ଲୋକସଭାରୁ ବହିଷ୍କୃତ ପରେ ମହୁଆଙ୍କ ପ୍ରତିକ୍ରିୟା, କହିଲେ ଆଦାନୀଙ୍କୁ ବଞ୍ଚାଇବା ପାଇଁ ସରକାର ସବୁ କିଛି କରିପାରିବେ

ନୂଆଦିଲ୍ଲୀ: ଲୋକସଭାରୁ ବହିଷ୍କୃତ ହେବା ପରେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମଇତ୍ର ବିଜେପି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ତାଙ୍କୁ ବହିଷ୍କାର ପାଇଁ ସୁପାରିଶ କରିବାକୁ ଏଥିକ୍ସ କମିଟିର କୌଣସି ଅଧିକାର ନାହିଁ। ଆଦାନୀ ଗ୍ରୁପ ବିରୋଧରେ ପ୍ରଶ୍ନ ପଚାରିବା ପାଇଁ ତାଙ୍କୁ ଦଣ୍ଡ ମିଳିଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ଏହି କଙ୍ଗାରୁ କୋର୍ଟରେ ଯାହା ଘଟିଛି ସେଥିରୁ ସ୍ପଷ୍ଟ ଯେ ଆଦାନୀଙ୍କୁ ବଞ୍ଚାଇବା ପାଇଁ ମୋଦୀ ସରକାର ସବୁ କିଛି କରିପାରିବେ।

ମହୁଆ ମଇତ୍ର କହିଛନ୍ତି, ମୋର ବୟସ ୪୯ ବର୍ଷ । ମୁଁ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ସଂସଦ ଭିତରେ ଓ ବାହାରେ ତୁମ (ବିଜେପି) ବିରୋଧରେ ଲଢ଼ିବା ଜାରି ରଖିବି ।

‘ପ୍ରଶ୍ନ ପାଇଁ ଟଙ୍କା’ ମାମଲାରେ ମହୁଆ ମଇତ୍ରଙ୍କୁ ଶୁକ୍ରବାର ଲୋକସଭାରୁ ବହିଷ୍କାର କରାଯାଇଥିଲା। ଏନେଇ ସଂସଦର ଏଥିକ୍ସ କମିଟିର ସୁପାରିଶ ଲୋକସଭାରେ ବାଚନିକ ଭୋଟ୍ ଦ୍ବାରା ଗୃହୀତ ହୋଇଛି।

ଏଥିକ୍ସ କମିଟି ଏହାର ରିପୋର୍ଟରେ ମହୁଆ ମଇତ୍ରଙ୍କୁ ଲୋକସଭାରୁ ବହିଷ୍କାର କରିବାକୁ ସୁପାରିଶ କରିଥିଲା । ଲୋକସଭା ବାଚସ୍ପତି କହିଛନ୍ତି ଯେ କମିଟିର ସୁପାରିଶରେ ଗୃହ ସହମତ ହୋଇଛି।

ସଂସଦରୁ ବହିଷ୍କୃତ ହେବା ପରେ ମହୁଆ ମଇତ୍ର କହିଛନ୍ତି, “ଯଦି ଏହି ମୋଦୀ ସରକାର ଭାବୁଛନ୍ତି ଯେ ମୋତେ ଚୁପ୍ କରି ସେମାନେ ଆଦାନୀ ପ୍ରସଙ୍ଗରୁ ମୁକୁଳି ଯିବେ, ତେବେ ମୁଁ ଆପଣଙ୍କୁ କହିବି ଯେ ଏହି କଙ୍ଗାରୁ କୋର୍ଟର ତରବରିଆ ପ୍ରକ୍ରିୟାରୁ ସମଗ୍ର ଦେଶକୁ ଏହା ସ୍ପଷ୍ଟ ଯେ ଆଦାନୀ ବିଜେପି ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ | ଏବଂ ଆପଣ ଜଣେ ମହିଳା ସାଂସଦଙ୍କୁ ହଇରାଣ କରିବା ଏବଂ ଚୁପ୍ କରିବା ପାଇଁ କେତେ ଦୂର ଯାଇପାରନ୍ତି ।”

ଲଗଇନ୍ ଆଇଡିରୁ ଦେଶର ସୁରକ୍ଷା ପ୍ରତି କେମିତି ବିପଦ ସୃଷ୍ଟି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଆଦାନୀ ଦେଶର ସବୁ ବନ୍ଦର ଓ ଏୟାରପୋର୍ଟ କିଣୁଛି । ଏହି କମ୍ପାନୀର ସବୁ ସେୟାର ହୋଲ୍ଡର ବିଦେଶୀ । କିନ୍ତୁ ଗୃହ ମନ୍ତ୍ରାଳୟ ଆଦାନୀ ଗ୍ରୁପକୁ ସବୁଜ ସଙ୍କେତ ଦେଉଛି ।

ଏହାଛଡ଼ା ମହୁଆ ବିଜେପି ସାଂସଦ ରମେଶ ବିଧୁଡିଙ୍କ ଉଦାହରଣ ଦେଇଥିଲେ । ସଂସଦରେ ବିଏସପି ସାଂସଦ ଦାନିଶ୍ ଅଲୀଙ୍କ ପ୍ରତି ଅସଭ୍ୟ ଭାଷା ପ୍ରୟୋଗ ସତ୍ତ୍ବେ ରମେଶ ବିଧୁଡିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ମହୁଆ କହିଛନ୍ତି ।

ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ସମ୍ପର୍କିତ ଏକ ପ୍ରଶ୍ନରେ ମଇତ୍ର କହିଛନ୍ତି, ସ୍ୱାଭାବିକ ଭାବେ ମୁଁ ନିର୍ବାଚନ ଲଢ଼ିବି ।

ସଂସଦରେ ପ୍ରଶ୍ନ ପଚାରିବା ପାଇଁ ମହୁଆ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ଟଙ୍କା ଓ ଦାମୀ ଉପହାର ନେଇଥିଲେ ବୋଲି ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତିଙ୍କ ନିକଟକୁ ଚିଠି ଲେଖି ଅଭିଯୋଗ କରିଥିଲେ। ଗୌତମ ଆଦାନୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜାଣିଶୁଣି ବଦନାମ୍ କରିବା ପାଇଁ ପ୍ରଶ୍ନ ପଚାରୁଥିଲେ ମହୁଆ। ହିରାନନ୍ଦାନୀ ତାଙ୍କ ପାଇଁ ପ୍ରଶ୍ନ ପ୍ରସ୍ତୁତ କରୁଥିଲେ। ଏଥିପାଇଁ ମହୁଆ ତାଙ୍କ ସଂସଦ ଲଗଇନ୍ ପାସଓ୍ବାର୍ଡ ଓ ଆଇଡି ଦର୍ଶନ ହିରାନନ୍ଦାନୀଙ୍କୁ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା ।

Comments are closed.