ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ପାଇଁ କର୍ମଶାଳା

ବଲାଙ୍ଗିର : ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୂପକ୍ଷ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭା ଗୃହଠାରେ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ସିଂହ ଯୋଗଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ବିପର୍ଯ୍ୟୟ ପ୍ରଶମନରେ ଗୋଷ୍ଠିର ଭୂମିକା ଓ ଯୁବ ସମାଜ କିଭଳି ଭାବରେ ବିପର୍ଯ୍ୟୟକୁ ହ୍ରାସ କରିପାରିବେ ସେହି ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ତୃଣମୂଳ ସ୍ତରରେ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନାର ଆବଶ୍ୟକତା ଉପରେ ବୁଝାଇଥିଲେ । ଜିଲ୍ଲା ଜରୁରୀ ଅଧିକାରିଣୀ ସସ୍ମିତା ପ୍ରଧାନ କର୍ମଶାଳାକୁ ପରିଚାଳନା କରିଥିଲେ । କର୍ମଶାଳାରେ ବିପର୍ଯୟର ମୂଲ୍ୟାଙ୍କନ, ପରିସ୍ଥିତି ବିଶ୍ଲେଷଣ, ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ, ସ୍ଥାନାନ୍ତର ପ୍ରକ୍ରିୟା ଏବଂ ଗୋଷ୍ଠୀର ଯୋଗଦାନ କୌଶଳ ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲା ବିପର୍ଯ୍ୟୟ କ୍ଷୟକ୍ଷତି ହ୍ରାସ ପରାମର୍ଶଦାତା ଶ୍ରୀ ବିକାଶ ରଞ୍ଜନ କର ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନ। ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୨୫୦ ଗୋଟି ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ୨୦୨୩ -୨୪ ବର୍ଷରେ ଆହୁରି ୨୫୦ ଗୋଟି ଗ୍ରାମକୁ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନାରେ ସାମିଲ କରିବାପାଇଁ ନିଷ୍ପତି ହୋଇଥିଲା । ।

ଏହି ବୈଠକରେ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିମାନଙ୍କ ଅଧ୍ୟକ୍ଷ/ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଓଡ୍ରାଫ ୟୁନିଟ ଓ ଅଗ୍ନିଶମ ବିଭାଗ ବଲାଙ୍ଗିରର କର୍ମଚାରୀ, ବିଭାଗୀୟ ଅଧିକାରୀ ଓ ଏନ.ଜି.ଓ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଜିଲ୍ଲା ବିପର୍ଯ୍ୟୟ କ୍ଷୟକ୍ଷତି ହ୍ରାସ ପରାମର୍ଶଦାତା ବିକାଶ ରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଶାଳାରେ ଜିଲ୍ଲା ଜରୁରୀ ଶାଖାର ବରିଷ୍ଠ ରାଜସ୍ୱ ସହାୟକ ଜୟନ୍ତ ବେହେରା, ସଞ୍ଜୟ ମିଶ୍ର ଏବଂ ବୈଷୟିକ ସହାୟକ ଇଶାନେଶ୍ବର ମିଶ୍ର ସହଯୋଗ କରିଥିଲେ ।

Comments are closed.