ଆମେରିକାର ପୂର୍ବତନ ବୈଦେଶିକ ସଚିବ ହେନେରୀ କିସିଞ୍ଜରଙ୍କ ୧୦୦ ବର୍ଷ ବୟସରେ ଦେହାନ୍ତ, ଭାରତ ସହ ଥିଲା ବିବାଦୀୟ ସମ୍ପର୍କ

ନ୍ୟୁୟର୍କ: ଆମେରିକାର ପୂର୍ବତନ ବୈଦେଶିକ ସଚିବ ହେନେରୀ କିସିଞ୍ଜରଙ୍କ ୧୦୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ବୁଧବାର କନେକ୍ଟିକଟରେ ଥିବା ତାଙ୍କ ଘରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। କିସିଞ୍ଜର ତାଙ୍କ ସମୟର ଜଣେ ବଡ଼ କୂଟନୀତିଜ୍ଞ ଭାବେ ଗଣାଯାଉଥିଲେ। ସେ ଆନ୍ତର୍ଜାତୀୟ ବ୍ୟାପାର ଉପରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। କିସିଞ୍ଜର ପରିଣତ ବୟସର ମଧ୍ୟ ସକ୍ରିୟ ଥିଲେ। ସେ ହ୍ବାଇଟ୍ ହାଉସ୍ ବୈଠକରେ ଅଂଶଗ୍ରହଣ ଜାରି ରଖିଥିଲେ। ଜୁଲାଇ ୨୦୨୩ରେ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବା ପାଇଁ ବେଜିଂ ଗସ୍ତରେ ଯାଇଥିଲେ।

ହେନେରୀ କିସିଞ୍ଜର କିଏ?

ହେନେରୀ କିସିଞ୍ଜରଙ୍କ ଜନ୍ମ ୧୯୨୩ ମସିହାରେ ଜର୍ମାନୀରେ ହୋଇଥିଲା । ସେ ୧୯୩୮ରେ ଆମେରିକା ଆସିଥିଲେ | କିସିଞ୍ଜର ୧୯୪୩ରେ ଆମେରିକା ନାଗରିକତା ଗ୍ରହଣ କରିଥିଲେ ଏବଂ ତିନି ବର୍ଷ ପର୍ଯ୍ୟନ୍ତ ଆମେରିକୀୟ ସେନାରେ କାର୍ଯ୍ୟ ମଧ୍ୟ କରିଥିଲେ। ଏହାଛଡ଼ା ସେ କାଉଣ୍ଟର ଇଣ୍ଟେଲିଜେନ୍ସ କର୍ପସରେ ମଧ୍ୟ କାର୍ଯ୍ୟ କରିଥିଲେ। ସ୍ନାତକ, ମାଷ୍ଟର ଏବଂ ପିଏଚଡି ଡିଗ୍ରୀ ହାସଲ କରିବା ପରେ ସେ ହାର୍ଭାର୍ଡରେ ଆନ୍ତର୍ଜାତୀୟ ସମ୍ପର୍କ ବିଷୟରେ ଶିକ୍ଷାଦାନ କରିଥିଲେ। ୧୯୬୯ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ୍ ତାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତ କରିଥିଲେ। ଏହି ପଦ ତାଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା | ରିଚାର୍ଡ ନିକ୍ସନ୍ ସରକାରରେ ବିଦେଶ ସଚିବ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଥିଲେ କିସିଞ୍ଜର। ସେ ଏକାସଙ୍ଗେ ଏହି ଦୁଇଟି ପଦ ସମ୍ଭାଳିଥିଲେ | ଭିଏତନାମ ସହ ଶାନ୍ତି ଚୁକ୍ତିରେ ମଧ୍ୟ ହେନେରୀ କିସିଞ୍ଜରଙ୍କ ଭୂମିକା ଥିଲା। ସେ ଚଳିତ ବର୍ଷ ୨୭ ମଇରେ ତାଙ୍କର ୧୦୦ତମ ଜନ୍ମଦିନ ପାଳନ କରିଥିଲେ।

ହେନେରୀ କିସିଞ୍ଜରଙ୍କ ସହ ଅନେକ ବିବାଦ ମଧ୍ୟ ଜଡିତ ରହିଥିଲା । ବାଂଲାଦେଶ ସ୍ବାଧୀନତା ସଂଗ୍ରାମ ସମୟରେ ସେ ବାଂଲାଦେଶୀ ଲୋକଙ୍କ ନରସଂହାରରେ ପାକିସ୍ତାନକୁ ସମର୍ଥନ କରିଥିଲେ। ବାଂଲାଦେଶ ସ୍ବାଧୀନତାର ଏକ ମାସ ପୂର୍ବରୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆମେରିକା ରାଷ୍ଟ୍ରପତି ନିକ୍ସନ୍ ଓ କିସିଞ୍ଜରଙ୍କୁ ଭେଟିବାକୁ ଯାଇଥିଲେ। ଇନ୍ଦିରାଙ୍କ ସହ ବୈଠକ ପରେ ଉଭୟ ନିକ୍ସନ୍ ଏବଂ କିସିଞ୍ଜର ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅପମାନ ସୂଚକ ଶବ୍ଦ ପ୍ରୟୋଗ କରିଥିଲେ। ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ଟେପରେ ରେକର୍ଡ ହୋଇଥିଲା, ଯାହା ୨୦୨୦ରେ ସାର୍ବଜନୀନ କରାଯାଇଥିଲା | ୧୯୭୩ରେ କିସିଞ୍ଜରଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍ତର ଭିଏତନାମର ଲେ ଡୁ ଥୋଙ୍କ ସହ ମିଳିତ ଭାବେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

Comments are closed.