ବିପିଏସପିଏର ସପ୍ତମ ବ୍ୟାଚ ଡିଏସପି ଓ ଏକାଦଶ ବ୍ୟାଚ କ୍ୟାଡେଟ ସବ୍ ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ

ଭୁବନେଶ୍ୱର – ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ – ବିପିଏସପିଏଠାରେ ୭ମ ବ୍ୟାଚ ଡିଏସପି ( ପ୍ରୋବେସନର ) ଏବଂ ଏକାଦଶ ବ୍ୟାଚ କ୍ୟାଡେଟ୍ ସବ୍- ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଯୋଗ ଦେଇ ଦେଶ , ସମାଜ ତଥା ସାଧାରଣ ଜନତାଙ୍କୁ ଉପଯୁକ୍ତ ସେବା , ସୁରକ୍ଷା ଏବଂ ନିରାପତ୍ତା ପ୍ରଦାନ କରିବା ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରତିକୂଳ ପରିସ୍ଥିତି ସମୟରେ ସାଧାରଣ ଜନତାଙ୍କ ପ୍ରତି ସହାନୁଭୂତି , ଦୟା ଏବଂ ପରୋପକାର ମନୋଭାବ ପ୍ରଦର୍ଶନ କରିବାକୁ ଡିଜିପି ଆହ୍ବାନ ଦେଇଛନ୍ତି । ଏକ ନୂତନ ଆଶା , ଉତ୍ସାହ ଏବଂ ଉଦ୍ଦୀପନାର ସହ କାର୍ଯ୍ୟ କ୍ଷେତ୍ରରେ ଯୋଗଦେଇ ରାଜ୍ୟ ପୋଲିସ ପାଇଁ ସୁନାମ ଆଣିବାକୁ ଡିଜିପି କହିଛନ୍ତି । ମହିଳା ଏବଂ ଶିଶୁଙ୍କ ବିରୋଧରେ ଘଟୁଥିବା ଅପରାଧକୁ ସମ୍ବେଦନଶୀଳତା ଓ ନିରପେକ୍ଷତାର ସହ ମୁକାବିଲା କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି ।

ମାଓବାଦୀ ମୁକାବିଲାରେ ରାଜ୍ୟ ପୋଲିସର ଭଲ ପ୍ରଦର୍ଶନ ଯୋଗୁଁ ସେମାନଙ୍କର ବିସ୍ତାର ଏବଂ ପ୍ରଭାବ ହ୍ରାସ ପାଇଛି । ତଥାପି ଆଗାମୀ ଦିନରେ ନେତୃତ୍ୱ ନେଇ ପ୍ରଭାବିତ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାଙ୍କ ହୃଦୟ ଜିତିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଡିଜିପି ଆହ୍ବାନ ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ବାରା ପ୍ରତ୍ୟକ୍ଷ ଡିଏସପି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେଉଛି ଏବଂ ଭବିଷ୍ୟତରେ ଏହି ଅଧିକାରୀମାନେ ପୋଲିସ ବିଭାଗର ନେତୃତ୍ବ ଦାୟିତ୍ବକୁ ସୂଚାରୁରୂପେ ସମ୍ପାଦନ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ଡିଜିପି । ଏହି ଏକାଡେମୀରୁ ପାସ କରିଥିବା ପୂର୍ବ ବ୍ୟାଚର ଡିଏସପି ମାନେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି ଡିଜିପି କହିଥିଲେ । ରାଜ୍ୟ ସରକାର ପୋଲିସ ନିଯୁକ୍ତି ବୋର୍ଡ ଗଠନ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛନ୍ତି । ୨୦୨୩ ମସିହାରେ ୪୬୦୦ରୁ ଅଧିକ କନେଷ୍ଟବଳ ନିଯୁକ୍ତ ହୋଇଛନ୍ତି ଏବଂ ସେମାନଙ୍କ ତାଲିମ ଶେଷ ପରେ ପୋଲିସ ଫୋର୍ସରେ ଖୁବଶୀଘ୍ର ଯୋଗଦେବେ । ସେହିପରି ୪୭୦ ସବ ଇନ୍ସପେକ୍ଟରଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ବୋଲି ଡିଜିପି ସୂଚନା ଦେଇଛନ୍ତି ।

ସାରା ଭାରତରେ ବିଜୁ ପଟ୍ଟନାୟକ ଷ୍ଟେଟ ପୋଲିସ ଏକାଡ଼େମୀର ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି । ଅନ୍ୟ ରାଜ୍ୟମାନଙ୍କ ପାଇଁ ଏହି ପୋଲିସ ଏକାଡେମୀ ଆଦର୍ଶ ପାଲଟିଛି ବୋଲି ଡିଜିପି କହିଥିଲେ । ୨୦୨୦ – ୨୧ ମସିହାରେ ଶ୍ରେଷ୍ଠ ପୋଲିସ ତାଲିମକେନ୍ଦ୍ର ଭାବେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଟ୍ରଫି ହାସଲ କରି ଏକ ସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି । ଏହି ଏକାଡ଼େମୀରେ ପ୍ରଦାନ କରାଯାଇଥିବା ତାଲିମ ଆଗାମୀ ଦିନରେ ନବନିଯୁକ୍ତ ଅଧ‌ିକାରୀ ମାନଙ୍କୁ ଆହୁରି ଦାୟିତ୍ବବାନ ଏବଂ କର୍ତ୍ତବ୍ୟ ସମ୍ପାଦନ କରିବାରେ ସହାୟକ ହେବ ବୋଲି ଡିଜିପି ଆଶାବ୍ୟକ୍ତ କରିଥିଲେ ।

ଏହି ଦୀକ୍ଷାନ୍ତ ସମାରୋହରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀର ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ , ଆଇଜିପି ସାଇନି ଏସଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ଡିଏସପି ( ପ୍ରୋବେସନର ) ଏବଂ କ୍ୟାଡେଟ୍ ସବ ଇନ୍ସପେକ୍ଟରଙ୍କ ଦ୍ଵାରା ଚିତ୍ତାକର୍ଷକ ପ୍ୟାରେଡ ପ୍ରଦର୍ଶନ କରାଯାଇଥିଲା ।

ଟ୍ରେନିଂ ସମୟରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଡିଏସପି ( ପ୍ରୋବେସନର ) ସୁଚିସ୍ମିତା ଦାସ , ଲରେନ ରାଉତରାୟ , ପ୍ରଦୋଷ ପ୍ରଧାନ , ପିପି ଶୁଭଜିତ ବିଶ୍ବାଳ , ମେରଶୀ ରାଣୀ ଡିଜିପି ସମ୍ବର୍ଦ୍ଧିତ କରିଥିଲେ । ସେହିପରି କ୍ୟାଡେଟ୍ ସବ୍ ଇକ୍ସପେକ୍ଟର ସସ୍ମିତା ବେହେରା , କାଜଲ ବାର , ପ୍ରିୟଙ୍କା ସାହୁ , ସୂରଜ କଂସାରଲି , ପ୍ରିୟଦର୍ଶିନୀ ବରାଳ , ହେମାରାଣୀ ଶର୍ମା , ସୁଜିତ କୁମାର ମହାନ୍ତ , ଶୁଭକାନ୍ତ ସ୍ୱାଇଁ , ସମୀର ଶେଖର ଜୟସିଂ ଙ୍କୁ ଡିଜିପି ଟ୍ରଫି ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Comments are closed.