ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତେ ଗଞ୍ଜାମର ୩ ଦେବଦେବୀଙ୍କୁ ନିମନ୍ତ୍ରଣ 

ଛତ୍ରପୁର: ଦେଶର ଚାରି ଧାମ ମଧ୍ୟରୁ ଅନ୍ୟତମ ଓଡ଼ିଶାର ଶ୍ରୀକ୍ଷେତ୍ରରେ ଆସନ୍ତା ମାସ ୧୭ ତାରିଖରେ ଅନୁଷ୍ଠିତ ହେବ ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ଏଥିପାଇଁ ଗଞ୍ଜାମ ଜିଲ୍ଲାର ୩ ଦେବଦେବୀ ଯଥା ଖଲ୍ଲିକୋଟର ଶ୍ରୀଜଗନ୍ନାଥ, ପୁରୁଷୋତ୍ତମପୁରର ପ୍ରସିଦ୍ଧ ମା’ ତାରାତାରିଣୀ ଏବଂ ପୋଲସରାର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରର ପୂଜକଙ୍କୁ ଆମନ୍ତ୍ରଣ କରାଯାଇଛି।

ପୁରୀରୁ ଶ୍ରୀମନ୍ଦିରର ଅଧିକାରୀ, ସେବାୟତଙ୍କ ଏକ ଦଳ ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।ସେମାନଙ୍କୁ ଏକ ଶୋଭାଯାତ୍ରାରେ ଝାଞ୍ଜ ମୃଦୁଙ୍ଗ ସାଙ୍ଗକୁ ଘଣ୍ଟ ବାଦ୍ୟ ଏବଂ ଶଙ୍ଖ ଧ୍ୱନିରେ ପାଛୋଟି ନିଆଯାଇଥିଲା। ବହୁ ମହିଳା ପୁଷ୍ପମାଲ୍ୟ ସହ ହୁଳହୁଳି ଦେଉଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ଦୀପ, ଧୂପ ଏବଂ ଚନ୍ଦନ ଅର୍ପଣ ପରେ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କୁ ସେବାୟତମାନେ ଆମନ୍ତ୍ରଣ କାର୍ଡ, ଫୁଲ ମାଳ ଓ ଶ୍ରୀଜଗନ୍ନାଥଙ୍କ ଭୋଗ ପ୍ରଦାନ ସହ ତାରାତାରିଣୀ ମନ୍ଦିରର ପୂଜକ ଏବଂ ନିର୍ବାହୀ ଅଧିକାରୀଙ୍କୁ ଆମନ୍ତ୍ରଣ କରିଥିଲେ ଏହି ଦଳ। ପୁରୀର ସହକାରୀ ଶ୍ରମ ଅଧିକାରୀ ବିକ୍ରମ କେଶର ପ୍ରଧାନଙ୍କ ନେତୃତ୍ୱରେ ସେବାୟତ ସୋମନାଥ ପ୍ରତିହାରୀ, କଳିଯୁଗ ହରିକୃଷ୍ଣ ପ୍ରତିହାରୀ, ନାରୟଣ ପ୍ରତିହାରୀ ଗଞ୍ଜାମ ଗସ୍ତରେ ଆସିଛନ୍ତି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ପ୍ରତିନିଧି ଦଳକୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ ଓ ପ୍ରିୟରଞ୍ଜନ ପୃଷ୍ଟି ଏବଂ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ସ୍ବାଗତ କରିଥିଲେ। ଟିମ୍ ସଦସ୍ୟଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଜିଲ୍ଲାର ପ୍ରତି ମନ୍ଦିରର ଦୁଇ ଜଣ ସେବାୟତ ଯିବାକୁ ଆମନ୍ତ୍ରଣ କରାଯାଇଛି। ଅପରାହ୍ନରେ ଏହି ଟିମ୍ ମାରଦା ମନ୍ଦିର ଯାଇ ସେବାୟତଙ୍କୁ ଆମନ୍ତ୍ରଣ କରିଛନ୍ତି।

Comments are closed.