ଆଜିଠାରୁ ଏସଜିଏଫଆଇ ଜାତୀୟସ୍ତରୀୟ ଭଲିବଲ ଓ ରଗବୀ ପ୍ରତିଯୋଗିତା

ଭୁବନେଶ୍ୱର – ସ୍କୁଲ୍ ଗେମସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ( ଏସଜିଏଫଆଇ ) ଆନୁକୂଲ୍ୟରେ ୬୭ତମ ଜାତୀୟ ସ୍ତରୀୟ ଭଲିବଲ୍‌ ଓ ରଗବୀ ପ୍ରତିଯୋଗିତା କିଟ୍ – କିସ୍ କ୍ୟାମ୍ପସରେ ଆଜିଠାରୁ ଆରମ୍ଭ ହେଉଛି । ପ୍ରତିଯୋଗିତା ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୪ ବର୍ଷରୁ କମ୍ ବାଳକ ଓ ବାଳିକାମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାକୁ ବିଦ୍ୟାଳୟ ଓ ଗଣଶିକ୍ଷା , ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି , କ୍ରୀଡ଼ା ଓ ଯୁବସେବା , ଗୃହ ମନ୍ତ୍ରୀ ତୁଷାର କାନ୍ତ ବେହେରା , ଭୁବନେଶ୍ଵର ( ଉତ୍ତର ) ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଉଦ୍‌ଘାଟନ କରିବେ । ଓଡିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ହେଉଥ‌ିବା ଏହି ପ୍ରତିଯୋଗିତାରେ ଭାରତର ୪୪ ଗୋଟି ଆଫିଲେଟେଡ୍ ୟୁନିଟରୁ ୧୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗ ନେବେ । ରାଜ୍ୟସ୍ତରରୁ ଚୟନ କରାଯାଇଥିବା ଟିମ୍ ଏହି ଜାତୀୟସ୍ତରୀୟ କ୍ରୀଡ଼ାରେ ଭାଗ ନେଉଛନ୍ତି । ଏହାର ସୁପରିଚାଳନା ପାଇଁ ସମସ୍ତ ରାଜ୍ୟରୁ ମ୍ୟାନେଜର , କୋଚ୍ ଓ କ୍ରୀଡ଼ା ପରିଚାଳନା ପାଇଁ ଦକ୍ଷ ପରିଚାଳକ ନିଯୁକ୍ତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀ ବୃନ୍ଦ ଉପସ୍ଥିତ ରହିବେ ।

Comments are closed.