ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା: ୬ରେ କୋଲକାତା-କାମାକ୍ଷା ତୀର୍ଥ ଯାତ୍ରା ଯିବେ ୯୭୦ ବ୍ୟକ୍ତି

ସମ୍ବଲପୁର: ଓଡିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ନିମନ୍ତେ ଚଳିତ ଡିସେମ୍ବର ୬ ତାରିଖ ରୁ ୧୧ଡିସେମ୍ବର ମଧ୍ୟରେ ସମ୍ବଲପୁର, ବରଗଡ, ଦେଓଗଡ, ଝାରସୁଗୁଡା, ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର ଏବଂ ଅନୁଗୁଳ ଜିଲ୍ଲାରୁ ଚୟନ ହେଇଥିବା ୯୭୦ ଜଣ ବରିଷ୍ଠ ନାଗରିକ ଯାତ୍ରା କରିବେ। ପୂର୍ବ ନିର୍ଦ୍ଧାରିତ ଅନୁସାରେ ସାଥିରେ ୩୦ଜଣ ଏସ୍କଟ ଅଫିସର ଙ୍କୁ ସହିତ ମୋଟ ୧୦୦୦ ଜଣ ଯାତ୍ରୀଙ୍କୁ ନେଇ କୋଲକାତା-କାମାକ୍ଷାକୁ ଏକ ସ୍ଵତନ୍ତ୍ର ଟ୍ରେନ ଯାତ୍ରା କରିବ। ଏହି ଯାତ୍ରାକୁ ସୂଚାରୁ ରୂପେ ଆୟୋଜନ କରିବା ପାଇଁ ଗତକାଲି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଅନନ୍ୟା ଦାସ ଙ୍କ ଅଧ୍ୟକ୍ଷତା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ମହାନଗର ନିଗମ କମିସନର ବେଦଭୂଷଣ,ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ,ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଏବଂ ଅଜାମ୍ବର ମହାନ୍ତି, ସଦର ଉପଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା, ସୂଚ, ଡିଏସପି ଡିଆଇବି ଜେମସ ସମଦ, ଓଏସଡି ପର୍ଯ୍ୟଟନ ହେମନ୍ତ କୁମାର ପ୍ରଧାନ,ଆଞ୍ଚଳିକ ପରିଵହନ ଅଧିକାରୀ ରାମଦାସ ଟୁଡୁ,ଜିଲ୍ଳା ମଙ୍ଗଳ ଅଧିକାରୀ ଭାଗିରଥି ପଟେଲ, , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ସମେତ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ମନୋନୀତ ବରିଷ୍ଠ ନାଗରିକ ମାନେ ସ୍ୱତନ୍ତ୍ର ବସ ଯୋଗେ ନିଜ ନିଜ ଜିଲ୍ଲାରୁ ସମ୍ବଲପୁର ଆସିବେ ଓ ସେଠାରୁ ଟ୍ରେନ ଯୋଗେ ଯାତ୍ରା କରିବେ। ଏଥିପାଇଁ ବସ ବ୍ୟବସ୍ଥା, ସମ୍ବଲପୁର ରେ ସେମାନଙ୍କ ପାଇଁ ଅସ୍ଥାୟୀ ରହଣି, ଖାଦ୍ୟପେୟ ବ୍ୟବସ୍ଥା, ପହଂଚିବା ପରେ ପଞ୍ଜିକରଣ, ଆଇନ ଶୃଙ୍ଖଳା ବ୍ୟବସ୍ଥା ପାଇଁ ପୋଲିସ ମୁତୟନ ବ୍ୟବସ୍ଥା, ଯାତ୍ରା ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ସମେତ ସମେତ ଯାତ୍ରା ସମୟରୁ ଆରମ୍ଭ କରି ଯାତ୍ରରୁ ଫେରି ଘରେ ପହଂଚିବା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସୁବିଧା କରାଯିବା ପ୍ରତି ଦୁଷ୍ଟି ଦେବାକୁ ଜିଲ୍ଲାପାଳ ଅଧିକାରୀଙ୍କ ସହିତ ବିଶଦ ଭାବେ ଆଲୋଚନା କରିଥିଲେ। ସୂଚନା ଯେ ଏହି ଯାତ୍ରା ପାଇଁ ସମ୍ବଲପୁର ଜିଲ୍ଲାରୁ ୧୧୨ ଜଣ, ବରଗଡ଼ ରୁ ୧୫୯, ଦେଓଗଡ଼ ରୁ ୩୩, ଝାରସୁଗୁଡା ରୁ ୬୨, ସୁନ୍ଦରଗଡ଼ରୁ ୨୨୫ ବଲାଙ୍ଗୀର ରୁ ୧୭୭ ସୁବର୍ଣ୍ଣପୁର ରୁ ୬୫ଏବଂ ଅନୁଗୁଳ ରୁ ୧୩୭ ଜଣ ବରିଷ୍ଠ ନାଗରିକ ଯାତ୍ରା କରିବେ। ଅନ୍ୟ ଜିଲ୍ଲା ଏବଂ ସମ୍ବଲପୁର ରୁ ଆସୁଥିବା ସମସ୍ତ ବିରିଷ୍ଠ ନାଗରିକ ନିମନ୍ତେ ସ୍ୱୟଂସିଦ୍ଧା ୱାକିଂ ମହିଳା ହଷ୍ଟେଲ, ସମ୍ବଲପୁର ଦରବାର , ପାନ୍ଥନିବାସ, ମାରୱାଡି ଧର୍ମଶାଳା ଏବଂ ପର୍ଶୁରାମ ଭଵନ ଠାରେ ଅସ୍ଥାୟୀ ରହଣି ର ବ୍ୟବସ୍ଥା କରାଯାଇଛି।

Comments are closed.