ପ୍ରଥମ ଟି୨୦ରେ ଭାରତର ଜବରଦସ୍ତ ବିଜୟ

ବିଶାଖାପଟନମ: କ୍ୟାପଟେନ୍ ଭାବେ ଡେବ୍ୟୁରେ ଭାରତକୁ ଜିତାଇଛନ୍ତି ସୂର୍ଯ୍ୟକୁମାର ଯାଦବ। ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଇନିଂସ୍ ବଳରେ ଭାରତ ପ୍ରଥମ ଟି୨୦ରେ ରେକର୍ଡ ରନ୍ ଚେଜ୍ କରି ଅଷ୍ଟ୍ରେଲିଆକୁ ୨ ୱିକେଟରେ ହରାଇଛି । ଅଷ୍ଟ୍ରେଲିଆ ପ୍ରଦତ୍ତ ୨୦୯ ରନର ବିଜୟଲକ୍ଷ୍ୟକୁ ଗୋଟିଏ ବଲ୍ ବାକିଥାଇ ହାସଲ କରିନେଇଥିଲା । ଅନ୍ତର୍ଜାତୀୟ ଟି-୨୦ରେ ଭାରତର ଏହା ସବୁଠୁ ବଡ଼ ରନ୍ ଚେଜ୍। ଏହା ପୂର୍ବରୁ ୨୦୧୩ରେ ଭାରତ ୨୦୨/୪ ରନ୍ ଚେଜ୍ କରି ବିଜୟୀ ହୋଇଥିଲା।

ଭାରତ ପକ୍ଷରୁ କ୍ୟାପଟେନ୍ ସୂର୍ଯ୍ୟକୁମାର ମାତ୍ର ୪୨ ବଲରେ ୯ଟି ଚୌକା ଓ ୪ଟି ଛକା ସହ ଧୂଆଁଧାର ୮୦ ରନ୍ କରିଥିଲେ। ସେ ତୃତୀୟ ଓ୍ବିକେଟ୍ ପାଇଁ ଇଶାନ କିଶନଙ୍କ ସହ ମିଶି ୧୧୨ ରନ୍ ଯୋଗ କରିଥିଲେ, ଯାହା ଟିମ୍ ଇଣ୍ଡିଆର ବିଜୟ ପାଇଁ ପଥ ସୁଗମ କରିଥିଲା । କିଶନ ୩୯ ବଲରେ ୨ଟି ଚୌକା ଓ ୫ଟି ଛକା ସହ ୫୮ ରନ୍ କରିଥିଲେ । ଶେଷ ଆଡକୁ ରିଙ୍କୁ ସିଂହ ଅପରାଜିତ ୨୨ ରନ୍ ସହ ଭାରତର ବିଜୟ ନିଶ୍ଚିତ କରିଥିଲେ । ଏହି ଜବରଦସ୍ତ ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।

ବିଶାଖାପାଟନମରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଅଷ୍ଟ୍ରେଲିଆ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୨୦ ଓଭରରେ ୩ ୱିକେଟ୍ ନେଇ ୨୦୮ ରନ୍ କରିଥିଲା। ଦଳ ପକ୍ଷରୁ ଜୋସ୍ ଇଂଲିଶ୍ ବିସ୍ଫୋରକ ଶତକ‌ ହାସଲ କରିଥିଲେ। ଇଂଲିଶ୍ ୫୦ ବଲରେ ୧୧ଟି ଚୌକା ଓ ୮ଟି ଛକା ସହ ୧୧୦ ରନର ଇନିଂସ ଖେଳିଥିଲେ। ଷ୍ଟିଭ୍ ସ୍ମିଥ୍ (୫୨) ଅର୍ଦ୍ଧଶତକ ହାସଲ କରିଥିଲେ।

Comments are closed.