କ୍ୟାବିନେଟ ବୈଠକରେ ୩ଟି ପ୍ରସ୍ତାବକୁ ମଞ୍ଜୁରୀ, ଓସ୍ୱାସ୍‌ର ହେବ ଉନ୍ନତିକରଣ

ଭୁବନେଶ୍ୱର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୩ଟି ପ୍ରସ୍ତାବରେ ମୋହର ବାଜିଛି । କ୍ୟାବିନେଟ ନିଷ୍ପତ୍ତି ନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଦେଇଛନ୍ତି ସୂଚନା । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୩ଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଓଡିଶା ଷ୍ଟେଟ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ ର ଉନ୍ନତିକରଣକୁ କ୍ୟାବିନେଟ ଅନୁମୋଦନ ମିଳିଛି । ସମଗ୍ର ଦେଶରେ ଡିଜିଟାଲ ୱାର୍କଫ୍ଲୋ ସିଷ୍ଟମର ଅନ୍ୟତମ ଶ୍ରେଷ୍ଠ ବ୍ୟବସ୍ଥା ଭାବରେ ଓସ୍ୱାସ୍‌ର ସ୍ୱତନ୍ତ୍ର ଖ୍ୟାତି ରହିଛି । ଏହି ଉନ୍ନତିକରଣ ପଦକ୍ଷେପ ୫-ଟି ଢାଞ୍ଚାରେ ଶାସନର ଦକ୍ଷତା ସ୍ତରକୁ ଆହୁରି ଉଚ୍ଚତର ସୋପାନକୁ ନେବା ସହିତ ନାଗରିକ ଅନୁକୂଳ ସ୍ୱଚ୍ଛ ବ୍ୟବସ୍ଥାକୁ ସୁନିଶ୍ଚିତ କରିବ ।

୧୯୬୨ ମସିହାରେ ପ୍ରତିଷ୍ଠା ହୋଇଥିବା ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅଧିକାଂଶ ଭିତ୍ତିଭୂମି ୫ ଦଶନ୍ଧି ପୁରୁଣା ହୋଇଥିବାରୁ ଏହାର ଜରୁରୀ ମରାମତି, ନବୀକରଣ ଓ ପୁନଃନିର୍ମାଣ ପାଇଁ ୨୦୨୩-୨୪ ରୁ ୨୦୨୭-୨୮, ପାଞ୍ଚ ବର୍ଷ ପାଇଁ ରାଜ୍ୟ କ୍ୟାବିନେଟ ୪୯୧.୪୧ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି । ଆଦିବାସୀ ଉପଦେଷ୍ଟା ପରିଷଦ ଦ୍ୱାରା ଗତ ଜୁଲାଇ ୧୧ ତାରିଖର ଅନୁମୋଦନ କରାଯାଇଥିବା ପ୍ରସ୍ତାବକୁ ଆଧାର କରି ଚଳିତମାସ ୧୪ ତାରିଖରେ ଓଡିଶା ଅନୁସୂଚିତ ଅଞ୍ଚଳରେ ସ୍ଥାବର ସମ୍ପତ୍ତି (ଅନୁସୂଚିତ ଜନଜାତି ଦ୍ୱାରା ) ହସ୍ତାନ୍ତର ଆଇନ, ୧୯୫୬ କୁ ସଂଶୋଧନ କରିବା ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଥିଲା। ଆଜିର ବୈଠକରେ ଉପରୋକ୍ତ ସଂଶୋଧନର ପୁନର୍ବିଚାର କରି କ୍ୟାବିନେଟ ଏ ବିଷୟରେ ଅଧିକ ତର୍ଜମା କରିବା ପାଇଁ ଆଦିବାସୀ ଉପଦେଷ୍ଟା ପରିଷଦକୁ ସୁପାରିଶ କରିଛନ୍ତି।

Comments are closed.