ବଳାତ୍କାର ମାମଲାରେ ବିଜେପି ବିଧାୟକ ଦୋଷୀ ସାବ୍ୟସ୍ତ

ଲକ୍ଷ୍ନୌ : ଏକ ବଳାତ୍କାର ମାମଲାରେ ଉତ୍ତର ପ୍ରଦେଶର ବିଜେପି ବିଧାୟକ ରାମଦୁଲାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ରାମଦୁଲାର ୨୦୧୪ରେ ଜଣେ ୧୫ ବର୍ଷୀୟା ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସୋନଭଦ୍ର ଜିଲ୍ଲାର ଏକ କୋର୍ଟ ମଙ୍ଗଳବାର ରାମଦୁଲାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨୦୨୨ ବିଧାନସଭା ନିର୍ବାଚନରେ ଦୁଧି ନିର୍ବାଚନମଣ୍ଡଳୀରୁ ଜିତିଥିବା ରାମଦୁଲାରଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ଗିରଫ କରାଯାଇଛି ।

ପୀଡ଼ିତାଙ୍କ ଓକିଲଙ୍କ ସୂଚନା ମୁତାବକ ଭାରତୀୟ ଦଣ୍ଡବିଧି ଧାରା ୩୭୬ (ବଳାତ୍କାର) ଏବଂ ୨୦୧ (ପ୍ରମାଣ ନଷ୍ଟ କରିବା ଏବଂ ମିଥ୍ୟା ତଥ୍ୟ ଦେବା) ଅନୁଯାୟୀ ବିଧାୟକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ମାମଲାରେ ବିଧାୟକଙ୍କ ବିରୋଧରେ କୋର୍ଟ ଡିସେମ୍ବର ୧୫ରେ ଦଣ୍ଡ ଘୋଷଣା କରିବେ ।

ସୂଚନାନୁସାରେ, ୪ ନଭେମ୍ବର ୨୦୧୪ରେ ରାମଦୁଲାର ଜଣେ ନାବାଳିକାକୁ ବଳାତ୍କାର କରିଥିଲେ। ନାବାଳିକା ଶୌଚ ପାଇଁ ନିକଟସ୍ଥ ଏକ ପଡିଆକୁ ଯାଇଥିବାବେଳେ ରାମଦୁଲାର ତାକୁ ବଳାତ୍କାର କରିଥିଲେ। ଘଟଣା ସମୟରେ ରାମଦୁଲାରଙ୍କ ପତ୍ନୀ ସରପଞ୍ଚ ଥିଲେ। ଏହାଛଡ଼ା ପୀଡ଼ିତାଙ୍କୁ ଧମକ ଦେଇ ପ୍ରାୟ ଏକ ବର୍ଷ ଧରି ବଳାତ୍କାର କରିଥିଲେ ରାମଦୁଲାର ।

Comments are closed.