ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଉତ୍ସବ: ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା 

ଭୁବନେଶ୍ୱର – ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଉତ୍ସବ ମହାସମାରୋହରେ ପାଳନ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ନିଜର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ମ୍ୟୁଜିୟମ କେବଳ ଆମ ଗୌରବମୟ ଇତିହାସର ମୂକସାକ୍ଷୀ ନୁହେଁ , ବରଂ ଆମ ଅସ୍ମିତାର ପରିଚୟ । ଏହା ହେଉଛି ଗୋଟିଏ ସଭ୍ୟତା , ଜାତି ଓ ସଂସ୍କୃତିର ଦର୍ପଣ । ଆମ ଅତୀତ ସହ ଏହା ଆମକୁ ଯୋଡ଼ିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଇତିହାସ ଓ ପରମ୍ପରାର କଥା କହୁଥିବା ଏହି ସଂଗ୍ରହାଳୟ ଗବେଷଣା ନିମନ୍ତେ ଜ୍ଞାନର ଭଣ୍ଡାର । କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିବା ଏହି ମ୍ୟୁଜିୟମ ବର୍ତ୍ତମାନ ବିରାଟ ଅନୁଷ୍ଠାନରେ ପରିଣତ ହୋଇଛି । ଏହି ଆଇକନିକ୍ ସ୍ଥାନଟି ପିଲାମାନଙ୍କ ନିମନ୍ତେ ଆକର୍ଷଣର କେନ୍ଦ୍ର ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । ଓଡ଼ିଶାର ସମସ୍ତ ହାଇସ୍କୁଲର ଛାତ୍ରଛାତ୍ରୀ ସଂଗ୍ରହାଳୟ ସହ ପରିଚିତ ହେବାର ଆବଶ୍ୟକତା ରହିଛି । ଏହା ଦ୍ଵାରା ସେମାନେ ଆମ ଗୌରବମୟ ଅତୀତ ସଂପର୍କରେ ଅନେକ କିଛି ଜାଣିପାରିବେ ବୋଲି ସେ କହିଥିଲେ । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା , ସ୍ଵତନ୍ତ୍ର ଉପକ୍ରମ ଶ୍ରୀ ଆର . ବାଲକ୍ରିଷ୍ଣନ୍ କହିଲେ ଯେ ରାଜ୍ୟ ସଂଗ୍ରହାଳୟ ଓଡ଼ିଶାର ସମସ୍ତ ଐତିହ୍ୟପୂର୍ଣ୍ଣ ଉପାଦାନକୁ ସ୍ଥାନ ଦେଇଛି । ଏହା ଦେଶର ପ୍ରମୁଖ ସଂଗ୍ରହାଳୟ ଭାବେ ପରିଚିତ । କଳାଭୂମି , ରାଜ୍ୟ ସଂଗ୍ରହାଳୟ ଓ ଆଦିବାସୀ ସଂଗ୍ରଳୟ ରାଜ୍ୟର ସ୍ଵତନ୍ତ୍ର ଗାଥା ବହନ କରୁଛି । କ୍ରୀଡ଼ା , ସଂସ୍କୃତି ଓ ଐତିହ୍ୟ ଭଳି ସୂକ୍ଷ୍ମ ଶକ୍ତିର ବିକାଶ ହେବା ଆବଶ୍ୟକ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ କରିଲେ ଯେ ଭାଷା , ସାହିତ୍ୟ ଓ ସଂସ୍କୃତି ହେଉଛି ଏକ ଜାତିର ମୂଳପିଣ୍ଡ । ଏହାର ସୁରକ୍ଷା ଓ ସଂରକ୍ଷଣ ହୋଇପାରିଲେ ଗୋଟିଏ ଜାତିର ବିକାଶ ହୋଇପାରିବ । ରାଜ୍ୟରେ ଜାରି ରୂପାନ୍ତରଣ କାର୍ଯ୍ୟକ୍ରମରେ ଐତିହ୍ୟ ଓ ସଂସ୍କୃତିକୁ ସର୍ବଦା ଗୁରୁତ୍ଵ ଦିଆଯାଉଛି । ରାଜ୍ୟର ବିକାଶ ଦିଗରେ ଯୁବପିଢ଼ିଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିବାରୁ ସେମାନଙ୍କ ସଶକ୍ତିକରଣ କରାଯିବା ସହ ଅଧିକରୁ ଅଧ‌ିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । ଆସନ୍ତା ସମୟରେ ମ୍ୟୁଜିୟମ୍‌କୁ ୫ – ଟି ଉପକ୍ରମରେ ସାମିଲ କରାଯାଇ ଏହାର ଆହୁରି ବିକାଶ କରାଯିବା ସହ ମ୍ୟୁଜିୟମ୍ ପ୍ରତି ଯୁବପିଢ଼ିଙ୍କୁ ଆକୃଷ୍ଟ କରାଯିବ ବୋଲି ସେ ଉଲ୍ଲେଖ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ଫେବ୍ରୁଆରୀରେ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ ଏବଂ ଏଥି ନିମନ୍ତେ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରସିଦ୍ଧ ସଂଗ୍ରହାଳୟ ତତ୍ତ୍ୱବିତ୍ ପ୍ରଫେସର ଜ୍ୟୋତିନ୍ଦ୍ର ଜୈନ କହିଲେ ଯେ ଏକ ଜାତି ପାଇଁ ସଂଗ୍ରହାଳୟ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାଏ । ସମସ୍ତ ଜ୍ଞାନର ମୂଳତତ୍ତ୍ୱ ମ୍ୟୁଜିୟମରେ ସଂରକ୍ଷିତ ବୋଲି ସେ କହିଥିଲେ । ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଉପଲବ୍ଧ ସାମଗ୍ରୀ ବିଶ୍ଵବିଦିତ । ବିଦେଶରେ ଉପଲବ୍ଧ ଦେଶର ସାମଗ୍ରୀ ସଂପର୍କରେ ଏହି ମ୍ୟୁଜିୟମ୍‌ରେ ଗବେଷଣାଲବ୍ଧ ତଥ୍ୟ ରହିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଆତିଥ୍ୟ ଭାବେ ଯୋଗଦେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡକ୍ଟର ଲେନିନ ମହାନ୍ତି କହିଲେ ଯେ ରାଜ୍ୟରେ ଜାରି ରୂପାନ୍ତରଣରେ ସମସ୍ତେ ସହଯୋଗ କରିପାରିଲେ ରାଜ୍ୟରେ ବିକାଶ ତ୍ୱରାନ୍ବିତ ହୋଇପାରିବ । ଏହି ଅବସରରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତି ଓ ଇତିହାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥ‌ିବା ବ୍ୟକ୍ତିବିଶେଷ ଡକ୍ଟର ନିବେଦିତା ମହାନ୍ତି , ବେଣୁଧର ମହାପାତ୍ର , ଗୋବିନ୍ଦ ପାଳ , ପ୍ରସନ୍ତ କୁମାର ଦାଶ ଓ ସଂଗ୍ରହାଳୟର ବିଭିନ୍ନ ଗ୍ୟାଲେରୀର ପରାମର୍ଶଦାତା ମଣ୍ଡଳୀରେ ଥ‌ିବା ଡ . ପ୍ରହ୍ଲାଦ ସିଂହ , ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ , ଡ . ରାମହରି ଜେନା , ଡ . ସଂଗ୍ରାମ ଜେନା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ସାଂସ୍କୃତିକ କ୍ୟାଲେଣ୍ଡର ୨୦୨୪ ଓ ‘ ଦ ଓଡ଼ିଶା ହିଷ୍ଟୋରିକାଲ ରିସର୍ଚ୍ଚ ଜର୍ଣ୍ଣାଲ’ର ସ୍ଵତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା । ପୂର୍ବରୁ ସଂଗ୍ରହାଳୟ ସମ୍ମୁଖ ଭାଗରେ ଥ‌ିବା ଫୁଲ ତୋରଣ , ମ୍ୟୁଜିକାଲ ଫାଉଣ୍ଟେନ୍ , ଶିଶୁ ଶଙ୍କର ଦାସ ରଚିତ ‘ ଉଷା ଅଭିଳାଷ’ର ପ୍ରଥମ ଓଡ଼ିଆ ଟିକା ଓ ତାଳପତ୍ର ଖୋଦିତ ଚିତ୍ରରାଜି ସମୂହର ଅଡ଼ିଓ ଭିଜୁଆଲ୍ ବିସ୍ତୃତ ସୂଚନା ଫଳକ ଗ୍ୟାଲେରୀ , ଆନିମଲ କାର୍ନିଭାଲ ସେଲ୍‌ଫି ଜୋନ୍ ଆଦି ଅତିଥିମାନଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଥ‌ିବାବେଳେ ନନ୍ଦିଘୋଷ , ତାଳଧ୍ଵଳ ଓ ଦର୍ପଦଳନ ରଥର ତିନିଚକକୁ ଲୋକାର୍ପିତ କରାଯାଇଥିଲା । ରାଜ୍ୟ ସଂଗ୍ରହାଳୟରେ ପର୍ଯ୍ୟଟନ କର୍ମଶାଳାରେ ୧୪ ଦିନ ଧରି ପ୍ରଶିକ୍ଷଣ ନେଇଥ‌ିବା ପ୍ରାକଲିନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହସ୍‌ପିଟାଲିଟି ଆଣ୍ଟ ମ୍ୟାନେଜ୍‌ମେଣ୍ଟର ୭୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବୁଦ୍ଧିଜୀବୀ , ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ବିଭାଗୀୟ ସ୍ଵତନ୍ତ୍ର ସଚିବ ମଧୁସୂଦନ ଦାସ , ଯୁଗ୍ମ ନିର୍ଦ୍ଦେଶକ ଅତସି ଦାସ , ସୁବୋଧ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିବାବେଳେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଡ . ଭାଗ୍ୟଲିପି ମଲ୍ଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ କ୍ୟୁରେଟର ଡ . ଭାରତୀ ପାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.