ଆଜି କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା, ଏହି ଦିନ ଭଗବାନ ରଚିଥିଲେ ମହାରାସ

ଆଜି ହେଉଛି କାର୍ତ୍ତିକ ମାସ ଶୁକ୍ଳପକ୍ଷର ପବିତ୍ର ପୂର୍ଣ୍ଣିମା ତିଥି।ଏହି ଦିନଟି କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ନାମରେ ପରିଚିତ ହୋଇଥିବା ବେଳେ ଏହା ତ୍ରିପୁରାରୀ ପୂର୍ଣ୍ଣିମା ବା ଦେବ ଦୀପାବଳି ନାମରେ ମଧ୍ୟ ଖ୍ୟାତ ଅଟେ। ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ମଧ୍ୟ ନିବିଡ ଭାବେ ସମ୍ପୃକ୍ତ।ଏହି ଦିନ ମହିଳାମାନେ ରାଇ ଦାମୋଦର ବ୍ରତ ଉଦଯାପନ କରିଥାନ୍ତି ଓ ବିଭିନ୍ନ ସ୍ଥାନରେ ରାସ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥାଏ।ଏହି ଦିବସଟିକୁ ସାରା ଦେଶରେ ହିନ୍ଦୁ,ଶିଖ୍ ଓ ଜୈନମାନେ ମହା ଆଡ଼ମ୍ବର ରେ ପାଳନ କରିଥାଆନ୍ତି। ବିଶେଷକରି ଓଡ଼ିଶାରେ ଏହି ଦିବସଟିକୁ ନିଆରା ଢଙ୍ଗରେ ପାଳନ କରାଯାଇଥାଏ।ହିନ୍ଦୁଧର୍ମରେ କାର୍ତ୍ତକ ପୂର୍ଣ୍ଣିମାର ବିଶେଷ ଗୁରୁତ୍ୱ ରହିଛି। ଆଜିର ଦିନରେ ଦାନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଅଛି।ମାନ୍ୟତା ଏହା ମଧ୍ୟ ରହିଛି ଯେ ଆଜିର ଦିନରେ ଭଗବାନ ଶିବ ରାକ୍ଷସ ତ୍ରିପୁରାସୁରକୁ ବଧ କରିଥଲେ ଯେଉଁଥିପାଇଁ ଏହାକୁ ତ୍ରିପୁରାରୀ ପୂର୍ଣ୍ଣିମା ବୋଲି କୁହାଯାଏ। ଅଧିକାଂଶ ଲୋକ ଏହି ପବିତ୍ର ଦିନରେ ଗଙ୍ଗାରେ ସ୍ନାନ କରିଥାନ୍ତି। ଏହି ଦିନ ମହିଳାମାନେ ରାଇଦାମୋଦର ବ୍ରତର ଉଦ୍ଯାପନ କରିଥାନ୍ତି। ବିଧବାମାନଙ୍କ ପକ୍ଷରେ ଏହି ମାସଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ ହବିଷ୍ୟ ପାଳନ ପୂର୍ବକ ପ୍ରତ୍ୟେହ ସନ୍ଧ୍ୟାରେ ଆକାଶଦୀପ ପ୍ରଜ୍ଜ୍ବଳନ କରିଥାନ୍ତି। ତୁଳସୀ ବୃକ୍ଷକୁ ଏହିମାସରେ ଅତ୍ୟନ୍ତ ଭକ୍ତି ସହକାରେ ଆରାଧନା କରାଯାଇଥାଏ। ପୌରାଣିକ ମତରେ ଏହିଦିନ ଭଗବାନ ଶ୍ରୀକୃଷ୍ଣ ଶ୍ରୀଧାମ ବୃନ୍ଦାବନରେ ମହରାସ ରଚନା କରିଥିଲେ।

କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଆବାଳ -ବୃଦ୍ଧ-ବନିତା,ରାତି ନ ପାହୁଣୁ ବିଛଣା ଛାଡି ଆଖପାଖ ନଦୀ, ନାଳ, ପୋଖରୀରେ ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଉତ୍ ଫୁଲ୍ଲିତ ଚିତ୍ତରେ ‘ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର’ ମାସକ ଧର୍ମ ମୋର ଗୀତ ଗାଇ ଡଙ୍ଗା ଭଷାଇ କାର୍ତ୍ତିକ ବ୍ରତକୁ ମେଲାଣି ଦେଇଥାନ୍ତି।

ପବିତ୍ର କାର୍ତ୍ତିକ ମାସର ବିଭିନ୍ନ ରୀତି ନୀତି ସହ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ସ୍ମୃତି ଉଜ୍ଜୀବିତ ହୋଇଥାଏ। ଦିନ ଥିଲା ଓଡ଼ିଆ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଆଉ ପରିପୁଷ୍ଟ କରିଥିଲେ ଏ ମାଟିର ଅର୍ଥନୀତିକୁ,ଏ ମାଟିର ସଂସ୍କୃତିକୁ, ସେଇ ସାଧବମାନଙ୍କର ସାହସ, ସଫଳତା ଓ ଗାରିମାର ସ୍ମୃତିରେ ଆଜିର ଏଇ ବୋଇତ ବନ୍ଦାଣ ଉତ୍ସବ।ସେଇ ନୌବାଣିଜ୍ୟ ଆଜି ଲୁପ୍ତ କିନ୍ତୁ ଛାଡ଼ିଯାଇଛି ମହାର୍ଘ ଇତିହାସ।

ଏହି ପୂର୍ଣ୍ଣିମା ଅବକାଶରେ ପ୍ରାଚୀନ ଉତ୍କଳର ରାଜଧାନୀ ଐତିହାସିକ କଟକନଗରୀ ଉପକଣ୍ଠସ୍ଥ ବାରବାଟୀ ଦୁର୍ଗ ନିକଟବର୍ତ୍ତୀ ପଡ଼ିଆରେ ଅନୁଷ୍ଠିତ ବାଲିଯାତ୍ରାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ସେହି ସ୍ମୃତିକୁ ମନେପକାଇ ଉପକୂଳ ଅଞ୍ଚଳରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ।ଏହି ସମୟକୁ ସାଧବମାନେ ବୋଇତରେ ବିଦେଶ ଯିବା ପାଇଁ ପ୍ରକୃଷ୍ଟ ସମୟ ବୋଲି ଭାବୁଥିଲେ। କାରଣ ଏହି ସମୟରେ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା। ଜଳପଥରେ ଯାଉଥିବାରୁ ମହାନଦୀ କୂଳରେ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଏହି ଯାତ୍ରା ଆରମ୍ଭ ହୋଇଥିଲା।

ଉଭୟ ଆଧ୍ୟାତ୍ମିକ ଓ ଐତିହାସିକ ଦିଗରୁ ଆଜିର ଦିନଟି ବେଶ୍ ଗୁରୁତ୍ବପୂର୍ଣ୍ଣ। ଆଜି ହବିଷ୍ୟଳି ମାନେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ରାଜରାଜେଶ୍ବର ବେଶରେ ଦର୍ଶନ କରିବା ସହ କାର୍ତ୍ତିକ ବ୍ରତ ସମାପନ କରିଥାଆନ୍ତି। କାର୍ତ୍ତିକ ପୂର୍ଣ୍ଣିମାର ଗୁରୁତ୍ବ ସାରା ଦେଶରେ ମଧ୍ୟ ରହିଛି। ଏହି ଦିନ ଲୋକେ ସୂର୍ଯ୍ୟୋଦୟ ପୂର୍ବରୁ ଗଙ୍ଗାସ୍ନାନ କରି ଭଗବାନ ବିଷ୍ଣୁଙ୍କ ଦର୍ଶନ କରିଥାନ୍ତି। ଏଥିପାଇଁ ଏହାକୁ ଗଙ୍ଗାସ୍ନାନ ପୂର୍ଣ୍ଣିମା କୁହାଯାଇଥାଏ।ପ୍ରତ୍ୟୁଷରୁ ବୁଡ଼ ପକାଇଲେ କୋଟି କୋଟି ପାପକ୍ଷୟ ହୋଇଥାଏ ବୋଲି କିମ୍ବଦନ୍ତୀ ରହିଅଛି।ଏହି ପବିତ୍ର ଦିନରେ ଶିଖ ଧର୍ମର ପଥପ୍ରଦର୍ଶକ ଗୁରୁ ନାନକ ଜନ୍ମ ଗ୍ରହଣ କରିଥିଲେ।ତାଙ୍କ ଜନ୍ମତିଥି ପାଳନ ପାଇଁ ଏହି ଦିବସଟି ଶିଖ୍ ଧର୍ମରେ ପ୍ରକାଶ ପର୍ବ ଭାବେ ପାଳିତ ହୋଇ ଆସୁଅଛି।କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସାରା ଦେଶ ବେଶ୍ ଚଳଚଞ୍ଚଳ ହୋଇଉଠେ।

Comments are closed.