ଆରମ୍ଭ ହେଲା ଗଜପତି ମହୋତ୍ସବ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସହର ଗଜପତି ଷ୍ଟାଡିୟମରେ ‘ପଦାମୃତ ନୃତ୍ୟାୟନ’ ସଂସ୍ଥାର ପ୍ରସିଦ୍ଧ ପାଇକ ଆଖଡ଼ା ନୃତ୍ୟରୁ ଆରମ୍ଭ ହୋଇଥିଲା ଗଜପତି ଉତ୍ସବର ପ୍ରଥମ ରଜନୀ। ପରେ ପରେ ଆସାମର ବିହୁ, ରାଜସ୍ଥାନ ଓ ଉତ୍ତରପ୍ରଦେଶର ଲୋକ ନୃତ୍ୟ, ମହାରାଷ୍ଟ୍ରର ଲାବନ୍ୟ ସମେତ ବ୍ରହ୍ମପୁରର ଯୋଡ଼ି ଶଙ୍ଖ, ବଲାଙ୍ଗିରର କୋଶଳ ଏକାଡେମୀ ପକ୍ଷରୁ ଡାଲଖାଇ ନୃତ୍ୟ, ଗଜପତି ଜିଲ୍ଲାର ତାଇକୋଣ୍ଡୋ ଖେଳାଳି ମାନଙ୍କ ଆତ୍ମରକ୍ଷା କୌଶଳ ଏବଂ ସ୍ଥାନୀୟ ସାଂସ୍କୃତିକ ଦଳମାନଙ୍କ ଚିତ୍ତାକର୍ଷକ ନାଚ ଗୀତ ଶୀତୁଆ ରାତିରେ ସୁଦ୍ଧା ଦେଖଣାହାରୀଙ୍କ ମନ ଓ ଶରୀରରେ ଆନନ୍ଦ ଉଲ୍ଲାସର ଉଷ୍ମତା ଭରି ଦେଉଥିଲା। ଦର୍ଶକ ଓ ଶ୍ରୋତାମାନେ ଉତ୍ସବର ପ୍ରଥମ ସନ୍ଧ୍ୟାର ମନୋରଞ୍ଜନ ଭରା ସାଂସ୍କୃତିକ କାର୍ଯ୍ୟକ୍ରମ ଭରପୁର ଉପଭୋଗ କରିଥିଲେ।

ପ୍ରବଳ ଉତ୍ସାହ ଉଦ୍ଦୀପନାର ସହ ଆରମ୍ଭ ହୋଇଥିବା ପାଞ୍ଚଦିନିଆ ଗଜପତି ମହୋତ୍ସବ ବେଳେ ପ୍ରବଳ ଜନସମାଗମ ହିଁ ଲୋକଙ୍କ ଆଗ୍ରହ ଦର୍ଶାଇ ଦେଉଥିଲା। ଗଜପତି ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ ଓ ସମୃଦ୍ଧ ପରମ୍ପରାର ସମାରୋହ ଗଜପତି ଉତ୍ସବ ସହ ଆରମ୍ଭ ହୋଇଛି ପଲ୍ଲିଶ୍ରୀ ମେଳା, ଖାଦ୍ୟ ମେଳା, ଲୋକ କଳା ଉତ୍ସବ ଏବଂ କୃଷି ମେଳା।

ପ୍ରଥମେ ସହରର ଜଗନ୍ନାଥ ମନ୍ଦିର ଠାରୁ ମଶାଲ ଜ୍ୟୋତିକୁ ଏକ ଶୋଭାଯାତ୍ରା ମାଧ୍ୟମରେ ଉତ୍ସବ ସ୍ଥଳକୁ ନିଆଯାଇଥିଲା। ପ୍ରଥମ ସନ୍ଧ୍ୟା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ତଥା ଗଜପତି ଉତ୍ସବ ପାଳନ କମିଟି ଅଧ୍ୟକ୍ଷ ସ୍ମୃତି ରଞ୍ଜନ ପ୍ରଧାନ ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଥିଲେ ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିକାଶ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା। ମୋହନା ବିଧାୟକ ଦାଶରଥି ଗମାଙ୍ଗ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମରିୟମ ରଇତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଏସପି ସ୍ୱାତୀ ଏସ୍‌.କୁମାର, ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଗଜପତି, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ ପ୍ରମୁଖ ମଞ୍ଚ। ଅତିଥିମାନେ ପଲ୍ଲିଶ୍ରୀମେଳା ସମେତ ବିଭିନ୍ନ ବିଭାଗର ଷ୍ଟଲ୍ ପରିଦର୍ଶନ କରି ପ୍ରଶଂସା କରିଥିଲେ।

Comments are closed.