୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ଉତ୍ତରକାଶୀ ଟନେଲରେ ଫସି ରହିଥିବା ଓଡିଆ ଶ୍ରମିକଙ୍କ ପରିବାର ସଦସ୍ୟ , ରାଜ୍ୟ ସରକାର ଉତ୍ତରକାଶୀ ଯିବା ବ୍ୟବସ୍ଥା କଲେ

ଭୁବନେଶ୍ବର – ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟମାନେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟମାନଙ୍କୁ ରାଜ୍ୟ ସରକାର ଉତ୍ତରକାଶୀକୁ ନେବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ସେମାନେ ହେଲେ ନବରଙ୍ଗପୁର ଜିଲ୍ଲାର ଫୁଲଚାନ୍ଦ ଭତ୍ରା, ମୟୁରଭଂଜ ଜିଲ୍ଲାର ବିମଳା ନାୟକ, ଚିତ୍ତରଂଜନ ନାୟକ । ପୂର୍ବରୁ ଅନ୍ୟ ଦୁଇ ଶ୍ରମିକଙ୍କ ପରିବାର ଉତ୍ତରକାଶୀ ରେ ପହଂଚି ସାରିଛନ୍ତି ।
। ଏହାଦ୍ବାରା ଉଦ୍ଧାର ପରେ ଫସି ରହିଥିବା ଶ୍ରମିକମାନେ ସେମାନଙ୍କ ପରିବାରବର୍ଗଙ୍କୁ ଭେଟି ପାରିବେ । ।

ସୂଚନାଯୋଗ୍ୟ ଯେ, ଦୀର୍ଘ ୧୩ ଦିନ ଧରି ଉତ୍ତରକାଶୀର ଏକ ନିର୍ମାଣାଧୀନ ଟନେଲ ମଧ୍ୟରେ ୪୧ ଜଣ ଶ୍ରମିକ ଫସି ରହିଛନ୍ତି । ଏଥିରେ ଓଡିଶାର ୫ ଜଣ ଶ୍ରମିକ ରହିଛନ୍ତି । ଏହି ଶ୍ରମିକ ମାନେ ହେଲେ – ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା ଏବଂ ମୟୁରଭଂଜର ବିଶେଶ୍ବର ନାୟକ, ଧୀରେନ ନାୟକ ଓ ରାଜୁ ନାୟକ।

ଏହି ଶ୍ରମିକଙ୍କ ପରିବାର ସଦସ୍ୟ ୫-ଟି ଅଧ୍ୟକ୍ଷଙ୍କୁ ନବୀନ ନିବାସ ରେ ସାକ୍ଷାତ କରିଥିଲେ। ୫-ଟି ଅଧ୍ୟକ୍ଷ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଶ୍ରମିକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଜଣାଇଥିଲେ । ରାଜ୍ୟ ସରକାରଙ୍କ ଅଫିସର ଓ ସ୍ବତନ୍ତ୍ର ଟିମ୍‌ ଉଦ୍ଧାରସ୍ଥଳୀକୁ ଯାଇଛନ୍ତି ଏବଂ ଉଦ୍ଧାରକାରୀ ଦଳ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି। ଆମର ସବୁ ଶ୍ରମିକ ସୁରକ୍ଷିତ ଅଛନ୍ତି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଘଟଣା ସଂପର୍କରେ ସଂପୂର୍ଣ୍ଣ ଅବଗତ ଅଛନ୍ତି ଏବଂ ଶ୍ରମିକ ମାନଙ୍କ ନିରାପତ୍ତା ଓ ଉଦ୍ଧାର କାର୍ଯ୍ୟ ସଂପର୍କରେ ନିୟମିତ ଖବର ନେଉଛନ୍ତି ବୋଲି ସେ ପରିବାର ସଦସ୍ୟ ମାନଙ୍କୁ କହିଥିଲେ ।

ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି ଏବଂ ଖୁବ ଶୀଘ୍ର ସେମାନେ ପରିବାରକୁ ଫେରି ଆସିବେ ବୋଲି ୫-ଟି ଅଧ୍ୟକ୍ଷ ସେମାନଙ୍କୁ ଆଶ୍ବାସନା ଦେଇଥିଲେ ।

Comments are closed.