ମହିଳା ଟେଷ୍ଟ : ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳର ଐତିହାସିକ ବିଜୟ

ମୁମ୍ବାଇ – ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଜାତୀୟ ମହିଳା କ୍ରିକେଟ ଦଳର ବଡଦିନ ଉପହାର। ଟେଷ୍ଟ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଦଳ ଆଉ ଏକ ଐତିହାସିକ ବିଜୟ ହାସଲ କରିଛି । ମୁମ୍ବାଇରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପ୍ରଥମ ଥର ପାଇଁ ଏକ ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଛି ।

ୱ।ଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚର ଆଜି ଚତୁର୍ଥ ତଥା ଶେଷ ଦିନରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସ ୨୬୧ରେ ଶେଷ ହୋଇଥିଲା । ଫଳରେ ପ୍ରଥମ ଇନିଂସରେ ୧୮୭ ରନରେ ଅଗ୍ରଣୀ ନେଇଥିବା ଭାରତୀୟ ଦଳ ପାଇଁ ମାତ୍ର ୭୫ ରନର ବିଜୟ ଲକ୍ଷ୍ୟ ରଖିଥିଲା ଅଷ୍ଟ୍ରେଲିଆ। ଭାରତ ଏହି ଲକ୍ଷ୍ୟକୁ ମାତ୍ର ଦୁଇ ୱିକେଟ ହରାଇ ହାସଲ କରିନେଇଥିଲା । ଓପ୍ନର ଶେଫାଳି ବର୍ମା ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ ମଧ୍ୟ ସ୍ମୃତି ମନ୍ଧାନା ଓ ରିଚା ଘୋଷ ଦ୍ୱିତୀୟ ୱିକେଟରେ ୫୧ ରନ୍ କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ । ରିଚା ୧୩ ରନ୍ କରି ଆଉଟ୍ ହୋଇଥିଲେ। ଓପ୍ନର ସ୍ମୃତି ମନ୍ଧାନା ଓ ଜେମିମା ରୋଡ୍ରିଗଜ ଆଉ କୋୖଣସି କ୍ଷତି ନ ହେବାକୁ ଦେଇ ବିଜୟ ପାଇଁ ବାକି ରନ୍ ସଂଗ୍ରହ କରି ନେଇଥିଲେ। ୮ ୱିକେଟରେ ଏକ ବୃହତ ଓ ଐତିହାସିକ ବିଜୟ ହାସଲ କରିଥିଲା ହରମନପ୍ରୀତ କଉରଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ମନ୍ଧାନା ୩୮ ଓ ଜେମିମା ୧୨ ରନ୍ କରି ଅପରାଜିତ ଥିଲେ ।

ଏହି ଟେଷ୍ଟର ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୨୧୯ ରନ କରିଥିଲା । ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ ୪୦୬ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୭୮ ରନ୍ କରିଥିବା ବେଳେ ମନ୍ଧାନା ୭୪ ଓ ରଡ୍ରିଗଜ ୭୩ ରନ୍ କରିଥିଲେ । ରିଚା ଘୋଷ ୫୨ ଓ ପୂଜା ଭସ୍ତ୍ରାକର ୪୭ ରନ୍ କରିଥିଲେ। ୧୮୭ ରନର ବୃହତ ଅଗ୍ରଣୀ ନେଇଥିବାରୁ ଭାରତ ପାଇଁ ବିଜୟ ସହଜ ହୋଇଥିଲା । ମ୍ୟାଚରେ ମୋଟ ୭ଟି ୱିକେଟ ନେଇଥିବା ସ୍ନେହା ରାଣା ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ମଧ୍ୟ ଏକ ଟେଷ୍ଟ ମ୍ୟାଚରେ ହରାଇଥିଲା । ୩୪୭ ରନରେ ଇଂଲଣ୍ଡକୁ ହରାଇଥିଲା ଭାରତ, ଯାହା କି ମହିଳା ଟେଷ୍ଟ ଇତିହାସରେ ରନ୍ ଦୃଷ୍ଟିରୁ ସର୍ବାଧିକ ବ୍ୟବଧାନରେ ବିଜୟ।

Comments are closed.