ଜିରୋ ନାଇଟ୍‌ ପାଳନ ପାଇଁ କମିଶନରେଟ୍‌ ପୋଲିସର ମାର୍ଗଦର୍ଶିକା ଜାରି 

ଭୁବନେଶ୍ୱର – ଜିରୋ ନାଇଟ୍ ଓ ନୂଆବର୍ଷ ୨୦୨୪ର ସ୍ୱାଗତ ପାଇଁ ବିଭିନ୍ନ ସୌଖିନ ହୋଟେଲ ସହ କ୍ଲବ୍‌, ରେଷ୍ଟୁରାଣ୍ଟରେ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏହାକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ପକ୍ଷରୁ ୧୨ ସୂତ୍ରୀ ମାର୍ଗଦର୍ଶିକା ଜାରି କରାଯାଇଛି । ରାତି ସାଢେ ୧୨ଟା ଯାଏ ହୋଟେଲ୍‌ ଓ ବାର୍‌ ଖୋଲା ରହିପାରିବ । ଆଉ ଅଧିକ ସମୟ ପାଇଁ ଖୋଲିବାକୁ ହେଲେ ସ୍ୱତନ୍ତ୍ର ଅନୁମତି ଦରକାର। ଯେଉଁମାନେ ଅନୁମତି ନଆଣି ବାର୍‌ ଖୋଲିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜିରୋ ନାଇଟ୍ ପାଳନ ପାଇଁ ଟ୍ରାଫିକ୍‌ ଅଡିଟୋରିୟମ ହଲ୍‌ରେ କମିଶନରେଟ ପୋଲିସ ପକ୍ଷରୁ ଏକ ବୈଠକ ଡକାଯାଇଥିଲା । ଏଥିରେ ଭୁବନେଶ୍ୱର ଡିସିପିଙ୍କ ସମେତ ଅବକାରୀ ବିଭାଗର ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ, ଅବକାରୀ ଇନ୍ସପେକ୍ଟର ଏବଂ ଭୁବନେଶ୍ୱରର ସମସ୍ତ ହୋଟେଲ ଓ ବାର୍ କର୍ମକର୍ତ୍ତା ଯୋଗ ଦେଇଥିଲେ । ଜିରୋ ନାଇଟ ପାଳନ ପାଇଁ ନିର୍ଦ୍ଦେଶାବଳୀ ଉପରେ ବୈଠକରେ ଆଲୋଚନା ହୋଇଥିଲା ।

ଆୟୋଜକ ସଂସ୍ଥାଗୁଡ଼ିକ ସଂଗୀତ କାର୍ଯ୍ୟକ୍ରମ ପାଇଁ ଦିଆଯାଇଥିବା ସମୟ ସୀମାକୁ ସେମାନେ କଡ଼ାକଡ଼ି ଭାବରେ ପାଳନ କରିବେ। ସଂଗୀତ କାର୍ଯ୍ୟକ୍ରମ କରିବାକୁ ଥିଲେ ଲାଉଡ୍‌ସ୍ପିକର ନିୟମକୁ କଡ଼ାକଡ଼ି ପାଳନ କରିବେ। କୋର୍ଟଙ୍କ ନିୟମ ଅନୁସାରେ ୬୫ ଡେସିବଲ୍‌ ପର୍ଯ୍ୟନ୍ତ ଶବ୍ଦ ବଜାଇ ପାରିବେ। ବିଦ୍ୟାଳୟ, ମହାବିଦ୍ୟାଳୟ, ଡାକ୍ତରଖାନା ଓ କୋର୍ଟ ଆଦି ନିରବ ଅଞ୍ଚଳର ୧୦୦ ମିଟର ପରିସୀମା ମଧ୍ୟରେ କୌଣସି ପ୍ରକାରର ସଙ୍ଗୀତ କାର୍ଯ୍ୟକ୍ରମ ଓ ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇ ପାରିବ ନାହିଁ। ଆୟୋଜକ ସଂସ୍ଥା ଇକୋ ସାଉଣ୍ଡ ସିଷ୍ଟମ ବ୍ୟବହାର କରିବା ଠାରୁ ଦୂରେଇ ରହିବେ। ବରିଷ୍ଠ ନାଗରିକ, ଅସୁସ୍ଥ ବ୍ୟକ୍ତି ଏବଂ ଛାତ୍ରମାନଙ୍କୁ ବିରକ୍ତ ନକରିବାକୁ ପଦକ୍ଷେପ ନେବେ। ଆବଦ୍ଧ ପରିସରରେ ଆୟୋଜକ ସଂସ୍ଥା ଭିଡ଼ ସମାବେଶ, ଦଳାଚକଟା ଇତ୍ୟାଦିକୁ ଏଡ଼ାଇବା ଓ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ପ୍ରବେଶ ଏବଂ ପ୍ରସ୍ଥାନ ପଥ ରଖିବେ। ଆୟୋଜକ ସଂସ୍ଥା କାର୍ଯ୍ୟକ୍ରମରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦେବେ ନାହିଁଁ।

ଆୟୋଜକ ସଂସ୍ଥାମାନେ ଅଗ୍ନି ନିର୍ବାପକ ଯନ୍ତ୍ର, ବାଲି ବାଲ୍ଟି ଆଦି ବ୍ୟବସ୍ଥା କରିବେ। ଆୟୋଜକ ସଂସ୍ଥା ସଭାସ୍ଥଳରେ ଟ୍ରାଫିକ୍‌ ନିୟନ୍ତ୍ରଣ, ଯାନବାହନ ପାର୍କିଂ ଏବଂ ଭିତରର ରକ୍ଷଣାବେକ୍ଷଣ କ୍ରମାଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ସୁରକ୍ଷା କର୍ମୀ ନିୟୋଜିତ କରାଇବେ। ଆୟୋଜକ ସଂସ୍ଥାମାନେ ବିଦ୍ୟୁତ ସରବରାହ ସମୟରେ ବୈଦ୍ୟୁତିକ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଯଥେଷ୍ଟ ସତର୍କତା ଅବଲମ୍ୱନ କରିବେ। ଆୟୋଜକ ସଂସ୍ଥାମାନେ, ପ୍ରବେଶ, ପ୍ରସ୍ଥାନ ଏବଂ ସମାବେଶସ୍ଥଳୀରେ ସିସିଟିଭି ଲଗାଇବେ। ଏହି ସବୁ ସ୍ଥାନ ଗୁଡିକରେ ଯେପରି ସମସ୍ତ କାର୍ଯ୍ୟର ରେକର୍ଡିଂ ହୋଇପାରୁଥିବ ସେଥିପ୍ରତି ନିଶ୍ଚିତ କରାଇବେ। ଡ୍ରାଇଭିଂ ପାଇଁ ଅସମର୍ଥ ବ୍ୟକ୍ତି ଯେପରି ସୁରକ୍ଷିତ ଭାବରେ ଘରକୁ ଫେରିବେ, ଆୟୋଜକ ସଂସ୍ଥାଗୁଡ଼ିକ ଏହି ପରି ଜରୁରୀ ପରିସ୍ଥିତି ପାଇଁ ସେମାନଙ୍କର ପାଞ୍ଚ ଜଣ ଡ୍ରାଇଭର ସଂରକ୍ଷିତ ରଖିବେ। ଆୟୋଜକ ସଂସ୍ଥା ମାନେ କାର୍ଯ୍ୟକ୍ରମ ସମୟରେ ଯେ କୌଣସି ଜରୁରିକାଳୀନ ପରିସ୍ଥିତି ଏଡ଼ାଇବା ପାଇଁ ମେଡିକାଲ୍‌ ଟିମ୍‌ ସହିତ ଆମ୍ୱୁଲାନ୍ସ ରଖିବେ।

Comments are closed.