କ୍ୟାବିନେଟ ନିଷ୍ପତ୍ତି: ଓଡ଼ିଶା ସିଭିଲ ସର୍ଭିସ ବୟସ ସୀମା ୩୨ରୁ ୩୮, ବ୍ୟାପକ ହେବ ଆମ ଓଡିଶା ନବୀନ ଓଡ଼ିଶା 

ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ବସିଥିବା ବର୍ଷର ଶେଷ କ୍ୟାବିନେଟ ବୈଠକରେ ୧୦ଟି ବିଭାଗର ୧୩ ପ୍ରସ୍ତାବରେ ମୋହର ବାଜିଛି।

କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ସର୍ବୋଚ୍ଚ ବୟସ ସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ପରୀକ୍ଷା ପାଇଁ ବୟସ ସୀମା ୩୨ ବର୍ଷ ଥିଲା। ଏବେ ଏହାକୁ ୬ ବର୍ଷ ବୃଦ୍ଧି କରାଯାଇଛି। ଅର୍ଥାତ ପ୍ରାର୍ଥୀମାନେ ଆଗାମୀ ଦିନରେ ୩୮ ବର୍ଷ ବୟସ ପର୍ଯ୍ୟନ୍ତ ସଭିଲ ସର୍ଭିସ ପରୀକ୍ଷା ଦେଇପାରିବେ।

ଏଥିସହିତ ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆ-ପିଏଚ ଏଫଆଇକୁ ଜମି ଯୋଗାଇବା ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରିଛି ।

ରାଜ୍ୟର ଗମନାଗମନକୁ ବ୍ୟବସ୍ଥାକୁ ଆହୁରି ସୁଗମ କରିବାକୁ ରାଜ୍ୟ ସରକାର ପୁଣି ୨୦୦ଟି ଇଲେକ୍ଟ୍ରିକ ବସ ଚଳାଇବା ନେଇ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ଏହି ବସଗୁଡିକ ଭୁବନେଶ୍ୱର ସମେତ ଅନ୍ୟ ସହରରେ ବି ଗଡିବ ।

ରାଜ୍ୟ ସରକାର ନଗର ଉନ୍ନୟନ ବିଭାଗରେ ୩୬୫ଟି ଜୁନିଅର ଇଞ୍ଜିନିୟର ପଦବୀ ସୃଷ୍ଟି କରିଛନ୍ତି। ଏଥିସହିତ ସହରାଞ୍ଚଳରେ ଏଲଇଡି ଲାଇଟ୍‌ ପାଇଁ ୧୧୨ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟ କରାଯିବ।

ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ସାମିଲ କରାଯିବ। ଜାନୁଆରି ୫ରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୩୧୪ଟି ବ୍ଲକର ସବୁ ପଞ୍ଚାୟତରେ ଘରକୁ ଘର ଯାଇ ଗୁଆ ଚାଉଳ ସଂଗ୍ରହ କରିବା ସହ ଜଗନ୍ନାଥ ରଥ ବୁଲିବ। ପ୍ରତ୍ୟେକ ପଞ୍ଚାୟତରୁ ସଂଗୃହୀତ ହେଲା ପରେ ବ୍ଲକର ଏକ ମନ୍ଦିରରେ ରଖାଯିବ। ପ୍ରତ୍ୟେକ ପଞ୍ଚାୟତରୁ ଲୋକେ ପୁରୀ ଆସିବେ ଓ ପରିକ୍ରମା ପ୍ରକଳ୍ପରେ ସାମିଲ ହେବେ। ପଞ୍ଚାୟତରେ ଏଲ୍‌ଇଡି ମାଧ୍ୟମରେ ପରିକ୍ରମା ପ୍ରକଳ୍ପର ଟେଲିକାଷ୍ଟ କରାଯିବ। ଏଥିରେ ୧୫୬ କୋଟି ଟଙ୍କା ବ୍ୟୟ ହେବ। ୧୭ ତାରିଖ ପରେ ପ୍ରତ୍ୟେକ ବ୍ଲକରୁ ବଛାବଛା ଲୋକଙ୍କୁ ପୁରୀ ଆଣି ଜଗନ୍ନାଥ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ ଦେଖାଯିବ।

‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମକୁ ମଧ୍ୟ ବ୍ୟାପକ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି। ୬୭୯୪ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିବ। ପଞ୍ଚାୟତରେ ବୈଠକ ହେବ, ଏହି ବୈଠକରେ ସମସ୍ତ ଅଧିକାରୀ ଓ ଜନସାଧାରଣ ଯୋଗଦେବେ। ଅଞ୍ଚଳରେ ଭଲ କାମ କରିଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ। ପଞ୍ଚାୟତର ସାମଗ୍ରିକ ବିକାଶର ଫିଲ୍ମ ତିଆରି ହେବ। ପ୍ରତ୍ୟେକ ପଞ୍ଚାୟତକୁ ୩ ଲକ୍ଷ ଟଙ୍କା ଦିଆଯିବ। ଏଥି ପାଇଁ ୨୦୪ କୋଟି ଟଙ୍କାଖର୍ଚ୍ଚ ହେବ ବୋଲି କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଛି।

Comments are closed.