ନିର୍ବାଚନ ଲଢ଼ିବି ନାହିଁ, ୧୪୭ ଆସନରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ଠିଆ ହେବି: କାର୍ତ୍ତିକ ପାଣ୍ଡିଆନ 

ଭୁବନେଶ୍ୱର – ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଗାମୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ। ନିଜେ ଏହା ସ୍ପଷ୍ଟ କରି ଛନ୍ତି ପାଣ୍ଡିଆନ । ତାଙ୍କର କୌଣସି ପଦପଦବୀ ଆଶା ନାହିଁ କି ଆଗାମୀ ନିର୍ବାଚନରେ କେଉଁଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ପାଣ୍ଡିଆନ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ରାଜ୍ୟର ୧୪୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ, ଅର୍ଥାତ୍‌‌ ମୁଖ୍ୟମନ୍ତ୍ରୀ ସମସ୍ତ ୧୪୭ ଆସନରେ ଠିଆ ହେବେ। ଆଉ ସେ ମୁଖ୍ୟମନ୍ତ୍ରୀଙ୍କ ପଛରେ ୧୪୭ ନିର୍ବାଚନମଣ୍ଡଳୀରେ ଠିଆ ହେବି ବୋଲି କହିଛନ୍ତି ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ସର୍ବଭାରତୀୟ ପ୍ରାଶାସନିକ ସେବା ପଦରୁ ସ୍ୱେଚ୍ଛାକୃତ ଅବସର ଓ ବିଜୁ ଜନତା ଦଳରେ ଯୋଗଦାନ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ ଓ ପ୍ରାଞ୍ଜଳ ଭାବରେ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅବସରରେ ଦଳର କର୍ମୀ ଓ କର୍ମକର୍ତ୍ତାଙ୍କ ସମ୍ମୁଖରେ ରଖିଛନ୍ତି ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି ଯେ ମୁଁ ଦୁଇଟି ଆଶୀର୍ବାଦ ପାଇଛି। ଗୋଟିଏ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ସେବା ଓ ଅନ୍ୟଟି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କାର୍ଯ୍ୟ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛି ଓ ତାଙ୍କ ପ୍ରତି ମୁଁ ସମ୍ପୂର୍ଣ୍ଣ ସମର୍ପିତ। ମୁଁ ମୋର ଭବିଷ୍ୟତ ମହାପ୍ରଭୁ ଜଗନ୍ନାଥ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସମର୍ପଣ କରି ଦେଇଛି। ସର୍ବଭାରତୀୟ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପରେ ଅନେକ ମୋ ସମ୍ପର୍କରେ ଅନେକ ଅତ୍ୟଧିକ ଉତ୍ସୁକତା ପ୍ରକାଶ କରିଛନ୍ତି। ମୁଁ ନିର୍ବାଚନ ଲଢ଼ିବି କି ନାହିଁ; ଯଦି ଲଢ଼ିବି କେଉଁଠୁ ଲଢ଼ିବି ତାକୁ ନେଇ ଚର୍ଚ୍ଚା ହେଉଛି। ମୋତେ ମଧ୍ୟ ଅନେକ ଏ ସମ୍ପର୍କରେ ପଚାରିଛନ୍ତି। ଦଳରେ ମୋତେ କି ପଦ ମିଳିବ ତାକୁ ନେଇ ଅନେକ ଆଲୋଚନା ଚାଲିଛି। କେହିକେହି ମୋତେ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବା ନିମନ୍ତେ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ମାତ୍ର ଏ ସମ୍ପର୍କରେ ସମସ୍ତଙ୍କୁ ଅତ୍ୟନ୍ତ ବିନମ୍ର ଭାବରେ ଉତ୍ତର ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ନିକଟରେ କାମ କରିବାକୁ ସେ ସୌଭାଗ୍ୟ ମନେ କରୁଛି। ଆଗାମୀ ନିର୍ବାଚନରେ ରାଜ୍ୟର ସବୁ ୧୪୭ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ତାଙ୍କ ସହ ଠିଆ ହେବେ ଓ ବିଜୁ ଜନତା ଦଳକୁ ଅଧିକ ସୁଦୃଢ଼ କରି ରାଜ୍ୟର ବିକାଶକୁ ଶୀର୍ଷରେ ପହଞ୍ଚାଇବାକୁ କାର୍ଯ୍ୟ କରିବେ ବୋଲି ପାଣ୍ଡିଆନ କହିଛନ୍ତି। ଏହି ପରିବାରରେ ସେ ଓଡ଼ିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କାର୍ଯ୍ୟ କରିବାର ପ୍ରତ୍ୟକ୍ଷ ସୁଯୋଗ ପାଇଛନ୍ତି। ଦଳର ଲକ୍ଷ ଲକ୍ଷ କର୍ମୀଙ୍କ ପାଇଁ କାମ କରିବାକୁ କେବେ ସୁଯୋଗ ମିଳି ନ ଥିଲା, ଏବେ ତାହା ମୋତେ ମିଳିଛି। ଏବେ ସରକାର ଓ ଲୋକଙ୍କ ସେବାରେ ଯେଉଁ ରୂପାନ୍ତରୀକରଣ ଆସିଛି ତାହା ସୁଉଚ୍ଚ ହେବାର ପ୍ରତିଶ୍ରୁତି ଦେଉଛି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

Comments are closed.