ଏସଭିକେଏମ୍’ଏସ୍- ଏନଏମଆଇଏମଏସ ବିଶ୍ୱବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର – ଖୋର୍ଦ୍ଧା ଇନଫୋ ଭ୍ୟାଲିରେ ପ୍ରତିଷ୍ଠା କରାଯିବ ଅନ୍ତର୍ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟ । ଆଜି ଏସଭିକେଏମ୍’ ଏସ୍- ଏନଏମଆଇଏମଏସ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ, ଯୁବ ଗୋଷ୍ଠୀ ଆମ ଶକ୍ତି ଏବଂ ଭବିଷ୍ୟତ । ନିର୍ମାଣ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ମାନର ଶିକ୍ଷା କ୍ୟାମ୍ପସ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୁମିକା ତୁଲାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଶ୍ରୀ ଭିଲେପାର୍ଲେ କେଲବାଣୀ ମଣ୍ଡଳ (ଏସ୍‌‌ଭିକେଏମ୍‌‌) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏ ସମ୍ପର୍କିତ ପ୍ରସ୍ତାବକୁ ପୂର୍ବରୁ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଥିଲା। ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଗଉଡ଼କାଶିପୁର ଗ୍ରାମରେ ୪୦ଏକର ଜମି ଯୋଗାଇଦେଇଛନ୍ତି। ଏଥିସହ ରାଜ୍ୟ ସରକାର ଆବଶ୍ୟକ ସହଯୋଗ ପ୍ରଦାନ କରିବେ ସରକାର। ଏହି କ୍ୟାମ୍ପସ୍‌‌ରେ ଦକ୍ଷତା ଅନୁସାରେ ୩୦ ପ୍ରତିଶତ ସିଟ୍ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ । ପର୍ଯ୍ୟାୟକ୍ରମେ ଏସ୍‌‌ଭିକେଏମ୍‌‌ ଏହି କ୍ୟାମ୍ପସ୍‌‌ର ସମ୍ପ୍ରସାରଣ କରିବ। ଓଡ଼ିଶାରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ସହ ଉତ୍କର୍ଷତା ପ୍ରଦାନ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାକୁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।

Comments are closed.