ଆଜି ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ : ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା, ୫ ଜିଲ୍ଲାରେ ଓଡ୍ରାଫ ମୁତୟନ

ଭୁବନେଶ୍ୱର- ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ । ଭୀଷଣ ବାତ୍ୟା ରୂପରେ ଆନ୍ଧ୍ର ପ୍ରଦେଶର ମଛଲିପଟନମ ଓ ନେଲୋର ମଧ୍ୟରେ ବାପଟାଲାରେ ଲ୍ୟାଣ୍ଡଫଲ କରିବ ମିଗଜୋମ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାକୁ ସର୍ବାଧିକ ୧୧୦ କିଲୋମିଟର ରହିବା ସମ୍ଭାବନା ରହିଛି ।

ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲା ଗୁଡ଼ିକରେ ୭୦ ରୁ ୨୦୦ ମିଲିମିଟର ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବ । ସମ୍ଭାବ୍ୟ ସ୍ଥିତିକୁ ନଜରରେ ରଖି ୫ ଜିଲ୍ଲାରେ ଓଡ୍ରାଫ ଟିମ୍ ମୁତୟନ କରାଯାଇଛି । ଅତିରିକ୍ତ ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି । ବିଭିନ୍ନ ବିଭାଗ ସହ ଏସଆରସି ଜରୁରୀ ବୈଠକ କରିବା ସହ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦ ହଜାର ମାଛଧରା ଡଙ୍ଗା କୂଳକୁ ଆସିଛି ।ଆଉ କୌଣସି ମତ୍ସଜୀବୀଙ୍କ ଡଙ୍ଗା ସମୁଦ୍ରରେ ନାହିଁ । ବାତ୍ୟା ମିଗଜୋମ୍ ଉପରେ ଏସଆରସି କାର୍ଯ୍ୟାଳୟ ନଜର ରଖିଛି । ପ୍ରବଳ ବର୍ଷାରେ ଧାନ ଓ ପରିବା ଫସଲ ନଷ୍ଟ ହେବା ଆଶଙ୍କା ରହିଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ବର୍ଷାକୁ ଆଖି ଆଗରେ ରଖି ଯୋଗାଣ ବିଭାଗ ବି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।ସବୁ ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ ଜାରି କରିଛି ପାଣିପାଗ କେନ୍ଦ୍ର।

Comments are closed.