ତୀରନ୍ଦାଜୀ ଓ ସ୍ପୋର୍ଟସ କ୍ଲାଇମ୍ବିଂ ପାଇଁ ପ୍ରତିଷ୍ଠା ହେବ ହାଇ ପରଫରମାନ୍ସ ସେଣ୍ଟର, ଟାଟା ଷ୍ଟିଲ ସହ ରାଜ୍ୟ ସରକାରଙ୍କ ଏମଓୟୁ

ଭୁବନେଶ୍ୱର – ଓଡ଼ିଶାରେ ଆଉ ଦୁଇଟି କ୍ରୀଡା ଶୃଙ୍ଖଳା ପାଇଁ ପ୍ରତିଷ୍ଠା କରାଯିବ ହାଇ ପରଫରମାନ୍ସ ସେଣ୍ଟର ବା ଉତ୍କର୍ଷ କେନ୍ଦ୍ର। ତୀରନ୍ଦାଜୀ ଓ ସ୍ପୋର୍ଟସ କ୍ଲାଇମ୍ବିଂ ପାଇଁ ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଓ ଟାଟା ଷ୍ଟିଲ୍ ମଧ୍ୟରେ ଆଜି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି ବୁଝାମଣାପତ୍ର। ବୁଝାମଣାପତ୍ର ଅନୁସାରେ ଏହି ଦୁଇ କ୍ରୀଡାର ବିକାଶ ପାଇଁ ଭୁବନେଶ୍ୱରରେ ଓଡ଼ିଶା ଟାଟା ଆର୍ଚେରୀ ଏକାଡେମୀ ଓ ଓଡ଼ିଶା ଟାଟା ଷ୍ଟିଲ ଆଡଭେନଚର ଫାଉଣ୍ଡେସନ ସ୍ପୋର୍ଟସ କ୍ଲାଇମ୍ବିଂ ନାମରେ ଏକାଡେମୀ ପ୍ରତିଷ୍ଠା କରାଯିବ। କ୍ରୀଡା ପ୍ରତିଭାର ବିକାଶ ପାଇଁ ଦୁଇ ଏକାଡେମୀ ତୃଣମୂଳ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଚଳାଇବେ । ଏହାଛଡା ତୀରନ୍ଦାଜ ପାଇଁ ଆଞ୍ଚଳିକ ବିକାଶ କେନ୍ଦ୍ର ମଧ୍ଯ ପ୍ରତିଷ୍ଠା କରାଯିବ। ଏସବୁ ହାଇ ପରଫରମାନ୍ସ ସେଣ୍ଟରରେ ବିଶେଷଜ୍ଞ ମାନେ ରହି କ୍ରୀଡା ପ୍ରତିଭା ଚିହ୍ନଟ କରିବା ସହ ସେମାନଙ୍କର ବିକାଶ ପାଇଁ କାମ କରିବେ। ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ପ୍ରତିଦ୍ବନ୍ଦ୍ବିତା ପାଇଁ ସେମାନଙ୍କୁ ପ୍ରସ୍ତୁତ କରାଯିବ । ଏଥିପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ । ଏହାଛଡା କ୍ରୀଡାବିତମାନେ ସେମାନଙ୍କ ସାମଗ୍ରିକ ବିକାଶ ପାଇଁ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଉପଲବ୍ଧ ବ୍ୟବସ୍ଥାର ବି ଉପଯୋଗ କରିପାରିବେ ।

ତୀରନ୍ଦାଜୀ ଓ ସ୍ପୋର୍ଟସ କ୍ଲାଇମ୍ବିଂ ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା ପାଇଁ ଟାଟା ଷ୍ଟିଲ ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏ ଦୁଇ କ୍ରୀଡା ପାଇଁ ଓଡ଼ିଶା ତଥା ଦେଶରେ ବ୍ୟାପକ ସମ୍ଭାବନା ରହିଛି ଓ ହାଇ ପରଫରମାନ୍ସ ସେଣ୍ଟର ଏହି ଦୁଇ କ୍ରୀଡାର କ୍ରୀଡାବିତମାନଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବୁଝାମଣାପତ୍ର ସ୍ବାକ୍ଷର ବେଳେ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ବେଳେ ଟାଟା ଷ୍ଟିଲ ପକ୍ଷରୁ କମ୍ପାନୀର କର୍ପୋରେଟ ସର୍ଭିସେସର ଉପସଭାପତି ତଥା ଟାଟା ଷ୍ଟିଲ ଆଡଭେନଚର ଫାଉଣ୍ଡେସନର ଅଧ୍ୟକ୍ଷ ଚାଣକ୍ୟ ଚୌଧୁରୀ ପ୍ରତିନିଧିତ୍ଵ କରିଥିଲେ।

Comments are closed.