ଗଜପତି ଜିଲ୍ଲାରେ ଖୋଲିଲା ୬୪ ଧାନ ମଣ୍ଡି

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଚାଷୀଙ୍କ ମୁହଁରେ ହସ ଫୁଟିଛି। ବର୍ଷକ ଯାକର ପରିଶ୍ରମର ସୁଫଳ ଏବେ ପାଇବାକୁ ଯାଉଛି ସେ। ଯେଉଁ ଚାଷ ଜମିରେ ହାଡ଼ଭଙ୍ଗା ପରିଶ୍ରମ କରି, କେତେବେଳେ ଅନାବୃଷ୍ଟି ତ କେବେ ଅତିବୃଷ୍ଟି ଭଳି ପ୍ରତିକୂଳ ପ୍ରାକୃତିକ ପରିବେଶର ସମ୍ମୁଖୀନ ହୋଇ ସୁଦ୍ଧା ସେ ନିଜ ଚାଷ ଜମିରେ ସୁନାର ଫସଲ ଖେଳାଇ ଥିଲା, ଏବେ ତାହାକୁ ରାଜ୍ୟ ସରକାର ଉଚିତ ମୂଲ୍ୟରେ କିଣି ନେବାକୁ ଧାନ ମଣ୍ଡି ଖୋଲିଛନ୍ତି। ଚାଷୀ ମଣ୍ଡିରେ ଧାନ ବିକି ତା’ର ପ୍ରାପ୍ୟ ନିଜ ବ୍ୟାଙ୍କ୍ ଆକାଉଣ୍ଟରେ ଜମା ପାଇବ। ଗଜପତି ଜିଲ୍ଲାରେ ଶୁକ୍ରବାରରୁ ୬୪ଟି ଧାନ ମଣ୍ଡି ଖୋଲିଛି। ୪୫ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ବା ପାକ୍ସ ଏବଂ ୧୯ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ବା ଏସଏଚଜି ଦ୍ବାରା ଧାନ କିଣା ଆରମ୍ଭ କରାଯାଇଛି। ରାଜ୍ୟ ସରକାରଙ୍କ ନିଷ୍ଫତ୍ତି କ୍ରମେ ଚଳିତ ଖରିଫ ବର୍ଷରେ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ୨୯ ହଜାର କୁଇଣ୍ଟାଲ୍ ଧାନ କିଣାଯିବ।

ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ବଜାର ଠାରେ ଜିଲ୍ଲାସ୍ତରୀୟ ଧାନ ମଣ୍ଡି ଉଦଘାଟନ ସଭା ହୋଇଥିଲା। ଏହାକୁ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟାୟକ, ଶ୍ରୀଯୁକ୍ତ ସିମାଦ୍ରୀ ଜେନା, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, ସହକାରୀ ନିବନ୍ଧକ ହରିହର ସେଠ୍ ମଞ୍ଚାସୀନ ଥିଲେ। ଧାନ ବିକ୍ରୀ ପାଇଁ ଜିଲ୍ଲାରେ ୧୫ ହଜାର ୫୫୧ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଧାନ କ୍ରୟ ପରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ୍ ଖାତାରେ ଅର୍ଥ ଜମା କରାଯିବ। ଧାନ କ୍ରୟ ସମୟରେ ବିଭଗର ସମସ୍ତ କର୍ମଚାରୀ ସଚେତନ ଓ ତତ୍ପର ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ବର୍ଷ ପାଇଁ ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ୍ ପିଚ୍ଛା ୨୧୮୩ ଟଙ୍କା ଓ ଗ୍ରେଡ୍-ଏ ଧାନ ୨୨୦୩ ଟଙ୍କା ରଖାଯାଇଛି। ମଣ୍ଡିକୁ ଶୁଖିଲା, ସଫା ଧାନ ଆଣିବାକୁ ମଧ୍ୟ ଚାଷୀମାନଙ୍କୁ ଅନୁରୋଧ କରାଯାଇଛି।

Comments are closed.