ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତଙ୍କ ଯୁଗ ଶେଷ, ହାର୍ଦ୍ଦିକ ପାଣ୍ଡ୍ୟା ନୂଆ ଅଧିନାୟକ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଆଇପିଏଲ୍ ଚାମ୍ପିୟନ୍ କରିଥିବା ରୋହିତ ଶର୍ମା ଆସନ୍ତା ସିଜନରେ ଆଉ ଏହି ଦଳର ଅଧିନାୟକତ୍ବ କରିବେ ନାହିଁ। ଗୁଜରାଟ ଟାଇଟନ୍ସରୁ ଫେରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଇପିଏଲ୍ ୨୦୨୪ ପାଇଁ ଅଧିନାୟକ ଘୋଷଣା କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏଥିସହ କ୍ୟାପଟେନ୍ ଭାବେ ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତଙ୍କ ସଫଳ ଯାତ୍ରା ଶେଷ ହୋଇଛି ।

ହାର୍ଦ୍ଦିକ ୨୦୨୨ ସିଜନରେ ମୁମ୍ବାଇ ଛାଡ଼ି ଗୁଜରାଟ ଟାଇଟନ୍ସରେ ଯୋଗ ଦେଇଥିଲେ । ପଦାର୍ପଣ ସିଜନରେ ହିଁ ହାର୍ଦ୍ଦିକ ଅଧିନାୟକ ଭାବେ ଏହି ନୂଆ ଦଳକୁ ଚାମ୍ପିୟନ କରାଇଥିଲେ । ପୁଣି ୨୦୨୩ରେ ଗୁଜରାଟ ରନର୍ସ ଅପ୍ ହୋଇଥିଲା | ତେବେ ଆଇପିଏଲ୍ ୨୦୨୪ ନିଲାମ ପୂର୍ବରୁ ହାର୍ଦ୍ଦିକ ନାଟକୀୟ ଢଙ୍ଗରେ ଗୁଜରାଟ ଟାଇଟନ୍ସରୁ ଟ୍ରେଡ୍ ହୋଇ ତାଙ୍କ ପୁରୁଣା ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ହେବେ ବୋଲି ଘୋଷଣା କରିଛି । ଦଳର ଗ୍ଲୋବାଲ ହେଡ୍ ମହେଲା ଜୟବର୍ଦ୍ଧନେ କହିଛନ୍ତି, ଭବିଷ୍ୟତକୁ ଧ୍ୟାନରେ ରଖି ଆମେ ଏହି ନିଷ୍ପତ୍ତି ନେଇଛୁ । ଦଳ ପ୍ରତି ଅବଦାନ ପାଇଁ ରୋହିତଙ୍କୁ ଧନ୍ୟବାଦ ଜଣାଇଛି ଫ୍ରାଞ୍ଚାଇଜ୍ ।

ରୋହିତ ଶର୍ମା ୨୦୧୩ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ଵ ଗ୍ରହଣ କରିଥିଲେ । ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ଟାଇଟଲ୍ ଜିତିଥିଲା | ପାଞ୍ଚ ଥର ଟାଇଟଲ୍ ଜିତିବାରେ ରୋହିତ ଶର୍ମା ଆଇପିଏଲର ପ୍ରଥମ ଅଧିନାୟକ ହୋଇଥିଲେ। ପରେ ରୋହିତଙ୍କ ଏହି ରେକର୍ଡର ସମକକ୍ଷ ହୋଇଥିଲେ ମହେନ୍ଦ୍ର ସିଂ ଧୋନି ।

ରୋହିତ ଶର୍ମା ୧୦ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ କରିଥିଲେ । ଏହି ସମୟ ମଧ୍ୟରେ ତାଙ୍କ ଅଧିନାୟକତ୍ୱରେ ଦଳ ୧୫୮ଟି ମ୍ୟାଚ୍ ଖେଳିଥିଲା। ଏଥିମଧ୍ୟରୁ ମୁମ୍ବାଇ ଇଣ୍ଡିଆନ୍ସ ୮୭ ଟି ମ୍ୟାଚ୍ ଜିତିଥିବା ବେଳେ ୬୭ଟି ମ୍ୟାଚ୍ ହାରିଥିଲା । ଅନ୍ୟ ୪ଟି ମ୍ୟାଚ୍ ଟାଇ ରହିଥିଲା ।

Comments are closed.