ଆଜି ଓଢ଼ଣଷଷ୍ଠୀ ବା ପ୍ରାବରଣ ଷଷ୍ଠୀ, ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଆରମ୍ଭ ହେବ ଘୋଡ଼ଲାଗି ନୀତି

ମହାପ୍ରଭୁଙ୍କ ମାନବୀୟ ଲୀଳା ମଧ୍ୟରେ ପ୍ରାବରଣ ଷଷ୍ଠୀ ଉତ୍ସବ ହେଉଛି ଅନ୍ୟତମ ଲୀଳା ଉତ୍ସବ । ଯିଏ ପରମ ବ୍ରହ୍ମ ନିରାକାର ପରମାତ୍ମା ତାଙ୍କୁ ସାଧାରଣ ଜୀବମାନଙ୍କ ପରି ଶୀତ ଅନୁଭୂତ ହୁଏ । ସତରେ କଣ ଏହା ସମ୍ଭବ କି ? ଯା ଠାରୁ ସମସ୍ତ ସଂସାର ଉତ୍ପନ୍ନ ସେ ଛାର ଶୀତର ଅଧୀନ ହେବା ଆଶ୍ଚର୍ଯ୍ୟର କଥା ନୁହେଁ । ଋତୁ ମାନଙ୍କ ପ୍ରଭାବ ସଂସାରରେ ସମସ୍ତଙ୍କୁ ଉଣା ଅଧିକେ ଅନୁଭୂତ ହୁଏ । ଯାହାଦ୍ବାରା ପ୍ରକୃତିରେ ବିଭିନ୍ନ ପରିବର୍ତ୍ତନମାନ ହୋଇଥାଏ । ପ୍ରତ୍ୟେକ ଋତୁ ଗୁଡିକରେ କର୍ତ୍ତବ୍ୟକୁ ସମ୍ମାନ ଜଣାଇ ମହାପ୍ରଭୁଙ୍କ ଋତୁ ଅନୁଯାୟୀ ବେଶ ଓ ଉତ୍ସବ ଗୁଡିକ ଅନୁଷ୍ଠିତ ହୋଇଥାଏ । ମାର୍ଗଶିର ଶୁକ୍ଳପକ୍ଷ ଷଷ୍ଠୀ ଓଢ଼ଣ ଷଷ୍ଠୀ ନାମରେ ପରିଚିତ । ଶୀତର ପ୍ରକୋପ କମି ଆସିଲେ ସାଧାରଣ ଲୋକେ ଯେପରି ପତଳା ଋଦର ଓ ଜାମା ପରିଧାନ କରିଥାନ୍ତି, ମହାପ୍ରଭୁ ସେହିପରି ବସନ୍ତ ପଞ୍ଚମୀଠାରୁ ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଜାମା ବା ଟେକାପୋଡ଼ ପରିଧାନ କରିଥାନ୍ତି । । ଶ୍ରୀମନ୍ଦିରରେ ପାଳିତ ହେଉଥିବା ପ୍ରସିଦ୍ଧ ‘ଦ୍ଵାଦଶ ଯାତ୍ରାମାନ’ଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ଯାତ୍ରାଭାଗବତରେ ଉଲ୍ଲେଖ ରହିଛି, ମାନବ ସର୍ବାଭିଷ୍ଟ ଫଳପ୍ରାପ୍ତି ନିମନ୍ତେ ଜଗଦୀଶ୍ବରଙ୍କୁ ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଉତ୍ତମ ବସ୍ତ୍ରମାନଙ୍କ ଦ୍ଵାରା ଆଚ୍ଛାଦିତ କରିବା ବିଧେୟ । ସେହିପରି ସ୍କନ୍ଦ ପୁରାଣ, ବାମଦେବ ସଂହିତା ଓ ନୀଳାଦ୍ରିମହୋଦୟାଦି ଗ୍ରନ୍ଥଗୁଡ଼ିକରେ ମଧ୍ୟ ମହାପ୍ରଭୁଙ୍କର ଏହି ପ୍ରିୟ ଯାତ୍ରା ସମ୍ବନ୍ଧରେ ଉଲ୍ଲେଖ ରହିଛି ଏହି ଉତ୍ସବ ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥିରେ ପାଳିତ ହେଉଥିଲେ ମଧ୍ୟ ଏହାର ଅଧିବାସ ବିଧି ତାହାର ପୂର୍ବଦିନ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଥାଏ । ପଞ୍ଚମୀ ଦିନ ମହାପ୍ରଭୁଙ୍କର ରାତ୍ର ଚନ୍ଦନଲାଗି ବଢ଼ିବା ପରେ ପତନି, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନମୋହନଙ୍କ କବରି, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧୁବାସ ପାଇଁ ରହିଥାଏ।ଏହା ଆଗରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ । ପୂଜାପଣ୍ଡାଙ୍କ ଦ୍ଵାରା କଟାଯାଇଥିବା ତିନିଗୋଟି ମଣ୍ଡଳ ଉପରେ ଚାଙ୍ଗଡ଼ାରେ ଘୋଡ଼ମାନଙ୍କୁ ରଖାଯିବା ପରେ ଅଧିବାସ କର୍ମ ବଢ଼ିଥାଏ । ଏହାପରେ ଦ୍ଵାର ବନ୍ଦ କରାଯାଇ ମୁଦ ଦିଆଯାଇଥାଏ । ବଡ଼ସିଂହାର ଭୋଗ ସରି ଠାକୁରମାନଙ୍କର ମୈଲମ ବଢ଼ିବା ପରେ ପାଣିପଡ଼ି ମହାସ୍ନାନ ବଢ଼େ ଏହାପରେ ଠାକୁରମାନେ ଝିନ ପତନି ଲାଗି ହୁଅନ୍ତି । ସର୍ବାଙ୍ଗଲାଗି ବଢ଼ିବା ପରେ ପଇଡ଼, ବିଡ଼ିଆ, ଘଷାମଣୋହି – ବଢ଼ି ଆଳତି ହେବା ପରେ ପହୁଡ଼ ହୋଇଥାଏ । ଏହି ଦିନ ଅଧୁବାସ ଯୋଗୁଁ ପୁଷ୍ପାଞ୍ଜଳି ଠାକୁର ବିଜେ ହୁଅନ୍ତି ନାହିଁ ।

ଷଷ୍ଠୀଦିନ ମହାପ୍ରଭୁଙ୍କର ସକାଳଧୂପ ବଢ଼ିବା ପରେ ମୈଲମ ହୁଏ । ଗତ , ଦିନ ଭୋଗମଣ୍ଡପ ଘରେ ଅଧୁବାସିତ ହୋଇଥିବା ଘୋଡ଼ମାନଙ୍କୁ ଘଣ୍ଟ, ଛତା, , କାହାଳି ସହ ପଟୁଆରରେ ବଡ଼ଦେଉଳକୁ ସାଢ଼େ ତିନିବେଢ଼ା ଓ ରତ୍ନସିଂହାସନକୁ ସାଢ଼େ ତିନିବେଢ଼ା, ଏହିପରି ସମୁଦାୟ ସାତବେଢ଼ା ପ୍ରଦକ୍ଷିଣ କରାଇ ରତ୍ନ ସିଂହାସନକୁ ବିଜେ କରାଯାଏ । ସିଂହାସନରେ ଠାକୁରମାନଙ୍କର ପାଗ ଓ ଘୋଡ଼ଲାଗି ବଢ଼ି ଲେ ଛଅମୂର୍ତ୍ତି ଅଳକାଂର ଲାଗିହୋଇ ଶ୍ରୀଅଙ୍ଗରେ ପ୍ରସାଦଲାଗି ବଢ଼ିଲେ ତିନିବାଡ଼ରେ ବନ୍ଦାପନା ହୋଇଥାଏ ।ଏହାପରେ ଅନ୍ୟାନ୍ୟ ନୀତିମାନ ଅନୁଷ୍ଠିତ ହୋଇଥାଏ । ପ୍ରତିଦିନ ଅବକାଶ ପରେ, ମଧାହ୍ନଧୂପ ଓ ସନ୍ଧ୍ୟାଧୂପ ପରେ ଘୋଡ଼ଲାଗି ହୁଏ । ଘୋଡ଼ଲାଗି ବେଶରେ ଗଡ଼ା (ସୂତାବସ୍), ଖଣ୍ଡୁଆ ପାଟ, ଭେଲ୍ଭେଟ୍ର ଘୋଡ଼ବସ୍ତ୍ର, ଫୁଟା, ମଫଲର, ଟୋପର ଆଦି, ବ୍ୟବହୃତ ହୋଇଥାଏ । ଏହି ବେଶରେ ଠାକୁରମାନେ ଚୂଳଲାଗି ହୁଅନ୍ତି । ବିଧୁ ଅନୁଯାୟୀ ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ବସ୍ତ୍ର ଲାଗି ହୋଇଥାନ୍ତି ।

Comments are closed.