ଟୁରିଷ୍ଟ ବସ୍ ଓଲଟି ୪୫ରୁ ଊର୍ଦ୍ଧ୍ବ ଆହତ, ୨ ଗୁରୁତର

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ତାରାତାରିଣୀ ପୀଠରୁ ଖଲ୍ଲିକୋଟ ବ୍ଲକ୍ ନାରାୟଣୀ ମନ୍ଦିରକୁ ଯାଉଥିବା ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୪୫ରୁ ଊର୍ଦ୍ଧ୍ବ ଜଣ ଆହତ ହୋଇଛନ୍ତି। ଆଜି ମଧ୍ୟାହ୍ନରେ ଏହି ଅଘଟଣ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଲିଆ ଛକ ନିକଟସ୍ଥ ରାଜ୍ୟ ରାଜପଥରେ ଘଟିଛି। ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକଡ଼କୁ ସମ୍ପୂର୍ଣ୍ଣ ଓଲଟି ପଡ଼ିବା ଫଳରେ ସେଥିରେ ଥିବା ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକର ଏକ କମ୍ପ୍ୟୁଟର ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଆହତ ହୋଇଛନ୍ତି। ଗୁରୁତର ୨ ଜଣଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ପୁରୁଷୋତ୍ତମପୁର ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି।

ଭଦ୍ରକର ଏହି କମ୍ପ୍ୟୁଟର ଛାତ୍ରଛାତ୍ରୀମାନେ ଲକ୍ଷ୍ମୀନାରାୟଣ ନାମକ ଘରୋଇ ଯାତ୍ରୀବାହୀ ବସ୍ (ଓଡି୨୨ଏଚ୍-୮୫୧୫) ଯୋଗେ ଶନିବାର ରାତିରେ ନିଜ ଅଞ୍ଚଳରୁ ବାହାରି ଆଜି ସକାଳୁ ତାରାତାରିଣୀ ମନ୍ଦିରରେ ପହଞ୍ଚି ଦର୍ଶନ କରିଥିଲେ। ମଧ୍ୟାହ୍ନରେ ସେଠାରୁ ବାହାରି ନାରାୟଣୀ ମନ୍ଦିରକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍ ରାସ୍ତାକଡ଼କୁ ୧୮୦ ଡିଗ୍ରୀ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁରୁଷୋତ୍ତମପୁର ଥାନା ପୋଲିସ ଓ ଦମକଳ ବାହିନୀ ଆହତମାନଙ୍କୁ ବସ୍ ଭିତରୁ ଉଦ୍ଧାର କରି ପୁରୁଷୋତ୍ତମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Comments are closed.