କେଉଁ ଆବାହମାନ କାଳରୁ ପ୍ରକୃତିର ନୈସର୍ଗିକ ସ୍ପର୍ଶରେ ସବୁଜିମା ଭରା ବଣ ପାହାଡ଼, ନଦନଦୀର ପରିବେଶ ମଧ୍ୟରେ ରହିଛି ଇତିହାସର ମୂକସାକ୍ଷୀ ଜୁନାଗଡ଼ ସହର । ନିଜର ପ୍ରଶସ୍ତ ବକ୍ଷରେ ବହନ କରିଛି ‘ଛଅ କୋଡ଼ି ବନ୍ଧ, ନଅ କୋଡ଼ି ତୋଟା’ । କୁଳୁକୁଳୁ ନାଦିନୀ ହାତୀନଦୀ ମନ୍ଦିର ମାଳିନୀ ଜୁନାଗଡ଼ର ପଦଧୌତ କରି ବହି ଯାଉଛି। ଅତୀତର ଅନେକ ଇତିହାସର ଘଟଣାବଳୀ ତାର କୂଳରେ ଘଟି ଯାଇଛି। ତଥାପି ତାର କିଛି ପରିବର୍ତ୍ତନ ଘଟିନାହିଁ।
କଳାହାଣ୍ଡିର ୧୮ଟି ଗଡ଼ ମଧ୍ୟରେ ଶ୍ରେଷ୍ଠତ୍ୱ ହାସଲ କରିଥିବା ଜୁନାଗଡ଼ ପୂର୍ବେ ସମଗ୍ର ଦକ୍ଷିଣ କୋଶଳ ରେ ଜେନାବଳିଗଡ଼ ନାମରେ ସୁପରିଚିତ ଥିଲା । ତା’ର ରକ୍ଷାକାରିଣୀ, ଶଙ୍ଖଚକ୍ର ଧାରିଣୀ, ବିଶ୍ଵକଲ୍ୟାଣୀ – ଜଗଜ୍ଜନନୀ ମା’ ଲଙ୍କେଶ୍ଵରୀ ସେହି ଅନାଦି କାଳରୁ ଜୁନାଗଡ଼ର ଇଷ୍ଟଦେବୀ ଭାବରେ ପୂଜାପାଇ ଆସୁଛନ୍ତି । ବିଭିନ୍ନ କିମ୍ବଦନ୍ତୀର ଭିତ୍ତିଭୂମିପର୍ଯ୍ୟାଲୋଚନା କଲେ ଜଣାପଡ଼େ ଯେ, ରାଜା କୌଣସି ରାଜ୍ୟ ଜୟକରି ସେହି ପରାଜିତ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀଙ୍କୁ ଆଣି ନିଜ ରାଜ୍ୟରେ ପ୍ରତିଷ୍ଠିତ କରାଇ ପୂଜା ଆରାଧନା କରିଥାନ୍ତି । ସେହି ନ୍ୟାୟରେ ଦକ୍ଷିଣର ଜନୈକ ରାଜା ଲଙ୍କାଗଡ଼ ବିଜୟ କରି ଲଙ୍କାର ଦେବୀ ଲଙ୍କେଶ୍ଵରୀଙ୍କୁ ଜୁନାଗଡ଼ଠାରେ ସ୍ଥାପିତ କରାଇଥିଲେ ବୋଲି ଲୋକକଥା ରହିଛି । ରାଜାଙ୍କ ସହିତ ଲଙ୍କାର ଅନୁଚରମାନେ ମଧ୍ୟ ଏହି ଜୁନାଗଡ଼ରେ ଅବସ୍ଥାପିତ ହୋଇ ବଙ୍କାନାମରେ ନାମିତ ହୋଇଥିଲେ।ମୁଖ୍ୟତଃ ବଙ୍କାମାନେ ଥିଲେ ଏକଦୁର୍ଘର୍ଷ, ପରାକ୍ରମୀ ଯୁଦ୍ଧଖୋର ଜାତି । କଳାହାଣ୍ଡି ବ୍ୟତୀତ ଏହି ଜାତିର ଅଧିବାସୀମାନେ ଅନ୍ୟତ୍ର ଦୃଷ୍ଟି ଗୋଚର ହୁଅନ୍ତିନାହିଁ। ବଙ୍କା ରାଜପୁତମାନେ ସେହି ସମୟରୁ ଜୁନାଗଡ଼ରେ ଲଙ୍କେଶ୍ଵରୀଙ୍କୁ ରାଜଦେବୀ ଭାବରେ ପୂଜାକରି ଆସୁଛନ୍ତି । ବିଜୟର ସ୍ମାରକୀ ସ୍ଵରୂପ ଦେବୀଙ୍କ ଦୁଇପାର୍ଶ୍ୱରେ ଥିବା ଦୁଇଟି ଖଣ୍ଡା ଏହାର ଦ୍ୟୋତକ ଅଟେ । ସେ ହେଉଛନ୍ତି ଶକ୍ତିର ଉତ୍ସ, ପାପର ସଂହାରକାରିଣୀ ଓ ଧର୍ମର ସଂସ୍ଥାପନ କାରିଣୀ ‘ ମା’ ଲଙ୍କେଶ୍ଵରୀ’। ସେ ଥିଲେ ଶକ୍ତିର ଏକ ପ୍ରବାହିତ ତରଙ୍ଗ ଓ ସୈନିକଙ୍କ ପ୍ରାଣର ପ୍ରମୁଖ କେନ୍ଦ୍ରବିନ୍ଦୁ । ଏଣୁ ଦେବୀଙ୍କ ସୁପରିଚିତ ବିଜୟ ପର୍ବର ଉତ୍ସାହ, ଉଦ୍ଦୀପନା ଭରା ଚେତନାର ଉତ୍ସବ ମୁଖର ‘ଖଣ୍ଡାବସା’ ପର୍ବ ବୋଲି ଅନୁମିତ ହୁଏ ।
ଅତୀତର ପୃଷ୍ଠା ଅବଲୋକନ କଲେ ଅନେକ ଗୁଢ଼ ରହସ୍ୟ ଉଦ୍ଘାଟିତ ହୋଇପାରିବ।ଅତୀତରେ ଜୁନାଗଡ଼ ଜେନାବଳିଗଡ଼ ନାମରେ ସମଗ୍ର ମହା କାନ୍ତାରରେ ପଶ୍ଚିମଲଙ୍କା ନାମରେ ବିଦିତ ଥିଲା । ଏହାର ଚତୁଃପାର୍ଶ୍ଵରେ ବର୍ତ୍ତମାନ ସୁଦ୍ଧା ଗଡ଼ଖାଇର କେତେକ ଅଂଶ ପରିବେଷ୍ଟନୀ ହୋଇଥିବାର ଦୃଷ୍ଟାନ୍ତ ଦେଖାଯାଏ।ତେଣୁ ଏହା ଜୁନା ବା ପୁରୁଣାଗଡ଼ ଭାବ ରେ ନାମିତ ହୋଇଥିବାର ଅନୁମେୟ କରାଯାଏ ।
ମହାକାନ୍ତାରର ଇନ୍ଦ୍ରାବତୀ ଉପତ୍ୟକା ଓ ବସ୍ତର (ମଧ୍ୟପ୍ରଦେଶ) ଅଞ୍ଚଳକୁ ନେଇ ବଜ୍ରକୋଟ ମଣ୍ଡଳ ଭାବେ ବେଶ୍ ଜଣାଶୁଣା ଥିଲା।କାଲାଚୁରୀ, ସୋମବଂଶୀ, ଗଙ୍ଗବଂଶୀ ପରେ ନାଗବଂଶୀମାନେ କ୍ରମଶଃ ବିହାରର ମାଳଭୂମି ଛୋଟନାଗପୁରରୁ ଆସି ଏହି ଗଡ଼ରେ ରାଜୁତି କରିଥିବାର ନଜିର ମିଳେ ।
ଔଜସ୍ୱାନି,ସୌନ୍ଦର୍ଯ୍ୟ ଚତୁର୍ଭୁଜା ମା’ ଲଙ୍କେଶ୍ଵରୀ ପଦ୍ମାସନା ତିନିହସ୍ତରେ ଆୟୁଧ ଓ ଏକ ହସ୍ତରେ ଅଭୟ ବରଦା । ବଜ୍ରକୋଟ ମଣ୍ଡଳର ଅଧୁରୀ ରୂପେ ସେ ସମଗ୍ର ଦକ୍ଷିଣ କୋଶଳରେ ସୁପରିଚିତ ଥିଲେ । ଏହିପ୍ରତ୍ୟକ୍ଷ ଦେବୀ ମାନବୀରୂପ ଧାରଣକରିକୁଆଁରୀ କନ୍ୟାମାନଙ୍କ ସାଥିରେ ବୋରିଆ ଓ ଲୁଲୁକାନି ( ଲୁଚକାଳି) ଖେଳୁଥିଲେ।ଏଭଳି ଅନେକଅଲୌକି-, କ ଘଟଣାବଳିର ବର୍ଣ୍ଣନା କରନ୍ତି ଲଙ୍କେଶ୍ଵରୀଙ୍କ ପୂଝାରୀ ମହାଶୟ।ସେ କୁହନ୍ତି ଯେ ସ୍ଵର୍ଗତ ରାମଚନ୍ଦ୍ର ପଣ୍ଡା ପୂଝାରୀ ଥିବା ସମୟର ଏକ ଘଟଣା ଘଟିଥିଲା । ଅପରାହ୍ନ ସମୟ ରାସ୍ତାଘାଟ ଶୂନଶାନ, ଖାଁ ଖାଁ ପରିବେଶ। ସେହି ଅବେଳରେ ରାସ୍ତାରେ ଆସୁଥିବା ଏକ ଚୁଡ଼ିବେପାରୀ ମନ୍ଦିର ସମ୍ମୁଖରେ ଚୁଡ଼ି ବିକ୍ରୟ କରିବା ପାଇଁ ଡାକଦେଲେ । କିଛିସମୟ ପରେଜଣେ ଔଜସ୍ୱାନି, ସୌନ୍ଦର୍ଯ୍ୟର ପରିପାଟୀ ସମ୍ମୋହନକାରୀ ରମଣୀ ମନ୍ଦିର ଭିତରକୁ ଆସି । ଚୁଡ଼ିବେପାରୀ ଠାରୁ ଚୁଡ଼ି ପିନ୍ଧିଥିଲେ ଏବଂ ତାଙ୍କ ବାପା ଆସିଲେ ଟଙ୍କା ପୌଠକରିବେ ବୋଲି ପ୍ରତିଶ୍ରୁତିଦେଇ ଚୁଡ଼ି ବେପାରୀ କୁ ପ୍ରତୀକ୍ଷା କରିବା ପାଇଁ କହି ଚାଲିଗଲେ। ସମୟ ଅତିକ୍ରାନ୍ତ ହେବାରୁ ଇନ୍ଦ୍ରଙ୍କୁ ଆରାଧନା କରାଗଲା ଓ ଇନ୍ଦ୍ର ଖୁଣ୍ଟି ପୋତା ହେଲା । ଏହାପରେ ଦେବୀ ସ୍ୱୟଂ ଚୁଡ଼ି ଖରିଦ୍ କରିଥିବା ଶୁନ୍ୟବାଣୀ ହେଲା। ଏ ପର୍ଯ୍ୟନ୍ତ ଖଣ୍ଡାବସା ପର୍ବର ଶୁଭାରମ୍ଭ ହେଲେ ସେହି ଇନ୍ଦ୍ରଖୁଣ୍ଟି ଭିତରେ ଗୋଟିଏ ଖୁଣ୍ଟ ପୋତନ୍ତି ଓ ତା’ ଉପରେ ତିନିଟି ଟୋକେଇ ରଖାଯାଏ । ଜୁନାଗଡ଼ର ସେହି ପଡ଼ାକୁ କାଳକ୍ରମେ ଇନଖୁଟିପଡ଼ା ନାମରେ ନାମିତ କରାଯାଇଛି । ଲଙ୍କା ଓ ଲଙ୍କେଶ୍ଵର ଗୋଟିଏ ମୁଦ୍ରାର ଦୁଇଟିପାର୍ଶ୍ୱ କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ସୋନପୁର, ଦେପୁର ଓ ଜୁନାଗଡ଼ଠାରେ ଲଙ୍କେଶ୍ଵରୀ ସ୍ଥାପିତ ହୋଇଛନ୍ତି । ବସ୍ତର (ମଧ୍ୟପ୍ରଦେଶ)ର ଇଷ୍ଟଦେବୀ ଦନ୍ତେଶ୍ଵରୀଙ୍କୁ ଦନ୍ତାବାଡ଼ରୁ ଜେନାବଳି ପାଟଣାର ରାଜା ଆଣି କଳାହାଣ୍ଡିରେ ଅବସ୍ଥାପିତ କରାଇଛନ୍ତି ଏବଂଦଶହରା ସମୟରେ ଲଙ୍କେଶ୍ଵରୀଙ୍କ ଫୁଲମାଳ (ଆଜ୍ଞାମାଳ) ଯାହାକି ଅନୁମତିର ଏକ ସଙ୍କେତ ଅଟେ । ତେଣୁ ଦନ୍ତେଶ୍ଵରୀଙ୍କ ପାଖରେ ଆଜ୍ଞାମାଳ ପହଞ୍ଚିଲେ ହିଁ ପର୍ବର ଶୁଭାରମ୍ଭ ହୁଏ । ମା’ଙ୍କ ପବିତ୍ର ବିଜୟ ଓ ହର୍ଷଉଲ୍ଲାସର ପର୍ବ “ଖଣ୍ଡାବସା’ ପାଳିତ ହୋଇଥାଏ। ଆଶ୍ମିନ ମୂଳାଷ୍ଟମୀ ଦିନ ଜେନାବଳି ପାଟଣାର ନାଗବଂଶୀୟ ରାଜା ଦେବୀଙ୍କ ଖଣ୍ଡାକୁ ଚାଉଳ ଉପରେ ବସାନ୍ତି । ତେଣୁ ଏହି ପାରମ୍ପରିକ ପର୍ବ ଖଣ୍ଡାବସା ନାମରେ ସମଗ୍ର କଳାହାଣ୍ଡିରେ ପ୍ରସିଦ୍ଧି ଲାଭ କରିଛି ।
ତନ୍ତ୍ର ଆରାଧନାର ଆହୁରି ଏକ ବିଶେଷତ୍ଵ ଏ ମନ୍ଦିରରେ ଅଛି । ପ୍ରତି ସଂକ୍ରାନ୍ତିରେ ଦେବୀଙ୍କ ଚକ୍ରେଶ୍ଵରୀ ପୂଜାରେ ଅନେକ ପ୍ରତିଷ୍ଠିତ ବ୍ରାହ୍ମଣ ନିଶାଦ୍ଧରେ ଦେବୀଙ୍କ ସମ୍ମୁଖରେ ବସି ଚର୍ବି, ଚୋଷ୍ୟ, ଲେହ୍ୟ ଇତ୍ୟାଦିରେ ପୂଜା କରନ୍ତି । ତତ୍କାଳୀନ ସମୟରେ ଶକ୍ତି ଆରାଧନାର ଏକମାତ୍ର ଲକ୍ଷ୍ୟ ଥିଲା ନିଜ ରାଜ୍ୟ ସୀମାକୁ ବୃଦ୍ଧିକରି ଏକଶକ୍ତିଶାଳୀ ରାଜ୍ୟ ରେ ନିଜ ରାଜ୍ୟ କୁ ପରିଣତ କରିବା ଓ ନିଜକୁ ବଳଶାଳୀ ରାଜା ରୂପେ ପ୍ରତିପାଦିତ କରିବା । ତେଣୁ ମାଆ ଙ୍କ ପୀଠ ବାସ୍ତବରେ କହିବାକୁ ଗଲେ ଏକ ପ୍ରକୃଷ୍ଟ ତନ୍ତ୍ରପୀଠ। ଏହି ତନ୍ତ୍ରପୀଠ କାହାର ବ୍ୟକ୍ତିଗତ ବା ସ୍ୱାର୍ଥନେଶୀ ଙ୍କର ଅହିତ ସାଧନ ପାଇଁ ନୁହେଁ ବରଂ ସାମୁହିକ କଲ୍ୟାଣ, ସମାଜର କଲ୍ୟାଣ ତଥା ଦେଶର କଲ୍ୟାଣ ପାଇଁ ଅନୁଷ୍ଠିତ ହୋଇଥାଏ।
ଇତିହାସର ସ୍ଵର୍ଣ୍ଣିମ ଇସ୍ତାହାରରେ । ପ୍ରଳୟ ଓ ସୃଷ୍ଟିର ଲୁଚକାଳି ଏବେ ବି ଚଳଚଞ୍ଚଳ । ଜେନାଗଡ଼ରୁ ଜୁନାଗଡ଼ ପର୍ଯ୍ୟନ୍ତ ଲମ୍ବିଥିବା ଏକ ଦିଗନ୍ତହୀନ ଇତିହାସ ନିଜବକ୍ଷରେ ଧାରଣ କରି ସ୍ମତିର ଏକ ଚାରି ଚଉତା ଇସ୍ତାହାର ଲିପିବଦ୍ଧ କରି ରଖୁଛନ୍ତି ଏହି ଆଶିଷ ଦାୟିନୀ ମା’ ଲଙ୍କେଶ୍ୱରୀ।
Comments are closed.