ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ‘ଦେବ ଦୀପାବଳି’ ଉତ୍ସବ

ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଠାରୁ ଶ୍ରୀମନ୍ଦିରରେ ତିନିଦିନ ଧରି ଦେବ ଦୀପାବଳି ନୀତି ପାଳିତ ହେଉଅଛି । ଏହି ତିନିଦିନ ବ୍ୟାପୀ ‘ଦେବ ଦୀପାବଳି’ ନୀତି ସମୟରେ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧବେଶରେ ଵିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ଦିନ ଅଦିତି କଶ୍ୟପଙ୍କ ଉଦ୍ଦେଶ୍ୟରେ , ଅମାବାସ୍ୟା ଦିନ ଦଶରଥ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ, ପ୍ରତିପଦା ଦିନ ବସୁଦେବ ଦେବକୀ, ନନ୍ଦ, ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରିଥାନ୍ତି। ଏହି ଦିନମାନଙ୍କରେ ଶ୍ରୀଜଗନ୍ନାଥ ଶ୍ରାଦ୍ଧବେଶରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରୁଥିବାରୁ ଏହାକୁ ଦେବଦୀପାବଳି କୁହାଯାଏ।

ଏହିଦିନ ଗୁଡିକ ରେ ଶ୍ରୀମନ୍ଦିର କୁ ସୁନ୍ଦର ଦୀପ ମାଳରେ ସଜ୍ଜିତ କରାଯିବା ସହିତ ଅନେକ ଭକ୍ତଙ୍କ ଦ୍ୱାରା ଶ୍ରୀମନ୍ଦିର ସିଂହଦ୍ଵାର କୁ ମଧ୍ୟ ଦ୍ବୀପ ଦ୍ୱାରା ସଜ୍ଜିତ କରାଯାଉଅଛି। ଏହିସମୟରେ ମନ୍ଦିର ଶୋଭା ଅତ୍ୟନ୍ତ ମନ ମୁଗ୍ଧକର ହେଉଛି। ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ଲକ୍ଷାଧିକ ଦ୍ବୀପ ମାଳ ଦ୍ୱାରା ବଡ଼ଦାଣ୍ଡର ଉଭୟ ପାର୍ଶ୍ଵ ଏକ ଦିବ୍ୟ ପୁରୀର ଭ୍ରମ ସୃଷ୍ଟି କରିଛି। ଜନ ସାଧାରଣ ଙ୍କ ସହଯୋଗରେ ଜଗନ୍ନାଥ ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଖୁବ ସୁନ୍ଦର ଭାବରେ ସମାହିତ ହେଉଅଛି।

Comments are closed.