ନୂଆ ପ୍ରଜାତିର ଉଭୟଚର ଜୀବକୁ ଚିହ୍ନଟ କଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଗବେଷକ

ବ୍ରହ୍ମପୁର: ଚିଙ୍ଗୁଡ଼ି ଭଳି ଆକାର, ଧୂସର- ଧଳା- ଫିକା ହଳଦିଆ ରଙ୍ଗ, ପ୍ରାୟ ୧୫ ମିଲିମିଟର ଲମ୍ବା, ୧୩ ଯୋଡ଼ି ଗୋଡ଼ ବିଶିଷ୍ଟ ଏକ ନୂତନ ପ୍ରଜାତିର ଉଭୟଚର ଜୀବକୁ ଚିହ୍ନଟ ଓ ନାମକରଣ କରିଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗର ଗବେଷକ। ଚିଲିକା ଉପକୂଳରୁ ଏହି ନୂତନ ପ୍ରଜାତିର ସାମୁଦ୍ରିକ ତଥା ଉଭୟ ସ୍ଥଳ ଓ ଜଳରେ ଚଳପ୍ରଚଳ କରୁଥିବା କରୁଥିବା ଜୀବକୁ ‍‍ ଠାବ କରାଯାଇଥିଲା। ଏହି ପ୍ରଜାତିର ଉଭୟଚର ଜୀବ ସମୁଦ୍ର ଉପକୂଳବର୍ତ୍ତୀ ସନ୍ତସନ୍ତିଆ ସ୍ଥାନରେ ରହନ୍ତି l ମହିଳା ଜୀବମାନେ ୬ ରୁ ୭ ଅଣ୍ଡା ଦେଇଥାନ୍ତି।

ଏହାର ଜୀବବିଜ୍ଞାନ ନାମକରଣ ହୋଇଛି ‘ଡେମୋରଚେଷ୍ଟିଆ ଆଲାନେନସିସ୍’।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସହକାରୀ ପ୍ରଫେସର ଶେଷଦେବ ପାତ୍ରଙ୍କ ତତ୍ତ୍ଵାବଧାନରେ ବିଭାଗର ଗବେଷିକା ଗୀତାଞ୍ଜଳି ଭୋଇ ଏବଂ ଲିପିକା ତରଫଦାର ଚିଲିକା ଉପକୂଳରୁ ଗତ ଜାନୁଆରୀ ୨୨ ତାରିଖରେ ଏହି ପ୍ରଜାତିର ଜୀବକୁ ଠାବ କରିଥିଲେ। ତାହାର ନମୁନା ବିଶ୍ଵବିଦ୍ୟାଳୟ ତଥା ଗୋପାଳପୁରସ୍ଥିତ ଜୁଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ କେନ୍ଦ୍ରରେ ବ୍ୟାପକ ପରୀକ୍ଷା ନିରୀକ୍ଷା କରିଥିଲେ। ତାଙ୍କୁ ସହଯୋଗ କରିଥିଲେ ଆଇଲାଣ୍ଡ ବିଶ୍ଵବିଦ୍ୟାଳୟର ପ୍ରଫେସର ଆଲାନ୍ ମାୟର୍ସ। ଶେଷରେ ଏହି ଜୀବଗୁଡିକ ବାବଦରେ ବିବରଣୀ ଅନ୍ତର୍ଜାତୀୟ ପ୍ରାଣୀ ବିଜ୍ଞାନ ପତ୍ରିକା ‘ଜୁ ଟାକ୍ସା’ରେ ପ୍ରକାଶିତ ହୋଇ ବିଧିବଦ୍ଧ ସ୍ବୀକୃତି ପାଇଛି।

Comments are closed.