କୋରାପୁଟ -ଆନ୍ଧ୍ର ସୀମାନ୍ତ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ

କୋରାପୁଟ: କୋରାପୁଟ-ମାଲକାନଗିରି-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା ବାହିନୀ। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଧୀନ କୋଡ଼ାପୁଟ ଓ ଗୁମୁଡାପୁଟ ଗାଁ ଜଙ୍ଗଲରୁ ମାଓ ସାମଗ୍ରୀ ଠାବ ହୋଇଛି । କୋରାପୁଟ ଏସ୍‌ପି ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ, ଗତ ୨୬ ତାରିଖରେ ମାଛକୁଣ୍ଡ ଥାନା ଅଧୀନ ଏକ ଜଙ୍ଗଲରେ ମାଓବାଦୀଙ୍କ ସାମଗ୍ରୀ ରହିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଏସ୍‌ଓଜି ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ। ଗତକାଲି ଅପରାହ୍ନ ସାଢ଼େ ୩ଟାରେ ସୁରକ୍ଷାକର୍ମୀମାନେ କାଲିମେଳା ଥାନା ଅଧୀନ କୋଡ଼ାପୁଟ ଓ ଗୁମୁଡାପୁଟ ଗାଁ ଜଙ୍ଗଲରେ ମାଟି ତଳୁ ମାଓସାମଗ୍ରୀ ଠାବ କରିଥିଲେ।

ଜବତ ମାଓ ସାମଗ୍ରୀ ମଧ୍ୟରେ ଗୋଟିଏ ପିସ୍ତଲ, ଟିଫିନ ବମ୍‌, କୋଡେକ୍ସ ତାର, ବିସ୍ଫୋରକ ଆଦି ରହିଛି। ଗତ ୨୪ ତାରିଖରେ ମଧ୍ୟ ବିପୁଳ ମାଓ ସାମଗ୍ରୀ ଠାବ ହୋଇଥିଲା । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଧୀନ କୁର୍ମାନୁର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ନିୟୋଜିତ ଏସ୍‌ଓଜି ଓ ଡିବିଏଫ୍‌ ଯମାନମାନେ ମାଟି ତଳୁ ମାଓ ସାମଗ୍ରୀ ଉଦ୍ଧାର କରିଥିଲେ।

Comments are closed.