ଏକଜିଟ୍ ପୋଲ୍: ତେଲେଙ୍ଗାନା ଓ ଛତିଶଗଡରେ କଂଗ୍ରେସ; ରାଜସ୍ଥାନ, ମଧ୍ୟ ପ୍ରଦେଶରେ ବିଜେପିକୁ ସଂଖ୍ୟା ଗରିଷ୍ଠତା

ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମତଦାନ ମଙ୍ଗଳବାର ତେଲେଙ୍ଗାନା ନିର୍ବାଚନ ସହ ଶେଷ ହୋଇଛି । ଏହି ସମସ୍ତ ରାଜ୍ୟରେ କେଉଁ ଦଳ ସରକାର ଗଢ଼ିବ ତାହା ଡିସେମ୍ବର ୩ରେ ଜଣାପଡ଼ିବ । ତେବେ ତା’ପୂର୍ବରୁ ବିଭିନ୍ନ ସଂସ୍ଥା ତରଫରୁ କରାଯାଇଥିବା ଏକଜିଟ୍ ପୋଲ୍ (ନିର୍ବାଚନ ପରବର୍ତ୍ତୀ ସର୍ଭେ) ଫଳାଫଳ ଜାରି ହୋଇଛି । ଅଧିକାଂଶ ଏକଜିଟ୍ ପୋଲ୍ ରେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ହେବ ବୋଲି ଆକଳନ କରାଯାଇଛି। ତେଲେଙ୍ଗାନା ଏବଂ ଛତିଶଗଡରେ କଂଗ୍ରେସକୁ ଅଧିକ ଆସନ ମଳିପାରେ ।

ନଭେମ୍ବର ୭ ଓ ନଭେମ୍ବର ୧୭ରେ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ନଭେମ୍ବର ୧୭ରେ ମଧ୍ୟପ୍ରଦେଶ, ନଭେମ୍ବର ୨୫ରେ ରାଜସ୍ଥାନ ଏବଂ ନଭେମ୍ବର ୩୦ ଅର୍ଥାତ ଆଜି ତେଲେଙ୍ଗାନାରେ ଭୋଟ୍ ଗ୍ରହଣ ହୋଇଥିଲା। ନଭେମ୍ବର ୭ରେ ମିଜୋରାମରେ ପଡ଼ିଥିଲା ଭୋଟ୍। ଏହି ପାଞ୍ଚ ରାଜ୍ୟରେ ଭୋଟ୍ ଗଣତି ସହ ଫଳାଫଳ ଡିସେମ୍ବର ୩ରେ ପ୍ରକାଶ ପାଇବ ।

‘ଇଣ୍ଡିଆ ଟୁଡେ-ଆକ୍ସି ମାଇ ଇଣ୍ଡିଆ’ର ଏକଜିଟ୍ ପୋଲରେ ରାଜସ୍ଥାନରେ କଂଗ୍ରେସକୁ ଅଧିକ ଆସନ ମିଳିବ ବୋଲି ଆକଳନ କରାଯାଇଥିବା ବେଳେ ଅନ୍ୟ ସର୍ଭେ ଗୁଡ଼ିକରେ ବିଜେପି ଆଗରେ ରହିବ ବୋଲି କୁହାଯାଇଛି ।

‘ଟିଭି୯-ପୋଲଷ୍ଟ୍ରେଟ୍’ ର ଏକଜିଟ୍ ପୋଲ୍ ଅନୁଯାୟୀ ବିଜେପି ରାଜସ୍ଥାନରେ ୧୦୦ ରୁ ୧୧୦ଟି ସିଟ୍ ହାସଲ କରି ସରକାର ଗଠନ କରିପାରେ । ଶାସକ କଂଗ୍ରେସ ୯୦ ରୁ ୧୦୦ ସିଟ୍ ଭିତରେ ରହିବ। ରାଜସ୍ଥାନରେ ଅନ୍ୟ ଦଳମାନେ ପାଞ୍ଚରୁ ୧୫ଟି ଆସନ ପାଇବେ ବୋଲି ଏହି ସର୍ବେକ୍ଷଣରେ କୁହାଯାଇଛି ।

‘ଟାଇମ୍ସ ନାଓ-ଇଟିଜି’ର ଏକଜିଟ୍ ପୋଲ୍‌ ଅନୁସାରେ ବିଜେପି ରାଜସ୍ଥାନରେ ୧୦୮ ରୁ ୧୨୮ ଆସନ ହାସଲ କରି ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିପାରେ। କଂଗ୍ରେସକୁ ୫୬ ରୁ ୭୨ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ।

‘ଇଣ୍ଡିଆ ଟୁଡେ-ଆକ୍ସି ମାଇ ଇଣ୍ଡିଆ’ର ସର୍ଭେ ଅନୁଯାୟୀ ରାଜସ୍ଥାନରେ ୧୯୯ ଆସନ ମଧ୍ୟରୁ ଶାସକ କଂଗ୍ରେସ ୪୨ ପ୍ରତିଶତ ଭୋଟ୍ ସହିତ ୮୬ ରୁ ୧୦୬ ସିଟ୍ ପାଇବାକୁ ଥିବାବେଳେ ବିଜେପି ୪୧ ପ୍ରତିଶତ ଭୋଟ୍ ସହ ୮୦ ରୁ ୧୦୦ ଆସନ ପାଇବା ସମ୍ଭାବନା ରହିଛି।

ମଧ୍ୟ ପ୍ରଦେଶରେ ‘ନ୍ୟୁଜ୍ ୨୪-ଟୁଡେସ୍ ଚାଣକ୍ୟ’ ଏକଜିଟ୍ ପୋଲ୍ ମୁତାବକ, କଂଗ୍ରେସ ରାଜସ୍ଥାନରେ ୪୫ ପ୍ରତିଶତ ଭୋଟ୍ ସହିତ ୧୫୧ ଆସନ ଜିତିପାରେ । କିନ୍ତୁ ୩୮ ପ୍ରତିଶତ ଭୋଟ୍ ସହିତ ବିଜେପିକୁ ୭୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ ବୋଲି ଆକଳନ କରାଯାଇଛି।

”ଟିଭି୯-ପୋଲଷ୍ଟ୍ରେଟ୍’ ର ଏକଜିଟ୍ ପୋଲରେ ମଧ୍ୟପ୍ର‌ଦେଶରେ କଂଗ୍ରେସ ନିର୍ଣ୍ଣାୟକ ଜନାଦେଶ ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଏହି ଏକଜିଟ୍ ପୋଲ୍‌ ଅନୁଯାୟୀ, ୨୩୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୧୧୧-୧୨୧ ଟି ଆସନ ପାଇପାରେ । ବିଜେପି ୧୦୬-୧୧୬ ଆସନ ହାସଲ କରିବ ।

‘ଇଣ୍ଡିଆ ଟିଭି-ସିଏନ୍ଏକ୍ସ’ର ଏକଜିଟ୍ ପୋଲ୍ ମଧ୍ୟପ୍ରଦେଶରେ କଡ଼ା ଟକ୍କର ନେଇ ପୂର୍ବାନୁମାନ କରିଛି । କିନ୍ତୁ ବିଜେପି ଅଗ୍ରଣୀ ଥିବା ଦର୍ଶାଯାଇଛି। ବିଜେପି ୧୧୬ ଆସନ ଏବଂ କଂଗ୍ରେସ ୧୧୧ ସିଟ୍ ମିଳିପାରେ ବୋଲି କୁହାଯାଇଛି।

‘ରିପବ୍ଲିକ୍-ମ୍ୟାଟ୍ରିକ୍ସ’ର ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଛି ଯେ ମଧ୍ୟପ୍ରଦେଶରେ ବିଜେପି ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇବ। ବିଜେପି ୧୧୮-୧୩୦ ଆସନ ଜିତିପାରେ । କଂଗ୍ରେସ ୯୭ ରୁ ୧୦୭ ସିଟ୍ ପାଇପାରେ।

‘ନ୍ୟୁଜ୍ ୨୪-ଟୁଡେସ୍ ଚାଣକ୍ୟ’ ଏକଜିଟ୍ ସର୍ଭେ ଅନୁଯାୟୀ କଂଗ୍ରେସ ଛତିଶଗଡରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବା ସମ୍ଭାବନା ରହିଛି। ଏହି ସର୍ଭେ ତଥ୍ୟ ଅନୁଯାୟୀ କଂଗ୍ରେସ ୫୭ ସିଟ୍ ପାଇବାକୁ ଥିବାବେଳେ ବିଜେପିକୁ ୩୩ଟି ସିଟ୍ ମିଳିବ।

‘ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆ’ର ଏକଜିଟ୍ ପୋଲ୍ ଅନୁଯାୟୀ ଛତିଶଗଡର ୯୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୪୨% ଭୋଟ୍ ସହିତ ୪୦ ରୁ ୫୦ ଆସନ ଜିତିପାରେ । ଅନ୍ୟପକ୍ଷରେ ବିଜେପି ୪୧% ଭୋଟ୍ ସହିତ ୩୬ ରୁ ୪୬ ଟି ଆସନରେ ବିଜୟୀ ହୋଇପାରେ।

‘ଏବିପି-ସି ଭୋଟର’ର ସର୍ଭେରେ କୁହାଯାଇଛି, ଛତିଶଗଡରେ କଂଗ୍ରେସ ୪୧ ରୁ ୫୩ ଓ ବିଜେପି ୩୬ ରୁ ୪୮ଟି ସିଟ୍ ପାଇପାରେ।

‘ଜନ କି ବାତ୍’ ଏକଜିଟ୍ ପୋଲ୍‌ ଆକଳନରେ ଛତିଶଗଡରେ କଂଗ୍ରେସ ୪୨ ରୁ ୫୩ ଆସନ ପାଇବ।

ଅଧିକାଂଶ ଏକଜିଟ୍ ପୋଲ୍‌ ତେଲେଙ୍ଗାନାରେ କଂଗ୍ରେସକୁ ଅଧିକ ଆସନ ମିଳିବ ବୋଲି କହିଛନ୍ତି । ‘ଇଣ୍ଡିଆ ଟିଭି-ସିଏନ୍ଏକ୍ସ’ର ଏକଜିଟ୍ ପୋଲ୍ ଅନୁଯାୟୀ, ତେଲେଙ୍ଗାନାର ୧୧୯ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୬୩-୭୯ ଆସନ ପାଇ ସରକାର ଗଠନ କରିପାରେ। ଭାରତ ରାଷ୍ଟ୍ର ସମିତି (ବିଆରଏସ୍ ) ୩୧-୪୭ ସିଟ୍ ଓ ଏଆଇଏମ୍ଏମ ୫-୭ ଆସନ ପାଇପାରନ୍ତି । ବିଜେପି ୨-୪ ଆସନରେ ସୀମିତ ରହିପାରେ |

‘ଟିଭି୯-ପୋଲଷ୍ଟ୍ରେଟ୍’ ର ସର୍ଭେରେ କୁହାଯାଇଛି ଯେ ତେଲେଙ୍ଗାନାରେ କଂଗ୍ରେସ ୪୯-୫୯ ଟି ଆସନ ପାଇବ । ବିଆରଏସକୁ ୪୮ ରୁ ୫୮ ଆସନ ମିଳିବ ବୋଲି ଆକଳନ କରାଯାଇଛି | ବିଜେପି ୫ ରୁ ୧୦ ଏବଂ ଏଆଇଏମ୍ଏମ ୬ରୁ ୮ ସିଟ୍ ଜିତିପାରେ |

‘ରିପବ୍ଲିକ୍ ଟିଭି-ମ୍ୟାଟ୍ରିକ୍ସ’ ଅନୁଯାୟୀ କଂଗ୍ରେସ ୫୮ ରୁ ୬୮ ପାଇ ତେଲେଙ୍ଗାନାରେ କ୍ଷମତାକୁ ଫେରିବ । ବିଆରଏସ୍ ୪୬ ରୁ ୫୬ ସିଟ୍ ଜିତିପାରେ। ବିଜେପିକୁ ୪-୯ ଆସନ ଏବଂ ଏଆଇଏମ୍ଏମ ୬-୮ ସିଟ୍ ପାଇବେ ବୋଲି ପୂର୍ବାନୁମାନ କରାଯାଇଛି।

ଅନ୍ୟପକ୍ଷରେ ମିଜୋରାମରେ ଝୁଲା ବିଧାନସଭା ନେଇ ଅଧିକାଂଶ ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଛନ୍ତି | ‘ଇଣ୍ଡିଆ ଟିଭି-ସିଏନ୍ଏକ୍ସ’ ଦ୍ୱାରା କରାଯାଇଥିବା ସର୍ଭେରେ କୁହାଯାଇଛି ଯେ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମ୍ଏନ୍ଏଫ୍) ୪୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୪ ରୁ ୧୮ଟି ଆସନ ପାଇପାରେ ଏବଂ ସର୍ବବୃହତ୍ ଦଳ ଭାବେ ଉଭା ହୋଇପାରେ। ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେପିଏମ) ୧୨-୧୬ଟି ଆସନ ହାସଲ କରିପାରେ । କଂଗ୍ରେସ ୮ରୁ ୧୦ ଏବଂ ବିଜେପି ଦୁଇଟି ଆସନରେ ସୀମିତ ରହିପାରନ୍ତି।

Comments are closed.