ବରିଷ୍ଠ ନାଗରିକ ତୀର୍ଥଯାତ୍ରା-କୋଲକାତା- କାମାକ୍ଷା ଅଭିମୁଖେ ଗଲେ ବରିଷ୍ଠ ନାଗରିକ 

ସମ୍ବଲପୁର : ଆଜି ସମ୍ବଲପୁର ରେଳ ଷ୍ଟେସନରୁ କୋଲକାତା- କାମାକ୍ଷା ମନ୍ଦିର ଅଭିମୁଖେ ବାହାରିଛନ୍ତି ପଶ୍ଚିମ ଓଡିଶାର ୮ଟି ଜିଲ୍ଲାର ୯୭୦ ବରିଷ୍ଠ ନାଗରିକ। ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ବାହାରିଥିବା ଏହି ନାଗରିକଙ୍କୁ ଆଜି ଷ୍ଟେସନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଆରଡିସିସ ଡକ୍ଟର ସୁରେଶ ଚନ୍ଦ୍ର ଦଳେଇଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ସମ୍ବଲପୁର ମହାନଗର ନିଗମ କମିଶନର, ରେଢାଖୋଲ ବିଧାୟକ ରୋହିତ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତ। ଯୋଗେ ସମସ୍ତ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଦଳରେ ୩୦ ଜଣ ଅଫିସିଆଲ ମିଶି ମୋଟ୍ ହଜାରେ ଜଣ ସାମିଲ ହୋଇଛନ୍ତି। ସପ୍ତାହ ବ୍ୟାପି ଏହି ଯାତ୍ରା ପାଇଁ ସବୁ ତୀର୍ଥଯାତ୍ରୀଙ୍କୁ ଏକ ଜରୁରୀ କିଟ ପ୍ରଦାନ କରାଯାଇଛି। ତେବେ, ଏଥିରେ ସାମିଲ ତୀର୍ଥଯାତ୍ରୀ ଗତକାଲି ଠାରୁ ସମ୍ବଲପୁରକୁ ସରକାରୀ ବ୍ୟବସ୍ଥାରେ ପହଞ୍ଚିଥିବା ବେଳେ ସେମାନଙ୍କ ରହିବା, ଖାଇବା ଆଦି ସମସ୍ତ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିଲା। ସେହିପରି ଏହି ଦଳ ଫେରିବା ପର୍ଯ୍ୟନ୍ତ ଏମାନଙ୍କ ସମସ୍ତ ଦାୟିତ୍ବ ସରକାର ବୁଝିବେ ବୋଲି ଜଣାପଡିଛି। ଆଜି ଏହି ତୀର୍ଥଯାତ୍ରୀମାନେ ଏଭଳି ସୁବିଧା ପାଇଁ ସରକାରଙ୍କୁ ସାଧୁବାଦ ଦେବା ସହ ଅପୂର୍ବ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।

Comments are closed.