ଧର୍ମମାସ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ କରାଯାଇଥାଏ। ଏହି ବ୍ରତକୁ ଭୀଷ୍ମ ପଞ୍ଚକ ବ୍ରତ ମଧ୍ୟ କୁହାଯାଇଥାଏ। ମହାଭାରତରେ ଉଲ୍ଲେଖ ରହିଛି, ପିତାମହ ଭୀଷ୍ମ ଶରଶଯ୍ୟାରେ ଥିବା ବେଳେ ପଞ୍ଚୁ ପାଣ୍ଡବଙ୍କୁ ନୀତିଶିକ୍ଷା ଦେଇଥିଲେ। ଏହା ପରେ ଭୀଷ୍ମ ଏକ ପବିତ୍ର ସମୟରେ ଦେହତ୍ୟାଗ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସୂର୍ଯ୍ୟଙ୍କ ଉତ୍ତରାୟଣ ସମୟରେ ପ୍ରାଣତ୍ୟାଗ କଲେ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ପ୍ରଭୁ ଶ୍ରୀକୃଷ୍ଣ କହିଥିଲେ। ଏଣୁ ଭୀଷ୍ମ ଏହି ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ। ତେଣୁ ଏହାକୁ ଭୀଷ୍ମ ପଞ୍ଚକ ବ୍ରତ ଭାବରେ ସମସ୍ତେ ଜାଣିଥାନ୍ତି।
ଏହି ବ୍ରତ ପାଳନ କଲେ ୧ ହଜାର ଏକାଦଶୀ ବ୍ରତର ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ହିନ୍ଦୁଧର୍ମରେ କାର୍ତ୍ତିକ ମାସରେ ନାରୀମାନେ ବଡି ଭୋର୍ରୁ ଉଠି ସ୍ନାନ ସାରି ଚଉରା ମୂଳେ ମୁରୁଜ ପକାଇଥାନ୍ତି। ବୃନ୍ଦାବତୀଙ୍କୁ ପୂଜା କଲେ କୋଟିଜନ୍ମର ପୁଣ୍ୟଫଳ ମିଳେ ବୋଲି ପୁରାଣରେ ବର୍ଣ୍ଣିତ ଅଛି।
ପଞ୍ଚୁକ ମଳ ବା ଛଅ ଦିନ ହେଲେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କରାଯିବା ପରମ୍ପରା ରହିଛି।
କାର୍ତ୍ତିକ ଶୁକ୍ଳପକ୍ଷ ଦଶମୀ ଗୁରୁବାରରେ ପଡ଼ିଲେ, ତାକୁ ମହିଳାମାନେ ସୁଦଶା ବ୍ରତ ରୂପେ ପାଳନ କରନ୍ତି। ଏଥିରେ ଲକ୍ଷ୍ମୀଙ୍କ ପୂଜା କରାଯାଏ । ଏଥିରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଟି ମଣ୍ଡା ଓ ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ (ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲଣୀ, ଦୁର୍ଗତିନାଶିନୀ ଓ ବିଷ୍ଣୁ ପାଟରାଣୀ) ମନେପକାଇ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯାଏ। ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ଯାଏ ବ୍ୟବହାର କରାଯାଏ।
ପଞ୍ଚୁକ ପାଞ୍ଚ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି। କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ, ଦ୍ଵାଦଶୀରେ ବାଙ୍କଚୂଡ଼ା ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଠାକୁରଙ୍କ ରାଜରାଜେଶ୍ଵର ବେଶ, ସୁନାବେଶ ବା ରାଜବେଶ ଅନୁଷ୍ଠିତ ହୁଏ।
ସର୍ବୋପରି କହିବାକୁ ଗଲେ ଏହି ବ୍ରତ ଧାର୍ମିକ ଓ ସାମାଜିକ ବିଧି ବ୍ୟବସ୍ଥା ର ଏକ ସନ୍ତୁଳନ ଦ୍ୟୋତକ ପର୍ବ। ଯାହା ଆବାଳ ବୃଦ୍ଧବନିତା ଙ୍କୁ ଶାରୀରିକ ତଥା ମାନସିକ ଶାନ୍ତି ପ୍ରଦାନ କରିଥାଏ।
Comments are closed.