ବୋରୱେଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର ଘଟଣା: ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଗ୍ନିଶମ ଡିଜି, ଉଦ୍ଧାରକାରୀ ଟିମକୁ ପ୍ରଶଂସା 

ଭୁବନେଶ୍ବର – ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନ ଲାରିପାଲିସ୍ଥିତ ଜଙ୍ଗଲରେ ପରିତ୍ୟକ୍ତ ବୋରୱେଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର ନେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉତ୍ତରାଞ୍ଚଳ ଅଗ୍ନିଶମ ରେଞ୍ଜ୍ ଅଫିସର ସଲିଲ ପ୍ରକାଶ କିଣ୍ଡୋ ଏବଂ ସୁଶାନ୍ତ ରାଉଳ ତାଙ୍କ ଟିମକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ମଙ୍ଗଳବାର ଅପରାହ୍ନ ୨ଟା ୪୬ ମିନିଟରେ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଶିଶୁକୁ କେମିତି ଅକ୍ସିଜେନ ଦିଆଯିବ, ତାହା ଥିଲା ପ୍ରାଥମିକତା । ରେଙ୍ଗାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟଙ୍କୁ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ଅନୁରୋଧ କରାଯାଇଥିଲା । ଆଉ ପରେ ମେସିନ ମାଟି ଖୋଳିବା ଆଉ ମାଟିକୁ ସେହି ସ୍ଥାନରୁ ସଫା କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କ ସହଯୋଗ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଅଗ୍ନିଶମ ଡିଜି କହିଛନ୍ତି।

ଅତି ସାବଧାନତାର ସହ ପାଇପକୁ କାଟିବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି। ନବଜାତଟି ପାଇପର କେଉଁ ସ୍ଥାନରେ ଅଛି, କେତେ ଦୂରତାରେ ଅଛି ତାହା ଜାଣିବା ପାଇ ଭିକ୍ଟିମ୍ ଲୋକେସନ୍ କ୍ୟାମେରାର ସହାୟତା ନିଆଯାଇଥିଲା।

ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନିଜେ ସମୀକ୍ଷା କରୁଥିବାରୁ ତୁରନ୍ତ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ ଝାରସୁଗୁଡ଼ା ସେହି କ୍ୟାମେରାକୁ ପଠାଯାଥିଲା। କ୍ୟାମେରା ପହଞ୍ଚିବା ପୂର୍ବରୁ ଖୋଳାଖୋଳି କାମ ସରିଥିଲା । ବେଶ୍ ଯତ୍ନର ସହକାରେ ସୁରକ୍ଷିତ ଶିଶୁଟିକୁ ଉଦ୍ଧାର କରି ଡାକ୍ତରୀ ଟିମକୁ ହସ୍ତାନ୍ତର କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବଜାତ ଶିଶୁକନ୍ୟାର ଜୀବନ ବଞ୍ଚାଇବା ପାଇଁ ଉଡ଼ାଜାହାଜ ପଠାଇବାଠୁ ଆରମ୍ଭ କରି ସମସ୍ତ ପ୍ରକାର ସହଯୋଗ କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଗ୍ନିଶମ ଡିଜି । ଏବେ ଶିଶୁଟି ସୁସ୍ଥ ଏବଂ ବିପଦମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହା ଏକ ଦୁର୍ଘଟଣା ନୁହେଁ ଏହା ହେଉଛି ଏକ ଅପରାଧ, ଏହାକୁ କୌଣସି ଅନ୍ୟ ଘଟଣା ସହ ତୁଳନା କରି କହିବା ଠିକ୍ ହେବ ନାହିଁ। ଏହି ଘଟଣା ନେଇ ସ୍ଥାନୀୟ ପୁଲିସ ତଦନ୍ତ କରୁଛି। ୩୦୭ ଦଫା ଲଗାଇ ଏହି ଘଟଣାର ତଦନ୍ତ କରୁଛି, ତୁରନ୍ତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

Comments are closed.