ଅଲିଭ୍‌ ରିଡଲେଙ୍କ ସୁରକ୍ଷା: ୫୦ ଜୋନରେ ନିୟୋଜିତ ହେବେ ଟିମ୍

ବ୍ରହ୍ମପୁର: ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡଲେଙ୍କ ଆଗମନ ସମୟ ଉପନୀତ। ଶୀଘ୍ର ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ନିକଟ ବଙ୍ଗୋପସାଗରର ଜଳରାଶିରେ କଇଁଛଙ୍କ ମିଳନ ପର୍ବ ଓ ତାପରେ ଉପକୂଳର ବାଲୁକା ଶଯ୍ୟାରେ ସାମୂହିକ ଅଣ୍ଡାଦାନ ଦୃଶ୍ୟ ଦେଖିବାକୁ ମିଳିବେ। ତେବେ ଏହି ଆଗନ୍ତୁକ ଅତିଥିମାନଙ୍କ ସୁରକ୍ଷା ସକାଶେ ବନ ବିଭାଗ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ଗଣ ଅଣ୍ଡାଦାନ ସ୍ଥଳୀ ଅର୍ଥାତ୍ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପୋଡ଼ମପେଟା ଠାରୁ ପୁରୁଣାବନ୍ଧ ପର୍ଯ୍ୟନ୍ତ ଅଞ୍ଚଳକୁ ମୋଟ ୫୦ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଜୋନରେ ପାଞ୍ଚ ଜଣିଆ ଟିମ୍‌ କଇଁଛ ଓ ତାର ଅଣ୍ତାର ସୁରକ୍ଷା ପାଇଁ ନିୟୋଜିତ ହେବେ। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ଯ ଗଣ ଅଣ୍ଡାଦାନ ଅଞ୍ଚଳରେ ଏକ କିଲୋମିଟର ବ୍ୟାପୀ ଜିଆଇ ତାର ସୁରକ୍ଷା ବାଡ଼ ନିର୍ମାଣ କରାଯିବ। ଗତବର୍ଷ ରେକର୍ଡ ତୁଳନାରେ ଅଧିକ ସଂଖ୍ୟକ ଚଳିତ ବର୍ଷ ଅଲିଭ୍‌ ରିଡ୍‌ଲେ ଅଣ୍ଡାଦାନ କରିବେ ବୋଲି ଆଶା କରାଯାଉଛି।

ଅଲିଭ୍ ରିଡଲେଙ୍କ ଆଗମନ ପୂର୍ବରୁ ବେଳାଭୂମି ସଫେଇ ଠାରୁ ଆରମ୍ଭ କରି ସମୁଦ୍ର ତଟରେ ଜଗି ରହିବା, ସମୁଦ୍ର ଜଳରେ ପାଟ୍ରୋଲିଂ ଆଦି ବ୍ୟବସ୍ଥା କରିଛି ବନବିଭାଗ। ତଥାପି ଆନ୍ତଃବିଭାଗ ସମନ୍ନୟ ଉପରେ ଗୁରୁତ୍ୱ ଦେଇ ବନ ଓ ମତ୍ସ୍ୟ ବିଭାଗ, ତଟରକ୍ଷୀ ବାହିନୀ ଆଦି ମିଳିତ ଉଦ୍ୟମରେ ଏହି କାର୍ଯ୍ୟକୁ ସୂଚାରୁରୂପେ ନିର୍ବାହ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି। ବ୍ରହ୍ମପୁର ଡିଏଫଓ ସନି ଖୋକରଙ୍କ ତତ୍ତ୍ଵାବଧାନରେ ବ୍ରହ୍ମପୁର ଠାରେ ଏକ ବୈଠକ ହୋଇ ଏ ବାବଦରେ ଆଲୋଚନା କରାଯାଇଛି। ପୋଡ଼ମପେଟା ଠାରୁ ପୁରୁଣାବନ୍ଧ ପର୍ଯ୍ୟନ୍ତ ଦୀର୍ଘ ୫ କିଲୋମିଟର ବେଳାଭୂମି ଉପରେ ଫୋକସ୍ କରାଯାଉଛି। ଚଳିତ ଥର ମଧ୍ଯ ଆନ୍ତଃବିଭାଗ ସମନ୍ଵୟ ଓ ସହଯୋଗ ଜାରି ରଖୁବାକୁ ଆରସିସିଏଫ୍‌ ସଞ୍ଜୟ ସ୍ଵାଇଁ କହିଥିଲେ।

Comments are closed.