ପଦ୍ମପୁର ପାଇଁ ଏଡିଏମ ନିଯୁକ୍ତି ପରେ ଅଞ୍ଚଳରେ ଖୁସିର ଲହରି: ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା

ବରଗଡ: କଥା ଦେଇଥିଲେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାକୁ। ଆଉ ବର୍ଷକ ମଧ୍ୟରେ ହିଁ ପ୍ରତିଶ୍ରୁତି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପୂର୍ବରୁ ପଦ୍ମପୁର ପାଇଁ ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି ଦେବା ପରେ ସମଗ୍ର ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ତାଙ୍କ ପ୍ରତିଶ୍ରୁତି ପୂରଣ କରିବେ ବୋଲି ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ଜିଲ୍ଲା ଗଠନ ପାଇଁ ଆନ୍ଦୋଳନ କରି ଆସିଥିବା ପଦ୍ମପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ମଧ୍ୟ ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତିକୁ ସ୍ବାଗତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି।

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ନେଇ ଦୀର୍ଘ ଦଶନ୍ଧି ହେଲା ଆନ୍ଦୋଳନ ହୋଇ ଆସୁଥିଲା। ଗତବର୍ଷ ପଦ୍ମପୁର ଉପନିର୍ବାଚନ ପୂର୍ବରୁ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚାଲିଥିଲା। ଏପରିକି ଜିଲ୍ଲା ନାହିଁ ତ ଭୋଟ୍ ନାହିଁ ବୋଲି ନାରା ଦିଆଯାଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ନିର୍ବାଚନ ପ୍ରଚାରରେ ଯାଇ ବର୍ଷକ ମଧ୍ୟରେ ଜିଲ୍ଲା ଗଠନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଉ ନିର୍ବାଚନରେ ଦଳର ବିପୁଳ ବିଜୟ ପରେ ପୁଣି ଥରେ କୃତଜ୍ଞତା ଦେବାକୁ ଯାଇ ସବୁ ପ୍ରତିଶ୍ରୁତିକୁ ପୁଣି ଦୋହରାଇଥିଲେ। ଏପରିକି ଅନେକ ପ୍ରତିଶ୍ରୁତି ପୂରଣ ମଧ୍ୟ କରିଥିଲେ। ତେବେ, ଆଇନଗତ ପ୍ରକ୍ରିୟା ପାଇଁ ଜିଲ୍ଲା ଗଠନ ସକାଶେ ଗୋଟିଏ ବର୍ଷ ସମୟ ମାଗିଥିଲେ।

ଏଭଳି ସ୍ଥିତିରେ କିଛି ମାସ ତଳୁ ଜିଲ୍ଲା ଗଠନ ନେଇ ସରକାରୀସ୍ତରରେ ପ୍ରକ୍ରିୟା ବି ଆରମ୍ଭ ହୋଇସାରିଥିଲା। ଆଉ ୨ ସପ୍ତାହ ତଳେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ପଦ୍ମପୁରରେ ଜିଲ୍ଲାପାଳଙ୍କ ଅଫିସ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ଅଫିସ ପାଇଁ ସ୍ଥାନ ଚିହ୍ନଟ କରି ଫେରିଥିଲେ। ଆଉ ଏହି ସ୍ଥାନ ଚିହ୍ନଟ ପରେ ଲୋକଙ୍କ ମଧ୍ୟରେ ଆଶା ବଢିବାରେ ଲାଗିଥିଲା। ଏଭଳି ସ୍ଥିତିରେ ଶନିବାର ବସିଥିବା କ୍ୟାବିନେଟରେ ଜିଲ୍ଲା ଗଠନ ପ୍ରସ୍ତାବକୁ ମୋହର ବାଜିବା ଏକପ୍ରକାର ନିଶ୍ଚିତ ହୋଇସାରିଥିଲା। କିନ୍ତୁ, ନିକଟରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଜିଲ୍ଲା ଘୋଷଣାରେ ପ୍ରତିବନ୍ଧକ ସାଜିଛି।

ତଥାପି ରାଜ୍ୟ ସରକାର ତାଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେବାକୁ ଯାଇ ଜିଲ୍ଲା ଗଠନ ପ୍ରକ୍ରିୟା ଜାରି ରଖିଛନ୍ତି। ଆଉ ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପଦ୍ମପୁର ପାଇଁ ଏକ ଅତିରିକ୍ତ ଜିଲ୍ଲାପାଳ ପଦବିକୁ ମଞ୍ଜୁରି ଦେଇଛନ୍ତି। ଏହାଛଡା ପଦ୍ମପୁରର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ଭାବେ ଆଇଏଏସ ଅଫିସର ଚଭନ କୁନାଲ ମୋତିରାମଙ୍କୁ ନିଯୁକ୍ତି ଦେଇଛନ୍ତି। ଆଉ ଏହି ପଦକ୍ଷେପ ହିଁ ଜିଲ୍ଲା ଗଠନ ପାଇଁ ସରକାରଙ୍କ ଆନ୍ତରିକତାର ପ୍ରମାଣ ବୋଲି ସମଗ୍ର ଜିଲ୍ଲାରେ ମତପ୍ରକାଶ ପାଇଛି। ତେବେ, ବର୍ତ୍ତମାନ ପଦ୍ମପୁର ଉପଖଣ୍ଡରେ ପ୍ରଶାସନିକ କଳକୁ ଅଧିକ ତତ୍ପର ତଥା ଲୋକାଭିମୁଖୀ କରିବାକୁ ଏଡିଏମ୍ ନିଯୁକ୍ତି ବହୁଳ ଭାବେ ସହାୟକ ହେବ ବୋଲି ଆଶାପ୍ରକାଶ ପାଇଛି। ଅପରପକ୍ଷେ, ରାଜ୍ୟ ସରକାରଙ୍କ ଏହି ସକରାତ୍ମକ ଆଭିମୁଖ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ପ୍ରସ୍ତାବିତ ଜିଲ୍ଲାରେ ପଦ୍ମପୁର, ପାଇକମାଳ ଏବଂ ଝାରବନ୍ଧ ବ୍ଲକ ସମେତ ବରପାଲି, ବିଜେପୁର ଏବଂ ଗାଇସିଲେଟ ବ୍ଲକ ରହିଛି। ଏହାଛଡା ପଦ୍ମପୁର ଓ ବରପାଲି ଏନ୍ଏସି ମଧ୍ୟ ଏଥିରେ ସାମିଲ ଅଛି। ଏହି ନୂତନ ଜିଲ୍ଲାର ମୋଟ୍ ଜନସଂଖ୍ୟା ୭ ଲକ୍ଷ ହେବ ବୋଲି ଆକଳନ କରାଯାଇଛି।

Comments are closed.