କିଏ ଜିତିବ ସେମିଫାଇନାଲ? ଆଜି ଆସିବ ଚାରି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ଦେଶରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୬ ମାସରୁ କମ୍ ସମୟ ରହିଛି । ଏଭଳି ସ୍ଥିତିରେ ଏହି ଚାରି ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିଫାଇନାଲ ଭାବେ ବିବେଚନା କରାଯାଉଛି । ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ କ୍ଷମତାରେ ଥିବାବେଳେ ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସରକାର ଅଛି। ଏହି ୩ଟି ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେଉଥିବା ବେଳେ ତେଲେଙ୍ଗାନାରେ କେ.ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ‘ହ୍ୟାଟ୍ରିକ୍’ କରିବାକୁ ଆଶା ରଖିଛି।

ଅଧିକାଂଶ ଏକଜିଟ୍ ପୋଲ୍ (ନିର୍ବାଚନ ପରବର୍ତ୍ତୀ ସର୍ଭେ) ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତାକୁ ଫେରିବ ବୋଲି ଆକଳନ କରିଛନ୍ତି । ରାଜସ୍ଥାନରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ତେଲେଙ୍ଗାନା ଓ ଛତିଶଗଡରେ କଂଗ୍ରେସ ବାଜିମାତ କରିବ ବୋଲି ପୂର୍ବାନୁମାନ କରାଯାଇଛି। ମଧ୍ୟପ୍ରଦେଶର ୨୩୦ଟି ଆସନ, ଛତିଶଗଡରେ ୯୦, ତେଲେଙ୍ଗାନାରେ ୧୧୯ ଏବଂ ରାଜସ୍ଥାନରେ ୧୯୯ଟି ଆସନ ପାଇଁ କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ରାଜସ୍ଥାନର ଏକ ବିଧାନସଭା ଆସନରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା।

ଭୋଟ୍ ଗଣତି ପାଇଁ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେବଳ ବୈଧ ପାସ୍ ଥିବା ଲୋକଙ୍କୁ ଗଣତି କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ମେ ମାସରେ କର୍ଣ୍ଣାଟକରେ ବିଜେପିକୁ କ୍ଷମତାରୁ ହଟାଇବା ପରେ କଂଗ୍ରେସର ନଜର ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନା ଉପରେ ରହିଛି । ଏହାଛଡ଼ା ଦଳ ରାଜସ୍ଥାନ ଏବଂ ଛତିଶଗଡରେ କ୍ଷମତା ବଜାୟ ରଖିବାକୁ ଆଶା ରଖିଛି।

ଏହି ଚାରି ରାଜ୍ୟର ନିର୍ବାଚନରେ ପ୍ରଭାବଶାଳୀ ପ୍ରଦର୍ଶନ ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ’ (ଇଣ୍ଡିଆ) ରେ କଂଗ୍ରେସର ସ୍ଥିତିକୁ ମଜଭୁତ କରିବ । ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପିର ମୁକାବିଲା କରିବାକୁ ‘ଇଣ୍ଡିଆ’ ମିଳିତ ମଞ୍ଚ ଗଠନ କରାଯାଇଛି। ମଧ୍ୟପ୍ରଦେଶରେ ଗୁଜରାଟ ବିଜୟ ଧାରାର ପୁନରାବୃତ୍ତି କରିବାକୁ ବିଜେପି ଆଶାବାଦୀ ରହିଛି। ୧୯୯୯ରୁ ଗୁଜରାଟରେ ଶାସନ କରୁଛି ବିଜେପି । ଚାରିଥର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୁଣିଥରେ ମଧ୍ୟପ୍ରଦେଶରେ ନିଜ ସରକାର ଗଠନ କରିବେ ବୋଲି ଆଶା ରଖିଛନ୍ତି।

ରାଜସ୍ଥାନ ଏବଂ ଛତିଶଗଡରେ ମଧ୍ୟ କ୍ଷମତାକୁ ଫେରିବା ଆଶା ରଖିଛି ବିଜେପି । ଦଳ ଲୋକସଭା ନିର୍ବାଚନ ପୂର୍ବରୁ ହିନ୍ଦୀ ଭାଷୀ ରାଜ୍ୟ ଗୁଡ଼ିକରେ ପୁଣି ନିଜର ପ୍ରଭାବ ଜାହିର କରିବାକୁ ଚାହୁଁଛି।

ଅନ୍ୟପକ୍ଷରେ ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ ।

Comments are closed.