ଗଞ୍ଜାମରୁ ବିକାଶ ରାଜନୀତି ଆରମ୍ଭ : ବିରୋଧୀଙ୍କୁ ଫିକା କଲେ କାର୍ତ୍ତିକ

ଭୁବନେଶ୍ୱର – ଗଞ୍ଜାମ ଜିଲ୍ଲା ଗସ୍ତ ବେଳେ ବିକାଶକୁ ବିରୋଧ କରୁଥିବା ବିରୋଧୀଙ୍କୁ ଜବାବ ଦେଇଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେବା ପରେ ଗଞ୍ଜାମ ଜିଲ୍ଲାକୁ ପ୍ରଥମ ଗସ୍ତ ଅବସରରେ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ କିଛି ଲୋକଙ୍କୁ ବିକାଶ ଦେଖା ଯାଉନାହିଁ । ରୂପାନ୍ତରଣକୁ ଗ୍ରହଣ କରିପାରୁନାହାନ୍ତି । ରୂପାନ୍ତରଣ କଥା ଆସିଲା ବେଳକୁ ସେମାନେ ଅନ୍ଧ ହୋଇଯାଉଛନ୍ତି । ଆଖି ଖୋଲିଲେ ସମଗ୍ର ଓଡ଼ିଶାର ସବୁଠି ବିକାଶ ଓ ରୂପାନ୍ତରଣ ଜଳଜଳ ହୋଇ ଦେଖାଯିବ । ଶିକ୍ଷାରୁ ସ୍ଵାସ୍ଥ୍ୟସେବା , ଗମନାଗମନରୁ ଐତିହ୍ୟସ୍ଥଳୀର ସୌନ୍ଦର୍ଯ୍ୟକରଣ । ବିକାଶର ନୂଆ ଅଧ୍ୟାୟ ଲେଖୁଛି ଓଡ଼ିଶା । ଐତିହାସିକ ରୂପାନ୍ତରଣ ଦେଖି ବି କିଛି ଲୋକ ବାରମ୍ବାର ଅପପ୍ରଚାର କରୁଛନ୍ତି । ଗଞ୍ଜାମରେ ବିକାଶମୂଳକ କାର୍ଯ୍ୟର ଗ୍ରାଉଣ୍ଡ ଜିରୋ ସମୀକ୍ଷା କରିବା ବେଳେ ବିରୋଧୀଙ୍କୁ ସିଧା ଜବାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ସେ କହିଛନ୍ତି ଯେ, ସାରା ରାଜ୍ୟରେ ରୂପାନ୍ତରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟ କ୍ଲାସରୁମ , ଇ – ଲାଇବ୍ରେରୀ ସାଙ୍ଗକୁ ବିଭିନ୍ନ ସୁବିଧା ସହ ସ୍କୁଲ ରୂପାନ୍ତରଣ ହୋଇଛି । ରାଜ୍ୟରେ ସବୁ କଲେଜର ବଦଳୁଛି ରୂପରେଖ । ବଡ଼ ସ୍ଵପ୍ନ ଦେଖିବାକୁ ଗରିବଙ୍କୁ ଆଜି ସଶକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗରିବରୁ ଗରିବ ଲୋକ ମଧ୍ଯ ନିଜ ସନ୍ତାନକୁ ଡାକ୍ତର , ଇଂଜିନିୟର , ଆଇଏଏସ୍ କରିବାର ସ୍ୱପ୍ନ ଦେଖୁଛି ଓ ତାକୁ ସାକାର କରିବାର ସାମର୍ଥ୍ୟ ମଧ୍ୟ ରଖୁଛି । କେବଳ ସେତିକି ନୁହେଁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ଵାରା ବଡ଼ ହସପିଟାଲରେ ଗରିବଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ମିଳିପାରୁଛି । ସାରା ରାଜ୍ୟରେ ଆମ ହସପିଟାଲ ଯୋଜନା କାର୍ଯ୍ୟକାରୀ ହୋଇଛି । ମେଡିକାଲ କଲେଜ ସଂଖ୍ୟା ବଢିଛି । ଏବେ ଡାକ୍ତର ବଳକା ରାଜ୍ୟ ହୋଇଛି ଓଡ଼ିଶା । ପୁରୀ ଶ୍ରୀମନ୍ଦିରରୁ ସମଲେଇ ମନ୍ଦିର , ଗୁପ୍ତେଶ୍ଵରରୁ ଆଖଣ୍ଡଳମଣି ରାଜ୍ୟର ସବୁ ଐତିହ୍ୟସ୍ଥଳୀର ରୂପାନ୍ତର କରାଯାଇଛି । ସବୁ ପଞ୍ଚାୟତରେ ଥ‌ିବା ମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉଛି । ମିଶନ ଶକ୍ତି , ଆମ ବ୍ୟାଙ୍କ ଭଳି ଅର୍ଥନୈତିକ ଅଭିଯାନ ଦ୍ଵାରା ଲୋକଙ୍କ ଜୀବନଧାରା ବଦଳିଛି । ଲକ୍ଷ୍ମୀ ବସ୍ ଯୋଜନା , ରାସ୍ତା ଓ ସେତୁ ନିର୍ମାଣ ଦ୍ଵାରା ଗମନାଗମନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି । ଯଦି ଏସବୁ ରୂପାନ୍ତରଣ କିଛି ଲୋକଙ୍କୁ ଦିଶୁନି , ତେବେ ସେମାନେ ଆଖି ଖୋଲିବା ଦରକାର ବୋଲି ୫-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଯାଇଥିବା ବେଳେ ଆଜି ଛତ୍ରପୁର ସୁନ୍ଦରେଶ୍ଵର ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା ବେଳେ ସେ ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୧୬ ତାରିଖରୁ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦୁଇ ଦିନିଆ ଗଂଜାମ ଜିଲ୍ଲା ଗସ୍ତ କରିଥିଲେ । ଏହି ଗସ୍ତର ପ୍ରଥମ ଦିନରେ ହିଞ୍ଜିଳିକାଟୁ ନିକଟ ପୋଚିଲିମାଠାରେ ଥିବା ଖମ୍ବେୟାଦୋରା ଜୁନିଅର କଲେଜରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ବଡ଼ ସ୍ଵପ୍ନ ଦେଖ‌ିବାକୁ ଉତ୍ସାହିତ କରିଥିଲେ । ହିଞ୍ଜିଳିକାଟୁ ମିନି ଷ୍ଟାଡିୟମଠାରେ ନୂଆ – ଓ କାର୍ଯ୍ୟକ୍ରମରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ସହ ଭାବର ଆଦାନପ୍ରଦାନ କରିଥିଲେ । ପରେ ଶେରଗଡ଼ ଯାଇ ମିଶନ ଶକ୍ତି ମାଆ ଓ ଚାଷୀମାନଙ୍କ ସହ ପୃଥକ ପୃଥକ ଆଲୋଚନା କରିଥିଲେ । ସଂଧ୍ୟାରେ ବ୍ରହ୍ମପୁରର ଇଷ୍ଟଦେବୀ ମା ‘ ବୁଢୀ ଠାକୁରାଣୀଙ୍କ ମନ୍ଦିର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ ।

ଗସ୍ତର ଦ୍ଵିତୀୟ ଦିନ ଅର୍ଥାତ ଆଜି ( ରବିବାର)ଭୋରରୁ କାର୍ତ୍ତିକ ପାଣ୍ଡିଆନ ପ୍ରଥମେ ଏମକେସିଜି ମେଡିକାଲ କଲେଜ ଯାଇ ସେଠାରେ ଡାକ୍ତରୀ ଛାତ୍ରଙ୍କ ସହ ଆଲୋଚନା କରିଥିଲେ । ତେବେ ରବିବାର ଦିନ ଭୋର ୫ଟା ୪୫ରେ ପହଞ୍ଚିଥିବାରୁ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ପାଣ୍ଡିଆନ । ଏଥିସହ ମେଡିକାଲର ବିଭିନ୍ନ ୱାର୍ଡ ବୁଲିବା ସହ ଏମକେସିଜିରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଡାକ୍ତରୀ ଛାତ୍ରଛାତ୍ରୀ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ମେଡିକାଲ କଲେଜ ରୂପାନ୍ତରଣର ମାଷ୍ଟରପ୍ଲାନ ଅନୁଧ୍ୟାନ କରିଥିଲେ । ୭୬ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଥିବା କ୍ୟାନ୍ସର କେୟାର ସେଣ୍ଟରର ମଧ୍ୟ ସମୀକ୍ଷା କରିଥିଲେ । ଏହି ଅବସରରେ ହାଉସ ସର୍ଜନମାନଙ୍କ ଷ୍ଟାଇପେଣ୍ଡ ମାସିକ ୨୮ହଜାର ଟଙ୍କାରୁ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବାରୁ ଡାକ୍ତରୀ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଗତ ଡାକ୍ତର ଦିବସରେ ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ୫ଟି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥଲେ ।

ଆଜି ମଧ୍ୟ ବ୍ରହ୍ମପୁର ଉପକଣ୍ଠ କୁକୁଡ଼ାଖଣ୍ଡୀର କୁସୁମୀଠାରେ ତିଆରି ହେଉଥ‌ିବା ରିଂ ରୋଡ ଯାଇ ସେଠାରେ ମଧ୍ୟ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ ୫-ଟି ଅଧ୍ୟକ୍ଷ । ୨୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ରିଂରୋଡ କାମ ୨୦୨୫ ଡିସେମ୍ବର ସୁଦ୍ଧା ସାରିବାକୁ ସମୟ ଧାର୍ଯ୍ୟ ହୋଇଛି । ଏହି ପ୍ରକଳ୍ପ ପାଇଁ ସହଯୋଗ କରିଥିବାରୁ ଜନସାଧାରଣଙ୍କୁ ପାଣ୍ଡିଆନ ଧନ୍ୟବାଦ ଦେଇଥିଲେ । ଜିଲ୍ଲାର ସମସ୍ତ ୫-ଟି କଲେଜର ରୂପାନ୍ତରଣ ଫେବ୍ରୁଆରୀ ଶେଷ ସପ୍ତାହ ସୁଦ୍ଧା ସାରିବା ପାଇଁ ଜିଲ୍ଲା ପ୍ରଶାସନକୁ ଏହି ଅବସରରେ ସେ ନିର୍ଦ୍ଦେଶ ଦେଇଥିଲେ । ଗୋପାଳପୁର ମାର୍କଣ୍ଡିଠାରେ ୯୩ କୋଟି ଓ ହରିପୁରଠାରେ ୮୪କୋଟି ବ୍ୟୟରେ ନିର୍ମାଣାଧୀନ ପ୍ରକଳ୍ପର ମଧ୍ଯ ସମୀକ୍ଷା କରିଥିଲେ । ଏହି ପ୍ରକଳ୍ପ ଦ୍ବାରା ନଦୀ ମୁହାଣ ଖୋଲିବାରେ ସହାୟକ ହେବ । ମତ୍ସ୍ୟଜୀବୀମାନେ ବିଶେଷ ଭାବେ ଉପକୃତ ହେବେ । ଛତ୍ରପୁର ନିକଟ ଋଷିକୂଲ୍ୟା ନଦୀର କଂସାରୀଗଣ୍ଡଠାରେ ନିର୍ମାଣାଧୀନ ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ବା ପ୍ରବାହିତ ଜଳରେ ଜଳସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟର ମଧ୍ଯ ସମୀକ୍ଷା କରିଥିଲେ ୫-ଟି ଅଧ୍ୟକ୍ଷ ।

ଖଲ୍ଲିକୋଟରେ ୧୧୪କୋଟି ଟଙ୍କା ବ୍ୟୟରେ ସାଳିଆଡ୍ୟାମରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ମଧ୍ୟ ସେ ସମୀକ୍ଷା କରିଥିଲେ । ୧୫୭୨କୋଟି ଟଙ୍କା ବ୍ୟୟରେ ପୋଲସରା ଓ କବିସୂର୍ଯ୍ୟନଗର ଅଞ୍ଚଳରେ ନିର୍ମାଣାଧୀନ ମେଗା ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ମଧ୍ଯ ସମୀକ୍ଷା କରିଥିଲେ ୫-ଟି ଅଧ୍ୟକ୍ଷ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଉଭୟ ପୋଲସରା ଓ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ୧୧ଟି ବ୍ଲକବାସୀ ଉପକୃତ ହେବେ । ୫୦କୋଟି ଟଙ୍କା ବ୍ୟୟରେ ଆସିକା ଉପଖଣ୍ଡ ହସ୍ପିଟାଲ ଉନ୍ନତିକରଣ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ କାର୍ତ୍ତିକ ପାଣ୍ଡିଆନ । ଭଞ୍ଜନଗରଠାରେ ୧୯୧୩ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ , ୧୨୦ କୋଟି ବ୍ୟୟରେ ନୂଆଗାଁଠାରେ ଋଷିକୂଲ୍ୟା ନଦୀର ଜଳସେଚନ ଯୋଜନା , ୩୦କୋଟି ୬୨ଲକ୍ଷ ବ୍ୟୟରେ ବଡନଦୀରେ ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ ସଂପର୍କରେ ସ୍ଥାନୀୟ ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ସହ ଆଲୋଚନା କରିଥିଲେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର , ଛତ୍ରପୁର ନିକଟସ୍ଥ ସୁନ୍ଦରେଶ୍ୱର , ପୁରୁଷୋତ୍ତମପୁରର ତୁମ୍ବେଶ୍ଵର , ପୋଲସରା ନିକଟସ୍ଥ ମାରଦାର ଶୂନ୍ଯ ମନ୍ଦିର , ଆଠଗଡ଼ର ଶ୍ରୀଜଗନ୍ନାଥ ମନ୍ଦିର , ଆସିକାର ପ୍ରସିଦ୍ଧ ଖମ୍ବେଶ୍ଵରୀ ମନ୍ଦିର ଓ ଶେଷରେ କୁଲାଡ଼ର ମାଆ ବ୍ୟାଘ୍ରଦେବୀଙ୍କ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା କରିଥିଲେ ୫-ଟି ଅଧ୍ୟକ୍ଷ । ପାଣ୍ଡିଆନଙ୍କ ଗସ୍ତ ଅବସରରେ ପ୍ରତ୍ୟେକ ସ୍ଥାନରେ ହଜାର ହଜାର ଲୋକ ଉପସ୍ଥିତ ରହି ତାଙ୍କୁ ଉଲ୍ଲସିତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀଙ୍କ ସ୍ଵପ୍ନର ନୂଆ ଓଡ଼ିଶା ଗଠନରେ ସାମିଲ ହେବାକୁ ସେ ଆହ୍ବାନ ଦେଇଥିଲେ । ସର୍ବୋପରି ରାଜ୍ୟର ସବୁଠୁ ଗରିବ ବ୍ୟକ୍ତିକୁ ବଡ ସ୍ବପ୍ନ ଦେଖିବାକୁ ସକ୍ଷମ କରିବା ସହ ନୂତନ ଓଡ଼ିଶା ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ରୂପାନ୍ତରଣ କରୁଥିବା ସେ କହିଛନ୍ତି । ଦୁଇ ଦିନିଆ ଗଂଜାମ ଗସ୍ତ ବେଳେ ଜିଲ୍ଲାର ବିଭିନ୍ନ ମନ୍ଦିର ଓ କଲେଜର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଂଜୁର କରିଥିବା କଥା କାର୍ତ୍ତିକ ପାଣ୍ଡିଆନ ଘୋଷଣା କରିଛନ୍ତି । କେବଳ ମନ୍ଦିର ରୂପାନ୍ତରଣ ପାଇଁ ୧୧ କୋଟି ୫୦ଲକ୍ଷ ଟଙ୍କା ମଂଜୁର ହୋଇଥିବା ସେ ଘୋଷଣା କରିଥିଲେ ।

ରଙ୍ଗେଇଲୁଣ୍ଡା ବ୍ଲକର ଧବଳେଶ୍ଵର ମନ୍ଦିର ପାଇଁ ୧କୋଟି ୨୦ଲକ୍ଷ , ଛତ୍ରପୁର ବ୍ଲକର ସୁନ୍ଦରେଶ୍ଵର ମନ୍ଦିର ପାଇଁ ଦେଢ କୋଟି , ରାମଚଣ୍ଡୀ ମନ୍ଦିର ପାଇଁ ୨କୋଟି ୨୦ଲକ୍ଷ , ବଟେଶ୍ବର ମନ୍ଦିର ପାଇଁ ୧ କୋଟି ୫୦ ଲକ୍ଷ ମଂଜୁର ହୋଇଛି । ସେହିପରି ପୁରୁଷୋତ୍ତମପୁର ବ୍ଳକର ତୁମ୍ବେଶ୍ଵର ମନ୍ଦିରର ଉନ୍ନତିକରଣ ପାଇଁ ୧ କୋଟି ୨୦ଲକ୍ଷ ମଞ୍ଜୁର କରାଯାଇଛି । ପୋଲସରା ବ୍ଳକର ମାରଦା ମନ୍ଦିରର ଉନ୍ନତି ପାଇଁ ୨ କୋଟି ଟଙ୍କା ମଂଜୁର ହୋଇଛି । ଆଠଗଡ ଜଗନ୍ନାଥ ମନ୍ଦିର ଉନ୍ନତିକରଣ ପାଇଁ ୨ କୋଟି , ଖଲ୍ଲିକୋଟ ନାରାୟଣୀ ମନ୍ଦିର ପାଇଁ ୨ କୋଟି ଟଙ୍କା , ଆସିକା ଖମ୍ବେଶ୍ୱରୀ ମନ୍ଦିର ପାଇଁ ୧ କୋଟି ୮ଲକ୍ଷ ଟଙ୍କା ମଂଜୁର ହୋଇଛି । କୁଲାଡ ବ୍ୟାଘ୍ରଦେବୀ ମନ୍ଦିର ପାଇଁ ୧କୋଟି ୮୮ଲକ୍ଷ ମଂଜୁର ହୋଇଛି । ସେହିଭଳି ପଞ୍ଚମା ସିଦ୍ଧ ବିନାୟକ ମନ୍ଦିର ଉନ୍ନତି ପାଇଁ ୧ କୋଟି ୨୦ଲକ୍ଷ , ଖଲ୍ଲିକୋଟ କଲେଜ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା କେଶପୁର କଲେଜର ବିକାଶ ପାଇଁ ୧ କୋଟି ଟଙ୍କା ମଂଜୁର ହୋଇଛି । କବିସୂର୍ଯ୍ୟନଗର ମାତା ସରସ୍ଵତୀ ମନ୍ଦିର ପାଇଁ ୧ କୋଟି , କୋଦଳା ଦଣ୍ଡେଶ୍ଵର ମନ୍ଦିର ପାଇଁ ୫୦ ଲକ୍ଷ ମଂଜୁର ହୋଇଛି । କବିସୂର୍ଯ୍ୟନଗରର ସମସ୍ତ କଲେଜ ପାଇଁ ୧ କୋଟି ଲେଖାଏଁ ମଂଜୁର ହୋଇଥ‌ିବା କାରିକ ପାଣିଆଳ ଘୋଷଣା କରିଛନ୍ତି । ଏହି ଗସ୍ତ ସମୟରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ , ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଜେଡି ପର୍ଯ୍ୟବେକ୍ଷକ ତଥା ସାଂସଦ ମାନସ ରଂଜନ ମଙ୍ଗରାଜ ଓ ବିଭିନ୍ନ ର୍ନିବାଚନ ମଣ୍ଡଳୀର ବିଧାୟକ , ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Comments are closed.