ଆସନ୍ତା ୬ରୁ ଶିଶିର ସରସ -୨୦୨୪

ଭୁବନେଶ୍ବର – ଚଳିତମାସ ୬ ତାରିଖରୁ ଆରମ୍ଭ ହେବ ଶିଶିର ସରସ ମେଳା -୨୦୨୪ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ୱାରା ଆୟୋଜନ ହେବାକୁ ଥିବା ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ଏହି ମେଳା ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଅନୁଷ୍ଠିତ ହେବ । ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ମେଳା । ଏହି ଜାତୀୟସ୍ତରୀୟ ମେଳାରେ ମୋଟ ୪୦୦ଟି ଷ୍ଟଲ ଖୋଲାଯିବ ।

ଏଥିରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ମହିଳା ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀମାନଙ୍କ ସହିତ ୨୬ଟି ରାଜ୍ୟର ମହିଳା ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀମାନଙ୍କ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ବିଭିନ୍ନ୍ ଷ୍ଟଲରେ ବିକ୍ରି ହେବ।

ମେଳା ଭିତରେ ରହିବ ସ୍ୱତନ୍ତ୍ର ଫୁଡ୍ କୋର୍ଟ, ସେଲଫି ପଏଣ୍ଟ, ଓରମାସର ମାର୍କେଟିଂ । ସେହିପରି ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମକୁ ନେଇ ସ୍ୱତନ୍ତ୍ର ଥିମ୍ ଷ୍ଟଲ ପାଇଁ ମେଳାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମେଳା ପରିସରକୁ ପରିଷ୍କାର ପରିଚ୍ଛନ ରଖିବା ଦିଗରେ ବିଏମସି ଅଧିକାରୀ ସ୍ବତନ୍ତ୍ର ଧ୍ୟାନ ଦେବେ । ମେଳାକୁ ଯଥା ସମ୍ଭବ ପଲିଥିନ ମୁକ୍ତ ନିଷିଦ୍ଧାଞ୍ଚଳ କରିବା ପାଇଁ ଉଦ୍ୟମ ହେବ ବୋଲି ମେଳା ଆୟୋଜକଙ୍କ ତରଫରୁ ସୂଚନା ଦିଆଯାଇଛି । ବିଭିନ୍ନ ଘରୋଇ ତଥା ରାଷ୍ଟ୍ରାୟତ ବ୍ୟାଙ୍କ ପକ୍ଷରୁ ମେଳା ପରିସରରେ ଏଟିଏମ ମେସିନ୍ ର ସୁବିଧା କରାଯାଇଛି । ପ୍ରତ୍ୟେକ ଦିନ ମେଳାରେ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

Comments are closed.