ ଆହତ । ଆଜି ଭୋରରେ ଯାଜପୁର ଜାତୀୟ ରାଜପଥ ପାଣିକୋଇଲି ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ସାହାପଡା ଗାଁ ପାଟଣାସାହିର ୭ ଜଣ ଅଟୋରେ ପୁରୀ ବାହାରିଥିଲେ । ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଛକ ନିକଟରେ ଅଟୋକୁ ଏକ ଦ୍ରୁତଗାମୀ ଟ୍ରକ୍ ପଛରୁ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ୧୨ ବର୍ଷିୟା ଝିଅ ଓ ୭ ବର୍ଷିୟ ପୁଅ ପ୍ରାଣ ହରାଇଛନ୍ତି। ଆଉ ୫ ଜଣ ଆହତ ହୋଇଛନ୍ତି। ଟ୍ରକ୍ ଧକ୍କାରେ ଅଟୋରିକସାଟି ଭାଙ୍ଗି ଚୁରମାର ହୋଇଯାଇଛି। ଆହତମାନଙ୍କୁ ଯାଜପୁର ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.