ଭଞ୍ଜନଗର ଉପଖଣ୍ଡରେ ୨୯ ତାରିଖରୁ ୧୧୯ ପାକ୍ସ, ୪୦ ଏସଏଚଜି ଦ୍ବାରା ଧାନକିଣା

ଭଞ୍ଜନଗର: ଭଞ୍ଜନଗର ଉପଖଣ୍ଡସ୍ତରୀୟ ଧାନ କ୍ରୟ କମିଟି ବୈଠକ ଶୁକ୍ରବାର ବସି ଆସନ୍ତା ୨୯ ତାରିଖରୁ ୧୫୯ ସ୍ଥାନରେ ଧାନ କିଣା ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି। ଉପଖଣ୍ଡରେ ସମସ୍ତ ମଣ୍ଡିଗୁଡିକ ଚଳିତ ବର୍ଷ ଗୋଟିଏ ଦିନ ଅର୍ଥାତ ଆସନ୍ତା ୨୯ ତାରିଖରୁ ହିଁ ଖୋଲାଯିବ। ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷ ଠାରେ ହୋଇଥିବା ଏହି ବୈଠକରେ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଅଧ୍ୟକ୍ଷତା କରିଥିଲେ। ସେଥିରେ ଧାର୍ଯ୍ୟ କରାଯାଇଛି ଯେ- ଚଳିତ ବର୍ଷ ୧୧୯ଟି ସେବା ସମବାୟ ସମିତି (ପାକ୍ସ) ଓ ୪୦ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଦ୍ଵାରା ଧାନ କିଣା ହେବ। ଯୋଗ୍ୟ ଚାଷୀଙ୍କ ଠାରୁ ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ କିଣାଯିବା ପାଇଁ ଆବଶ୍ୟକ ଟାର୍ଗେଟ୍ (ଗତ ବର୍ଷର ୮୫%) ଉପଖଣ୍ଡକୁ ଆସିଯାଇଛି ।

ଆସିକା ବ୍ଲକରେ ୧୬ଟି, ବେଲଗୁଣ୍ଠାରେ ୨୩ଟି, ଭଞ୍ଜନଗରରେ୧୨ଟି, ବୁଗୁଡାରେ ୧୪ଟି, ଧରାକୋଟରେ ୧୫ଟି, ଜଗନ୍ନାଥପ୍ରସାଦରେ ୧୭ଟି, ଶେରଗଡରେ ୨୫ଟି, ସୋରଡାରେ ୧୭ଟି ପାକ୍ସ ଜରିଆରେ ଧାନ କିଣାଯିବ। ଏଥିସହ ଆସିକା ବ୍ଲକରେ ୧୪ଟି, ବେଲଗୁଣ୍ଠାରେ ୪ଟି, ଭଞ୍ଜନଗରରେ ୩ଟି, ବୁଗୁଡାରେ ଗୋଟିଏ, ଧରାକୋଟରେ ୪ଟି, ଜଗନ୍ନାଥପ୍ରସାଦରେ ୪ଟି, ଶେରଗଡରେ ୪ଟି, ସୋରଡାରେ ୬ଟି ଏସଏଚଜି ଧାନ କିଣିବେ।

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଧାନ ବିକ୍ରି, ଏସଏଚଜିମାନେ ଧାନ କିଣିବା ଏବଂ ଚାଷୀମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ ଏହି ଦିଗରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଚାଷୀ ଯେମିତି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ କମ୍ ଦାମରେ ବେପାରୀମାନଙ୍କୁ ଧାନ ବିକ୍ରି ନ କରନ୍ତି, ତାହାକୁ ରୋକିବା ପାଇଁ ସମସ୍ତ ବ୍ଲକରେ ତହସିଲଦାରଙ୍କ ନେତୃତ୍ବରେ ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଛି। ଭଞ୍ଜନଗର ଉପଖଣ୍ଡରେ ଗତ ବର୍ଷ ୧୬,୮୯,୦୦୧.୨୫ କୁଇଣ୍ଟାଲ ଧାନ କିଣାଯାଇଥିଲା। ଚଳିତ ବର୍ଷ ଧାନ ବିକିବା ପାଇଁ ୪୭୩୧୩ ଜଣ କୃଷକ ପଞ୍ଜୀକୃତ ହୋଇଛନ୍ତି। ସେହିପରି ମିଲର୍ ସଂଖ୍ୟା ଗତ ବର୍ଷ ୧୩୦ ତୁଳନାରେ ଏ ବର୍ଷ ୧୩୪କୁ ବୃଦ୍ଧି ପାଇଛି। ଚଳିତ ବର୍ଷ ଟୋକେନ ପାଇବାର ୩୦ ଦିନ ମଧ୍ୟରେ ଚାଷୀ ଧାନ ବିକ୍ରି କରିପାରିବେ। ୨୦୨୨-୨୩ ଆର୍ଥିକ ବର୍ଷରେ ସାଧାରଣ ଧାନ ନିମନ୍ତେ କୁଇଣ୍ଟାଲ ସକାଶେ ୨୦୪୦ ଟଙ୍କା ଥିଲା। ଚଳିତ ଆର୍ଥିକ ବର୍ଷ ନିମନ୍ତେ ତାହା ୨୧୮୩ ଟଙ୍କା ଦର ଧାର୍ଯ୍ୟ ରଖାଯାଇଛି। ସେହିଭଳି ଗ୍ରେଡ୍- ଏ ଧାନର ମୂଲ୍ୟ ଗତ ବର୍ଷ ୨୦୬୦ ଥିବା ବେଳେ ଚଳିତ ବର୍ଷ ଏହା ୨୨୦୩ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପଞ୍ଜୀକୃତ କରିଥିବା ଚାଷୀମାନେ ୧୯୬୭ ଟୋଲଫ୍ରି ନମ୍ବରରେ ଯୋଗାଯୋଗ କରି ସେମାନଙ୍କ ଟୋକେନ, ଧାନ ବିକ୍ରୟ ତାରିଖ ଏବଂ ଅନ୍ୟାନ୍ୟ ବିଷୟରେ ସୂଚନା ପାଇପାରିବେ। ଧାନ କ୍ରୟ ସମୟରେ ଆବଶ୍ୟକ ସମସ୍ତ ଯନ୍ତ୍ରପାତି ପ୍ରସ୍ତୁତ ରଖିବାକୁ ଉପଜିଲ୍ଲାପାଳ ଆରଏମସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଆସନ୍ତା ୨୦ ତାରିଖ ସୁଦ୍ଧା ସମସ୍ତ ସନ୍ଦିଗ୍ଧ ପ୍ଲଟ୍‌ (ଚାଷ ଜମି)ର ଯାଞ୍ଚ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ। ଗତବର୍ଷ ଏଭଳି ସନ୍ଦିଗ୍ଧ ଜମି ସଂଖ୍ୟା ୫୧୯୬୫ ଥିଲା ବେଳେ ଏଥର ତାହା ୧୪୬୦୬ ଅଛି। ଏହି ବୈଠକରେ ଉପଖଣ୍ଡ ଅଧୀନ ସମସ୍ତ ବ୍ଲକର ବିଡିଓ, ତହସିଲଦାର, ସିଡିପିଓ, ଯୋଗାଣ ନିରୀକ୍ଷକ, ଏଆରସିଏସ୍, ସମବାୟ ବିଭାଗ ଅଧିକାରୀ, ମିଶନ୍ ଶକ୍ତି କାର୍ଯ୍ୟକର୍ତ୍ତା, ମିଲର୍ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Comments are closed.