ଚେନ୍ନାଇରେ ଶାଶୁକୁ ହତ୍ୟା କରିଥିବା ଅଭିଯୁକ୍ତ ୨୮ ବର୍ଷ ପରେ ବ୍ରହ୍ମପୁରରୁ ଗିରଫ 

ବ୍ରହ୍ମପୁର – ଚେନ୍ନାଇରେ ନିଜ ଶାଶୁଙ୍କୁ ହତ୍ୟା କରିବା ସହ ପତ୍ନୀ ଓ ଶାଳକଙ୍କୁ ଆକ୍ରମଣ ମାମଲାର ଅଭିଯୁକ୍ତ ଦୀର୍ଘ ୨୮ ବର୍ଷ ପରେ ପୋଲିସ ହାତରେ ଧରାପଡିଛି । ବ୍ରହ୍ମପୁରରୁ ଅଭିଯୁକ୍ତ ହରିହର ପଟ୍ଟଯୋଶୀକୁ ଗିରଫ କରାଯାଇଛି। ୧୯୯୫ ମସିହା ପରଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନ ଓ ସୁରଟରେ ଲୁଚିଥିଲା ହରିହର । ଏପରିକି ସେ ଦ୍ୱିତୀୟ ବିବାହ ମଧ୍ୟ କରିଛି । ତାକୁ ଧରିବା ପାଇଁ ପୋଲିସର ସବୁ ଉଦ୍ୟମ ବ୍ୟର୍ଥ ହୋଇଥିଲା । ସପ୍ତାହ ତଳେ ଚେନ୍ନାଇର ଆଡମବକମ ପୋଲିସ ଷ୍ଟେସନର ଚାରି ଜଣିଆ ପୋଲିସ ଟିମ୍ ବ୍ରହ୍ମପୁର ଆସି ଗୋସାଣୀ ନୂଆଗାଁ ପୋଲିସ ସହ ଯୋଗାଯୋଗ କରିଥିଲେ । ଏ‌ହାପରେ ଗୋସାଣୀ ନୂଆଗାଁ ପୋଲିସ ପକ୍ଷରୁ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ଆଇଆଇସି ସ୍ମୃତିଙ୍କ ନେତୃତ୍ଵରେ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇଥିଲା। ପ୍ରାୟ ସପ୍ତାହର ଧରପଗଡ ଅଭିଯାନ ପରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ଗୋସାଣୀ ନୂଆଗାଁ ପୋଲିସ ଟିମ୍ । ରେଳ ଷ୍ଟେସନକୁ ଲୁଚି ପଳାଉଥିବା ବେଳେ ହରିହର ଧରାପଡିଥିଲା । ହରିହର ଗୋସାଣୀ ନୂଆଗାଁ ଥାନା ଅଞ୍ଚଳରେ ହିଁ ରହୁଥିଲା ।

ବ୍ରହ୍ମପୁରର ହରିହର ୧୯୯୪ ମସିହାରେ ଚେନ୍ନାଇରେ ଏକ ବିଜ୍ଞାପନ କମ୍ପାନୀର ପ୍ରିଣ୍ଟିଂ ପ୍ରେସରେ କାମ କରୁଥିବା ବେଳେ ଇନ୍ଦିରା ନାମ୍ନୀ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲା । ଯୁବତୀ ଜଣକ ଚେନ୍ନାଇର ଏକ କମ୍ପାନୀରେ ଟେଲିମାର୍କେଟିଂ ଏକଜିକ୍ୟୁଟିଭ ଭାବେ କାମ କରୁଥିଲେ । ବିବାହର କିଛି ମାସ ପରେ ଘରୋଇ ହିଂସା ଯୋଗୁଁ ଇନ୍ଦିରା , ହରିହରଠାରୁ ଅଲଗା ହୋଇଯିବା ସହ ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ହରିହର ୧୯୯୫ ଅଗଷ୍ଟ ୯ ତାରିଖରେ ଇନ୍ଦିରା, ଶାଶୁ ରମା (୪୮) ଓ ଶାଳକଙ୍କୁ ଆକ୍ରମଣ କରିଥିଲା । ହରିହରର ଆକ୍ରମଣରେ ଶାଶୁ ରମା ପ୍ରାଣ ହରାଇଥିବା ବେଳେ ସ୍ତ୍ରୀ ଇନ୍ଦିରା ଓ ଶାଳକ କାର୍ତ୍ତିକ (୨୪)ଗୁରୁତର ଆହତ ହୋଇଥିଲେ। ଏ ନେଇ ଚେନ୍ନାଇର ଆଡମବକମ ପୋଲିସ ଷ୍ଟେସନରେ ହତ୍ୟା ମାମଲା ରୁଜୁ ହୋଇଥିଲା। କିନ୍ତୁ ଅଭିଯୁକ୍ତ ହରିହର ଚେନ୍ନାଇରୁ ଓଡ଼ିଶା ପଳାଇ ଆସିଥିଲା । ପ୍ରଥମେ ସେ ଆସିକାରେ ନିଜର ଜଣେ ବନ୍ଧୁଙ୍କ ଘରେ ଲୁଚିଥିଲା । ୨୦୦୧ରେ ସେଠାରେ ସେ ଆଉ ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସି ଦ୍ୱିତୀୟ ବିବାହ କରିଥିଲା। ପରେ ସେ ବ୍ରହ୍ମପୁରର ଏକ ମସାଲା କମ୍ପାନୀ ଓ ପରେ କେନ୍ଦ୍ରାପଡାରେ ବଜାଜ ଇନସୁରାନ୍ସରେ ସେଲସମ୍ୟାନ ଭାବେ କାମ କରିଥିଲା ହରିହର । ବ୍ରହ୍ମପୁରର ଏକ ଚିଟଫଣ୍ଡ କମ୍ପାନୀରେ ମ୍ୟାନେଜର ବି ଥିଲା ହରିହର । ସେ ବାରମ୍ବାର ଘର ବଦଳାଉଥିଲା । ତା’ର ଦ୍ୱିତୀୟ ପତ୍ନୀ ଠାରୁ ହରିହରର ଏକ ଝିଅ ଅଛି । ଦ୍ୱିତୀୟ ପତ୍ନୀ ବ୍ରହ୍ମପୁର ଅନ୍ଦପସରା ଛକରେ ଏକ ଲୁଗା ଦୋକାନ କରିଥିବା ପୋଲିସ କହିଛି ।

Comments are closed.